Latest Odisha News

BREAKING NEWS

ମା’ କୋଳରେ ମାନବ…

(ଧର୍ମପ୍ରାଣ ଦୀନବନ୍ଧୁ ନାୟକଙ୍କ ଆଧ୍ୟାତ୍ମିକ ଅନୂଭୁତି ଓ ଭଗବତ୍ ଦିବ୍ୟ ଦର୍ଶନକୁ ନେଇ ସ୍ୱତନ୍ତ୍ର ଆଲେଖ)

ମା’ ।… କେତେ ମଧୁର ସତେ ଏଇ ଶଦ୍ଦଟି! ନାରୀଟିଏ ମା’ ହୁଏ ସେତେବେଳେ, ଯେତେବେଳେ ସେ ସନ୍ତାନଟିକୁ ଜନ୍ମ ଦିଏ । ପିତାର କ୍ଷୁଦ୍ରାତିକ୍ଷୁଦ୍ର ଶୁକ୍ରାଣୁଟିକୁ ମା’ କିପରି କେଉଁ ଉପାୟରେ ନିଜର ସବୁ ଉପାଦାନ ଦେଇ ସନ୍ତାନଟିକୁ ଜନ୍ମ ଦିଏ, ଆଧୁନିକ ବିଜ୍ଞାନ ଜାଣି ସାରିଲାଣି । କିନ୍ତୁ ମା’ ଅନ୍ତରର ଅନ୍ତରତମ ପ୍ରଦେଶର ମମତା, ସ୍ନେହ, ଆଦର, ଯତ୍ନ, ସ୍ତନପାନ ସମୟରେ ଶିଶୁର ଆନନ୍ଦ ଓ ମା’ର ପ୍ରଫୁଲ୍ଲତା, ବିଭୋରତା, ସୂକ୍ଷ୍ମଭାବନାଗୁଡିକୁ ଏ ପର୍ଯ୍ୟନ୍ତ ମାପି ପାରିନାହିଁ । ଶାସ୍ତ୍ରଗଣ ପିତାଙ୍କୁ ସ୍ୱର୍ଗ ଓ ମାତାଙ୍କୁ ସ୍ୱାର୍ଗାଦପି ଗରୀୟସୀ ବୋଲି ଘୋଷଣା କରିଛନ୍ତି । ପିତା ସତା, ମାତା ଶକ୍ତି । ସତା ଓ ଶକ୍ତିର ସଂଯୋଗ ହିଁ ସନ୍ତାନ । ମା’ର ସହନଶକ୍ତି ଅଦ୍ୱିତୀୟ, ଧାରଣଶକ୍ତି ଅତୁଳନୀୟ । ମାଟିକୁ ଆମେ ମା’ କହୁଁ, ଯାହାର ବୃହତ୍ ଆକାର ହେଉଛି ପୃଥିବୀ । ସମସ୍ତଙ୍କୁ ଧାରଣ କରି ସେ ଧରଣୀ, ଧରିତ୍ରୀ । ଏଇ ମା’ କୋଳରେ ଗଛଲତା, ସରିସୃପ, ଜୀବଜନ୍ତୁ, ମଣିଷ ତା’ରି ପାଣି, ପବନ, ଫଳମୂଳ ଖାଇ ଜୀବନ ଧାରଣ କରନ୍ତି । ଏହାରି କୋଳରେ ବିବର୍ତିତ ହୋଇ ପ୍ରାଣୀ ମନୁଷ୍ୟ ସ୍ତରରେ ପହଂଚିଛି ।

ଏଇ ମାଟିମା’ କୋଳକୁ ଯେତେବେଳେ ପ୍ରଥମେ ମଣିଷ ଆସିଲା,- ଆଦିମାନବ – ସେ କିପରି ବଂଚିଥିଲା, କ’ଣ ଖାଉଥିଲା, କିପରି ରହୁଥିଲା, ଏହାର ବିସ୍ତୃତ ବିବରଣୀ ନୃତତ୍ୱ ବିଜ୍ଞାନରୁ ମିଳେ ।

ଅଧିକ ପଢନ୍ତୁ: ଏଇ ତ ଜୀବନ !

ସେ ବଣଜଙ୍ଗଲ ପାହାଡ ଖୋଲରେ ରହି, ହାତପାଆନ୍ତାରେ ଥିବା ଫଳମୂଳ ଖାଇ ବଂଚିବା ପାଇଁ ସଂଘର୍ଷ କରିଛି । ଘର ତିଆରି କରି ଜାଣିନି, ଲଜ୍ଜା କ’ଣ ଜାଣିନି, ତଥାପି ଦୈନନ୍ଦିନ ଅଭିଜ୍ଞତାରୁ ସେ ଉପାୟ ଖୋଜି ବାହାର କରିଛି । କାରଣ, ଛୋଟ ବରଫଳର ଅସଂଖ୍ୟ ମଞ୍ଜିର ପ୍ରତ୍ୟେକଟିରେ ଭବିଷ୍ୟତର ବିରାଟ ବଟବୃକ୍ଷ ମହଜୁଦ୍ ଥିବା ପରି ମଣିଷ ମସ୍ତିଷ୍କ ସେତେବେଳେ ଅବିକଶିତ ଅବସ୍ଥାରେ ଥିଲେ ବି ତାହା ମଧ୍ୟରେ ପ୍ରାଣଶକ୍ତି, ମନଃଶକ୍ତି ମହଜୁଦ୍ ରହିଛି । ନିଆଁ ପୋଡି ପକାଏ, ପାଣି ଭସାଇ ନିଏ, ପବନ ଉଡାଇ ନିଏ, ଆକାଶରୁ ପ୍ରବଳ ବର୍ଷା ହୁଏ,- ଏହା ସେ ପର୍ଯ୍ୟବେକ୍ଷଣ ଓ ଅଭିଜ୍ଞତାରୁ ଶିଖିଛି । ବିପଦଆପଦ, ଜୀବଜନ୍ତୁମାନଙ୍କ ଆକ୍ରମଣକୁ ପ୍ରତିହିତ କରିବା ପାଇଁ ଜଣ ଅପେକ୍ଷା ଗଣ ଯେ ଅଧିକ ଜରୁରୀ,- ଏହା ସେ ଅନୁଭବ କରିଛି । ସ୍ୱାଭାବିକ ଭାବେ ଯାହାଠାରୁ ଉପକାର ପାଇଛି, ତାକୁ ତା’ ଢଙ୍ଗରେ ପୂଜା କରିଛି । ଅପକାର କରୁଥିବା ଶକ୍ତିକୁ ଭୟରେ ତା’ ଆଗରେ ନଇଁ ଯାଇଛି, ଦୂରେଇ ରହିଛି । ଦଳବଦ୍ଧ ହୋଇ ରହିବାରୁ ମଣିଷର ସହଜାତ ପ୍ରବୃତି (ଆହାର, ନିଦ୍ରା, ମୈଥୁନ, ଭୟ) ବଶତଃ ବଂଶବୃଦ୍ଧି କରିଚାଲିଛି । ପ୍ରଥମାବସ୍ଥାରେ କେହି କାହାର ସ୍ତ୍ରୀ ବା କେହି କାହାର ସ୍ୱାମୀ ହୋଇନଥିବେ, ସମସ୍ତେ ଦଳର, ଗୋଷ୍ଠୀର ହୋଇ ରହିଥିବେ । ଜୀବନଧାରଣ ପାଇଁ ଜଳର ଉତ୍ସ ଦେଖି ଗୋଷ୍ଠୀ ବାସ କରିଥିବ । ଶ୍ରୀ ଗୈବାନନ୍ଦଜୀ ମହାରାଜ ଥରେ କହୁଥିଲେ – “ନାରୀମାନେ ହିଁ କୃଷିର ଉଦ୍‌ଭାବକ ।” ମୁଁ ପଚାରିଲି – “କିପରି?” ଶ୍ରୀ ବାବା କହିଲେ –“ଆରେ ଦେଖ୍‌! ଯେତେବେଳେ ମଣିଷମାନେ ପାହାଡପର୍ବତ ଖୋଲରେ ରହୁଥିଲେ, ସେତେବେଳେ ସେମାନେ ଜଙ୍ଗଲରୁ ଫଳ ଆଣି ଖାଉଥିଲେ, ମଞ୍ଜିଗୁଡିକୁ ଫିଙ୍ଗି ଦେଉଥିଲେ । ସେଇ ମଞ୍ଜି ବର୍ଷାଦିନେ ପାଣି ପାଇ ଚାରା ହେଲା, ଚାରାରୁ ଗଛ ହେଲା । ଗଛରେ ଫଳ ଫଳିଲା । ସକ୍ଷମମାନେ ତ ଆହାର ସଂଗ୍ରହ ପାଇଁ ବଣକୁ ଚାଲିଯାଉଥିଲେ, ସେମାନେ ଏକଥା ଲକ୍ଷ୍ୟ କରିନାହାଁନ୍ତି । କିନ୍ତୁ ଯେଉଁ ନାରୀଟି, ବିଶେଷ କରି ବୃଦ୍ଧାଟି ଗୋଟିଏ ଜାଗାରେ ରହୁଥିଲା, ସେ ଲକ୍ଷ୍ୟ କଲା ଯେ ଯେଉଁ ଫଳ ଖାଇ ସେ ମଞ୍ଜି ଫିଙ୍ଗି ଦେଇଥିଲା, କିଛି ଦିନ ପରେ ସେଇ ମଞ୍ଜିରୁ ଗଛ ହୋଇ ଫଳ ଫଳୁଛି, ଠିକ୍ ସେଇ ସ୍ୱାଦ । ମନେକର, ଆମ୍ବଟାକୁଆ ଫିଙ୍ଗିଥିଲା, ଏବେ ଆମ୍ବ ପାଇଲା । ଆମ୍ବ ପାଇଁ ଦଳକୁ ଆଉ ଏଣେତେଣେ ଖୋଜିବାକୁ ପଡିଲା ନାହିଁ, ରହିବା ଜାଗାରେ ଆମ୍ବ ପାଇଗଲା । ଏହିପରି କୃଷିର ଉଦ୍‌ଭାବକ ହେଲା ନାରୀ ।” କଥାଟି ମୋ ମନକୁ ପାଇଗଲା । ସେହି ପ୍ରାଥମିକ ପରିବେଶରୁ ଶିକ୍ଷା ଲାଭ କରି ମଣିଷ ପରୀକ୍ଷାନିରୀକ୍ଷା କରି କରି ବର୍ତମାନ ଅବସ୍ଥାରେ ପହଂଚିଛି ।

ଯେଉଁ ପୃଥିବୀ ମା’ କୋଳରେ ଆମେ ଏବେ ବାସ କରୁଛେ, ସେହି ପୃଥିବୀର ଉତ୍ପତି ବିଷୟରେ ବିଜ୍ଞାନ ସୂର୍ଯ୍ୟ, ନକ୍ଷତ୍ର, ଆକାଶଗଙ୍ଗା, କୃଷ୍ଣଗର୍ତ, ବ୍ଲାକ୍ ମ୍ୟାଟର, ବ୍ଲାକ୍ ଏନର୍ଜି ଇତ୍ୟାଦି ବହୁ ତଥ୍ୟ ଉପସ୍ଥାପିତ କରିଛି । ଯେଉଁଠାରେ ବିଜ୍ଞାନ ଶେଷ ହୁଏ, ସେହିଠାରୁ ଦର୍ଶନ ଆରମ୍ଭ ହୁଏ ବୋଲି ଏକ ଲୋକକଥା ରହିଛି । ବହୁ ପୁରାତନ ଓ ସମୃଦ୍ଧ ଭାରତୀୟ ଦର୍ଶନ ଆରମ୍ଭ ହୁଏ ବୋଲି ଏକ ଲୋକକଥା ରହିଛି । ବହୁ ପୁରାତନ ଓ ସମୃଦ୍ଧ ଭାରତୀୟ ଦର୍ଶନ ସମେତ ପୃଥିବୀର ଅନ୍ୟାନ୍ୟ ଦର୍ଶନଗୁଡିକ ଯେତେ ଯେତେ ତଥ୍ୟ ଓ ତତ୍ୱ ଉପସ୍ଥାପନ କରିଛନ୍ତି, ସେଗୁଡିକ ବହୁମୁଖୀ ହେଲେ ବି ଶେଷରେ ସବୁଗୁଡିକ,- ଏପରିକି ଜ୍ଞାନର ଭଣ୍ଡାର ବେଦ ମଧ୍ୟ – ଏକ ଅଜ୍ଞାତ ରହସ୍ୟର ସମ୍ମୁଖୀନ ହୋଇଛନ୍ତି । ବେଦ ଏହାକୁ ‘ନେତି ନେତି’ କହିଛନ୍ତି, ଅନ୍ୟଗୁଡିକ ଚିର ରହସ୍ୟ, ପରମ ରହସ୍ୟ  ଇତ୍ୟାଦି କହିଛନ୍ତି । ଏହି ରହସ୍ୟ ହିଁ ସେହି ଅଜ୍ଞାତଙ୍କର ପରିଚୟ । ଏବେ ବି ରହସ୍ୟ ସେହିପରି ରହସ୍ୟ ହୋଇ ରହିଛନ୍ତି, ଅନୁସନ୍ଧାନ ଜାରି ରହିଛି ।

ତେବେ, ସୃଷ୍ଟିର ଆରମ୍ଭ ‘ଏକ’ଙ୍କ ଠାରୁ ହୋଇଛି ବୋଲି ଉଣାଅଧିକେ ସମସ୍ତ ବାଦ  କହିଛନ୍ତି । ଚିର ଅଜ୍ଞାତ ନିରାକାରଙ୍କର ‘ଏକ’ ହିଁ ପ୍ରଥମ ଆକାର । ପ୍ରଥମ ଏକ, ଅଦ୍ୱିତୀୟ, ଯାହାଙ୍କ ବ୍ୟତୀତ ଅନ୍ୟ କିଛି ନ ଥିଲା, ସେ ଇଛା କଲେ – ‘ଏକୋଽହଂ ବହୁସ୍ୟାମି ।’- ମୁଁ ଏକ ଅଛି, ବହୁ ହେବି । ସେହି ଏକ ହେଉଛନ୍ତି ସତ୍‌-ଚିତ୍‌-ଆନନ୍ଦ ବା ସଚ୍ଚିଦାନନ୍ଦ । ସତ୍ ହେଉଛନ୍ତି ସତା, ଚିତ୍ ବା ଚେତନା ହେଉଛନ୍ତି ଶକ୍ତି । ଦୁହିଁଙ୍କ ଲୀଳା ହିଁ ଆନନ୍ଦ ବା ଈକ୍ଷସଗ୍ଦଗ୍ଦ – ‘ଆନନ୍ଦବ୍ରହ୍ମମ୍ । ସତାଙ୍କ ଇଛା ହିଁ ଶକ୍ତି । ସତା ଶକ୍ତି ଅଭିନ୍ନ । ସତା କେନ୍ଦ୍ର, ଶକ୍ତି ହିଁ ପ୍ରସାରିତ ପରିଧି ବା ସୃଷ୍ଟି । ଶକ୍ତିର ଘୂର୍ଣ୍ଣନ ପ୍ରକ୍ରିୟାର ଅନୁଭବ ଆନନ୍ଦ, ଏକ ବହୁ ହେବାର ଆନନ୍ଦ । ତେଣୁ ସତା-ଶକ୍ତି-ଆନନ୍ଦ ଅଭିନ୍ନ, ଏକ । ଏହାଙ୍କୁ ବିଭିନ୍ନ ଦର୍ଶନ ବିଭିନ୍ନ ନାମ ଦେଇଛନ୍ତି, ଯଥା:- ପରମବ୍ରହ୍ମ, ପରମାତ୍ମା, ପରମେଶ୍ୱର, ଗଡ୍‌, ଆଲ୍‌ହା ଇତ୍ୟାଦି । ତାଙ୍କର ଅଭିନ୍ନ ଶକ୍ତିକୁ ଭାରତୀୟ ଦର୍ଶନ ଯୋଗମାୟା, ଆଦ୍ୟା, ମାୟା, ପରାପ୍ରକୃତି, ଅପରା ପ୍ରକୃତି ଇତ୍ୟାଦି କେତେ କେତେ ନାମ ଦେଇଛନ୍ତି । ମହାଯୋଗୀ ଶ୍ରୀଅରବିନ୍ଦ ମତରେ ଏହି ଶକ୍ତି ବା ମାୟା  ଶକ୍ତି ହିଁ ସୃଷ୍ଟିର ଉପାଦାନ କାରଣ । ସେ ନିଜେ ହିଁ ସୃଷ୍ଟିରେ ପରିଣତ ହୋଇଛନ୍ତି । କିନ୍ତୁ ଶକ୍ତିର ଆଧାର ସତା ହୋଇଥିବାରୁ ପ୍ରତ୍ୟେକ ସୃଷ୍ଟ ପଦାର୍ଥରେ ସତାଙ୍କ ଉପସ୍ଥିତି ଅନିବାର୍ଯ୍ୟ । ଜଡବିଜ୍ଞାନ ଏହି ସୃଷ୍ଟିକୁ ବିଶ୍ଳେଷଣ କରି କରି ଅଣୁ, ପରମାଣୁ, ଇଲେକ୍‌ଟ୍ରନ, ନ୍ୟୁଟ୍ରନ୍‌, ପ୍ରୋଟନ୍ ପର୍ଯ୍ୟନ୍ତ ପହଂଚି ଗଲାଣି । ଜଡବିଜ୍ଞାନକୁ ସାଦର ପ୍ରଣାମ । ଯେଉଁ ତତ୍ୱକୁ ଋଷିଗଣ ଧ୍ୟାନସ୍ଥ ହୋଇ ଜାଣି ପାରିଥିଲେ, ବୈଜ୍ଞାନିକମାନେ ତାହା ଲାବରେଟୋରୀରେ ପ୍ରମାଣ କରିପାରିଛନ୍ତି । ଏହି ବୈଜ୍ଞାନିକ-ଋଷିଗଣ ବାସ୍ତବିକ ପ୍ରଣମ୍ୟ, ପୂଜନୀୟ । ଶ୍ରୀ ଗୈବାନନ୍ଦଜୀ ମହାରାଜ ଥରେ ହସି ହସି କହିଥିଲେ-“ଯେଉଁମାନେ ରିସର୍ଚ୍ଚ କରୁଛନ୍ତି, ସେଇମାନେ ହିଁ ଋଷି ।” ସୃଷ୍ଟିରେ ସତାଙ୍କ ଅସ୍ତିତ୍ୱ ନିଶ୍ଚିତ, କିନ୍ତୁ ଅଦୃଶ୍ୟ; ଯେପରି ଜ୍ୟାମିତିରେ ‘ବିନ୍ଦୁ’, ଯାହାର ଲମ୍ବ ନାହିଁ, ପ୍ରସ୍ଥ ନାହିଁ, ଉଚ୍ଚାତା ନାହିଁ, ପରନ୍ତୁ ସ୍ଥିତି ଅଛି ।

ତା’ହେଲେ, ଯୋଗମାୟା ବା ପରମଙ୍କ ଆଦିଇଚ୍ଛା ହିଁ ସୃଷ୍ଟିକାରିଣୀ । ପରମଏକଙ୍କ ଆନନ୍ଦ ପାଇଁ ସେ ବହୁରେ ରୂପାନ୍ତରିତ ହୋଇଗଲେ । ‘ବହୁ’ ଯଦି ‘ଏକ’ ବୋଲି ଅନୁଭବ କରିବେ, ତେବେ ପୂର୍ବାବସ୍ଥା ଆସିଯିବ, ବହୁ ହେବାର ଅଭିଳଷିତ ଆନନ୍ଦ ମିଳିବନାହିଁ । ତେଣୁ ସତାଙ୍କୁ ବହୁ କେନ୍ଦ୍ରରେ ଆବୃତ କରି, ନିଜେ ସେଇ ଆବରଣ ହୋଇ ଆନନ୍ଦ ଅନୁଭୂତ କରାଉଛନ୍ତି । ବିଶୁଦ୍ଧ ଶକ୍ତି ଓ ଆବରଣଯୁକ୍ତ ଶକ୍ତି ଯଥାକ୍ରମେ ପରା ପ୍ରକୃତି ଓ ଅପରା ପ୍ରକୃତି ନାମ ଧାରଣ କରିଛନ୍ତି ।

ଶ୍ରୀଗୀତାରେ ଶ୍ରୀଭଗବାନ କହିଛନ୍ତି:

“ଭୂମିରାପୋଽନଳୋ ବାୟୁଃ ଖଂ ମନୋ ବୁଦ୍ଧିରେବ ଚ ା
ଅହଂକାର ଇତୀୟଂ ମେ ଭିନ୍ନା ପ୍ରକୃତିରଷ୍ଟଧା ।। ୪/୭
ଅପରେୟ ମିତ ସ୍ତ୍ୱନ୍ୟାଂ ପ୍ରକୃତିଂ ବିଦ୍ଧି ମେ ପରାଂ ା
ଜୀବଭୂତା ମହାବାହୋ ଯୟେଦଂ ଧାର୍ଯ୍ୟତେ ଜଗତ୍ ।। ୫/୭”

“ଭୂମି, ଜଳ, ଅଗ୍ନି, ବାୟୁ, ଆକାଶ, ମନ, ବୃଦ୍ଧି ଓ ଅହଂକାର – ଏପରି ଆଠ ପ୍ରକାରେ ବିଭକ୍ତ ପ୍ରକୃତି ମୋର ହିଁ ପ୍ରକୃତି । ଏହି ଅଂଶ ପ୍ରକାରେ ବିଭକ୍ତ ପ୍ରକୃତି ତ ମୋର ଅପରା ଅର୍ଥାତ୍ ଜଡ ପ୍ରକୃତି । ହେ ମହାବାହୁ! ଏହାଠାରୁ ଭିନ୍ନ ଅନ୍ୟ ପ୍ରକୃତି, ଯାହା କି ସମଗ୍ର ଜଗତକୁ ଧରି ରଖିଛି, ତାହା ମୋର ଜୀବରୂପା ପରା, ଅର୍ଥାତ୍ ଚେତନ ପ୍ରକୃତି ବୋଲି ଜାଣ ।ା୪-୫।। ଶ୍ରୀମଦ୍ଭଗବଦ୍ ଗୀତା-ଗୀତା ପ୍ରେସ୍‌, ଗୋରଖପୁର ।” ଏହି ଅପରା ପ୍ରକୃତି ନିଜ ମଧ୍ୟରେ ସତାଙ୍କୁ ବହୁକେନ୍ଦ୍ରରେ ଆବୋରିତ କରିଛନ୍ତି, ସତେ ଯେପରି ଡିମ୍ବାଣୁ ଭିତରେ ଶୁକ୍ରାଣୁ । ପୁନଶ୍ଚ, ଏହି ଅପରା ପ୍ରକୃତି ତ୍ରିଗୁଣମୟୀ, ସତ୍ୱ-ରଜ-ତମୋମୟୀ । ଏହିଠାରୁ ସୃଷ୍ଟି ସୂକ୍ଷ୍ମରୁ ସ୍ଥୂଳରୂପ ଧାରଣ କରି ସାକାର ହୋଇଛି ।

ଅପରା ପ୍ରକୃତିରୁ ପ୍ରଥମେ ମହତତ୍ୱ ବା ବୁଦ୍ଧି ସୃଷ୍ଟି ହୋଇଛି । ବୁଦ୍ଧିରୁ ଅହଂକାର, ମନ, ଚିତର ସୃଷ୍ଟି, ଯେଉଁଗୁଡିକୁ (ଚାରୋଟିକୁ) ଅନ୍ତଃକରଣ କୁହାଯାଏ । ଏହାପରେ ଅପରା ପ୍ରକୃତି ପଂଚ ତନ୍‌ମାତ୍ରା (ଶବ୍‌ଦ, ସ୍ପର୍ଶ, ରୂପ, ରସ, ଗନ୍ଧ), ପଂଚ ମହାଭୂତ (କ୍ଷିତି-ଅପ୍‌-ତେଜ୍‌-ମରୁତ୍‌-ବ୍ୟୋମ), ପଂଚ ଜ୍ଞାନେନ୍ଦ୍ରିୟ (କାନ, ଚମ, ଆଖି, ଜିଭ, ନାକ), ପଂଚ କର୍ମେନ୍ଦ୍ରିୟ (ପାଦ, ହାତ, ବାକ୍‌, ଶିଶ୍ନ, ପାୟୁ) ସୃଷ୍ଟି କରିଛି, ବରଂ ନିଜେ ହିଁ ପରିବର୍ତିତ ହୋଇଯାଇଛି କହିଲେ ଠିକ୍ ହେବ । ପଂଚ ମହାଭୂତ କ୍ରମଶଃ ସୂକ୍ଷ୍ମରୁ ସ୍ଥୂଳ ହୋଇଛନ୍ତି । ଆକାଶରୁ ବାୟୁ, ବାୟୁରୁ ତେଜ, ତେଜରୁ ଜଳ, ଜଳରୁ କ୍ଷିତି । ଆକାଶ ଓ ବାୟୁର ଆକାର ନାହିଁ । ଆକାର ତେଜରୁ ଆରମ୍ଭ ହୋଇଛି । ପ୍ରତ୍ୟେକ ମହାଭୂତର ନିଜସ୍ୱ ଗୁଣ ରହିଛି । ଆକାଶର ଶବ୍‌ଦ, ବାୟୁର ଆକାଶରୁ ପ୍ରାପ୍ତ ଶଦ୍ଦ ଓ ନିଜସ୍ୱ ଗୁଣ ସ୍ପର୍ଶ, ତେଜର ପୂର୍ବ ମହାଭୂତରୁ ପ୍ରାପ୍ତ ଶଦ୍ଦ, ସ୍ପର୍ଶ ଓ ନିଜସ୍ୱ ଗୁଣ ରୂପ, ଜଳର ସେହିପରି ଶଦ୍ଦ, ସ୍ପର୍ଶ, ରୂପ ଓ ନିଜସ୍ୱ ଗୁଣ ରସ ଏବଂ କ୍ଷିତି ବା ମାଟିର ଶଦ୍ଦ, ସ୍ପର୍ଶ, ରୂପ ରସ ଓ ନିଜସ୍ୱ ଗୁଣ ଗନ୍ଧ । ଏଗୁଡିକ ଭୋଗ୍ୟ ବସ୍ତୁ । ଏମାନଙ୍କୁ ‘ବିଷୟ’ କୁହାଯାଏ । ଭୋଗ କରିବାର ମାଧ୍ୟମ ବା ଉପକରଣ ହେଲେ ପଂଚ ଜ୍ଞନେନ୍ଦ୍ରିୟ । ଆକାଶର ଶବ୍‌ଦ ପାଇଁ କାନ, ବାୟୁର ସ୍ପର୍ଶ ପାଇଁ ଚର୍ମ, ତେଜର ରୂପ ପାଇଁ ଆଖି, ଜଳର ରସ ପାଇଁ ଜିଭ ଓ ମାଟିର ଗନ୍ଧ ପାଇଁ ନାକ । ଏମାନଙ୍କ ସାହାଯ୍ୟକାରୀ ହେଲେ ପଂଚ କର୍ମେନ୍ଦ୍ରିୟ । ଦଶୋଟି ଇନ୍ଦ୍ରିୟର ମାଲିକ ହେଲା ମନ, ଏହାକୁ ଷଷ୍ଠ ଇନ୍ଦ୍ରିୟ ବି କୁହାଯାଏ । ମନ ଅହଂର ଅଧୀନ । ତେଣୁ, ପଂଚ ତନ୍ ମାତ୍ରା, ପଂଚ ମହାଭୂତ, ପଂଚ ଜ୍ଞାନେନ୍ଦ୍ରିୟ, ପଂଚ କର୍ମେନ୍ଦ୍ରିୟ, ମନ, ବୁଦ୍ଧି, ଚିତ, ଅହଂକାର (ଚବିଶଟି) ଏବଂ ଜୀବାତ୍ମା, ଯାହା ପରମାତ୍ମାଙ୍କର ଅଭିନ୍ନ ଅଂଶ, ଯାହାଙ୍କର ଉପସ୍ଥିତି ଯୋଗୁଁ ଅନ୍ୟ ଚବିଶଟି ତତ୍ୱ ଚେତନଯୁକ୍ତ ଓ ଜୀବିତ,- ଏହି ପଚିଶ ତତ୍ୱକୁ ଅପରା ପ୍ରକୃତି କୁହାଯାଏ ।

ଏହି ଅପରା ପ୍ରକୃତି କୋଳରେ ଚାରିଖାନୀ, ଯଥା- ସ୍ୱେଦଜ, ଉଦ୍‌ଭିଦଜ, ଅଣ୍ଡଜ, ଜରାୟୁଜ ପ୍ରାଣୀ ଖେଳାଲୀଳା କରୁଛନ୍ତି । ଏମାନେ ପ୍ରାଣ ବା ପବନ ଗ୍ରହଣ କରି ବଂଚି ରହିଥିବାରୁ ପ୍ରାଣୀ ବୋଲାଉଛନ୍ତି ।

ଏମାନେ ସମସ୍ତେ ପ୍ରକୃତିର ସତ୍ୱ-ରଜ-ତମୋଗୁଣ ଅଧୀନ । କାରଣ, ପରା ପ୍ରକୃତି, ଯାହା ଶୁଦ୍ଧସତ୍ୱ ଶକ୍ତି, ତାହା ସତା ବା ପରମଙ୍କ ଅଧୀନ, ଯେହେତୁ ସତା ହିଁ ତାଙ୍କୁ ଧାରଣ କରିଛନ୍ତି । କିନ୍ତୁ ଅପରା ପ୍ରକୃତିରେ ସତାଙ୍କର ଆବୋରିତ ଅଂଶ ବିଦ୍ୟମାନ ଥିବାରୁ ତାହା ପ୍ରକୃତିର ଅଧୀନ ହୋଇ ରହିଛନ୍ତି । ତାଙ୍କ ବିନା ଅପରା ପ୍ରକୃତିର ସ୍ଥିତି ନାହିଁ । ସତାର ଚେତନା ସୂକ୍ଷ୍ମରୁ ସ୍ଥୂଳ ହୋଇ ହୋଇ ଶେଷରେ ନଶ୍ଚେତନାରେ ପହଂଚିଛି, ଯାହାକୁ ଠୋସ୍ ଜଡ କୁହାଯାଏ । ମନେହୁଏ, ସତେ ଯେପରି ଜଡର ଚେତନା ନାହିଁ । କିନ୍ତୁ ଜଡର ଗଭୀରତମ ପ୍ରଦେଶରେ ସଂଗୁପ୍ତ ହୋଇ ରହିଥିବା ଚେତନା ଉର୍ଦ୍ଧ୍ୱମୁଖୀ ହୋଇ କେନ୍ଦ୍ର ଆଡକୁ ଉର୍ଦ୍ଧ୍ୱଗତି କରେ । ଏହିଠାରୁ ଆରମ୍ଭ ହୁଏ ବିବର୍ତନ । ଅବତରଣର ଶେଷ ବିନ୍ଦୁରୁ ଆରୋହଣ ଆରମ୍ଭ ହୁଏ ।

ଜଡରେ ପ୍ରାଣ ସମ୍ଭବ ନୁହେଁ, ଜଳରେ ସମ୍ଭବ, ଯେପରି ଜଳରେ ଏକକୋଷୀ ପ୍ରାଣୀ ଏମିବା । ଜଳର ଅନ୍ୟନାମ ଜୀବନ । ଜଳରେ ଦୀର୍ଘକାଳ ବାସ କରି ଜଳଚର ପ୍ରାଣୀ (ମାଛ, ମଗର, କଚ୍ଛପ ଇତ୍ୟାଦି) ସ୍ଥଳରେ ବାସ କରିବାକୁ ଅନ୍ତରରୁ ପ୍ରେରିତ ହୁଏ । ଜଳଚର-ଉଭୟଚର-ସରିସୃପ-ଉଦ୍‌ଭିଦ-ପଶୁପକ୍ଷୀ-ବଣ୍ୟଜନ୍ତୁ ଶରୀର ମଧ୍ୟ ଦେଇ ମାନବ ଶରୀର ବିବର୍ତିତ ହୋଇଛି । ଏହି ବିବର୍ତନ ପ୍ରକ୍ରିୟା ସହ ଜୟଦେବଙ୍କ ‘ଗୀତଗୋବିନ୍ଦ’ରେ ବର୍ଣ୍ଣିତ ଦଶାବତାର ପୂରା ମେଳ ଖାଏ । ମତ୍ସ୍ୟବତାର ଜଳଚର ପ୍ରଥମ ଅବତାର । ବହୁଯୁଗ ଜଳରେ ରହି ରହି ଚେତନା ସ୍ଥଳରେ ବାସ କରିବାକୁ ଚାହିଁଛି, କିନ୍ତୁ ସଂପୂର୍ଣ୍ଣ ଭାବେ ଜଳକୁ ଛାଡି ପାରିନାହିଁ । ଦ୍ୱିତୀୟ କଚ୍ଛପ ଅବତାର ଜଳସ୍ଥଳ ଉଭୟଚର । କଚ୍ଛପ ସ୍ଥଳରେ ହିଁ ଅଣ୍ଡା ଦିଏ । ମତ୍ସ୍ୟର ଚାରୋଟି ଢେଣା ପରି ଥିବା ଅଂଗ କଚ୍ଛପର ଚାରୋଟି ଗୋଡରେ ପରିଣତ ହୋଇଛି, କିନ୍ତୁ ସେ ଛାତି ଓ ପେଟ ସାହାଯ୍ୟରେ ମାଟି ଉପରେ ଘୁଷୁଡି ଘୁଷୁଡି ଚାଲେ । ବହୁ ଯୁଗ ପରେ ଚେତନା ଆହୁରି ଉର୍ଦ୍ଧ୍ୱମୁଖୀ ହୋଇ ଚାରି ଗୋଡରେ ଠିଆ ହୋଇ ଚାଲିଛି, ଯାହା ତୃତୀୟ ବରାହ ଅବତାର । କିନ୍ତୁ ପୂର୍ବାବସ୍ଥା ଅଭ୍ୟାସ ଯୋଗୁଁ ପଙ୍କପ୍ରିୟ । ଏ ପର୍ଯ୍ୟନ୍ତ ପ୍ରାଣଶକ୍ତି ବିବର୍ତନର ପ୍ରଧାନ ଉପାଦାନ । ପ୍ରାଣଶକ୍ତି ମଧ୍ୟରେ ସଂଗୁପ୍ତ ହୋଇଥିବା ମନଃ ଶକ୍ତିର ସ୍ଫୁରଣ ହୋଇଛି । ଏହା ମାନବ ସୃଷ୍ଟି ଦିଗରେ ପ୍ରଥମ ପଦକ୍ଷେପ । ଚତୁର୍ଥ ଅବତାର ନରସିଂହ – ଅର୍ଦ୍ଧ ପଶୁ, ଅର୍ଦ୍ଧ ମାନବ । କ୍ରମ ବିବର୍ତନ ବା ଚେତନାର ଉଦ୍‌ଗମନ ହେତୁ ପଂଚମ ଅବତାର ବାମନ – କ୍ଷୁଦ୍ର ମାନବ । ଚେତନା ଏହିଠାରୁ ପଶୁଶରୀର ତ୍ୟାଗ କରିଛି । ତା’ପରେ ଷଷ୍ଠାବତାର ପରଶୁରାମ, ମାନବ ଶରୀର ହେଲେ ବି ପୂର୍ବ ଶରୀରମାନଙ୍କର କ୍ରୋଧ, ପ୍ରତିହିଂସା, ବିନାଶ ଇତ୍ୟାଦି ଭିତରେ ରହିଛି । ପୁରାଣ କହେ, ପର୍ଶୁରାମ ଏକୋଇଶ ବାର ପୃଥିବୀରେ ଯୋଦ୍ଧା କ୍ଷତ୍ରୀୟଙ୍କୁ ନିପାତ କରିଥିଲେ । ସପ୍ତମ ଅବତାର ଶ୍ରୀରାମ । ଏହା ପୂର୍ଣ୍ଣ ମାନବ ଅବତାର; ଆଦର୍ଶ ପୁତ୍ର, ଭ୍ରାତା, ସ୍ୱାମୀ, ପିତା, ରାଜା ଇତ୍ୟାଦି । ତେଣୁ ସେ ମର୍ଯ୍ୟାଦା ପୁରୁଷୋତମ । ମାନବ ସମାଜକୁ ସ୍ଥାୟୀ କରିବା ପାଇଁ ପ୍ରଥମ ଆବଶ୍ୟକତା ଖାଦ୍ୟ । ଅଷ୍ଟମ ଅବତାର ବଳରାମଙ୍କ ଆୟୁଧ ହଳ ହିଁ କୃଷିର ସଂକେତ । ଶ୍ରୀକୃଷ୍ଣ ଅବତାର ନୁହଁନ୍ତି, ଅବତାରୀ, ଭଗବାନ । ତାଙ୍କରି ଠାରୁ ଅଂଶସ୍ୱରୂପ ଅନ୍ୟ ଅବତାରମାନେ ଆସିଛନ୍ତି । ମନର ଉତ୍କର୍ଷ ବୁଦ୍ଧିର ପ୍ରକାଶ ହେଉଛି ନବମ ଅବତାର ବୁଦ୍ଧ । ମନ, ବୁଦ୍ଧିର ପରେ ଆଗାମୀ ଅବତାର ହେଉଛନ୍ତି କଳ୍‌କୀ, ଯିଏ ମ୍ଳେଛ ବା କୁତ୍ସିତ, କଦର୍ଯ୍ୟ, ପାପ, ଅନ୍ଧକାରକୁ ନାଶ କରିବେ ।

କୋଟି କୋଟି ବର୍ଷ ବିବର୍ତିତ ହୋଇ ହୋଇ ବର୍ତମାନ ସ୍ତରରେ ମାନବ ଆସି ପହଂଚିଛି । ଯାହା କିଛି ହୋଇଛି, ସବୁ ପ୍ରକୃତିମା’ ଦ୍ୱାରା ହେଉଛି – ‘ପ୍ରକୃତେଃ କ୍ରିୟମାଶାନି’ । ଛୋଟ ଶିଶୁଟିକୁ ସ୍ନେହ, ମମତା ଦେଇ ପ୍ରକୃତି ମା’ ଆମମାନଙ୍କୁ ଏହି ଅବସ୍ଥାକୁ ଆଣିଛି । କିନ୍ତୁ ଆମେ ଅମାନିଆ ପୁଅଝିଅମାନେ ଅନେକ ସମୟରେ ମା’ କଥା ମାନୁ ନାହୁଁ । ନିଜକୁ ଖୁବ୍ ବୁଦ୍ଧିମାନ ବୋଲି ଭାବି ମା’ର ନିୟମକୁ ଭଙ୍ଗ କରୁଛୁଁ । ମା’ କେତେ ତାଗିଦ୍ ନ କରୁଛି! ବନ୍ୟା, ବାତ୍ୟା, ମରୁଡି, ଦୁର୍ଭିକ୍ଷ, ସୁପର ସାଇକ୍ଳୋନ୍ ଇତ୍ୟାଦି ଇତ୍ୟାଦି । ଆମେ କିଛି ଶୁଣୁନୁଁ । ତେଣୁ ଗ୍ଲୋବାଲ୍ ୱାର୍ମିଂ ଠାରୁ ଆରମ୍ଭ କରି ଏବେ କରୋନା ଭୋଗିଲା ବେଳକୁ କାନ୍ଦୁଛୁଁ । ପ୍ରକୃତି ମା’ କିନ୍ତୁ ମମତାମୟୀ, ସ୍ନେହମୟୀ । ଡରାଇବା ପାଇଁ ରାଗ ଦେଖାଇ ଛାଟରେ ବେଳେବେଳେ ପିଟିଦେଲେ ବି ଆମ ଅଜାଣତରେ ଆମରି ଭଲ କରୁଛି । କହି କହି ନ ମାନିବାରୁ ମା’ କରୋନା ପଠାଇଲା । କରୋନାକୁ ଡରିଲୁ, ମୁହଁରେ ତୁଣ୍ଡି ବାନ୍ଧିଲୁ, ପରଷ୍ପର ଠାରୁ ଅସ୍ଫୃଶ୍ୟ ହେଲୁ, ଆହୁରି କେତେ କ’ଣ । ପରନ୍ତୁ, ମା’ର ଶିତଳଭଣ୍ଡାର ଗ୍ଲୋସିୟର ତରଳିବା କମିଲା, ଆକାଶ, ବାୟୁ, ପୂରା ଶୁଦ୍ଧ ହୋଇଗଲେ, ଜଳ ସ୍ୱଚ୍ଛ ହୋଇଗଲା, ମାଟି ପରିଚ୍ଛନ୍ନ ହୋଇଗଲା । ପଂଚ ମହାଭୂତ ପ୍ରଦ୍ୟୁଷଣରୁ ମୁକ୍ତ ହେଲେ, ମା’ର ଅନ୍ୟ ସନ୍ତାନମାନେ ଆଶ୍ୱସ୍ତିର ନିଃଶ୍ୱାସ ମାରିଲେ ।

ମା! ତୋତେ କୋଟି କୋଟି ପ୍ରଣାମ ।

ସା : ତରାପୁର, ପୋ.ଅ.: ଲକ୍ଷ୍ମୀନଗର, ଜିଲ୍ଲା : ଯାଜପୁର, ମୋ : ୯୯୩୭୫୯୩୪୯୩

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.