Latest Odisha News

ଶେଷରେ ଧରାପଡ଼ିଲା ବାଘୁଣୀ ସୁନ୍ଦରୀ, ନନ୍ଦନକାନନ ନେବାକୁ ବନବିଭାଗର ପ୍ରସ୍ତୁତି

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରେ ଚାଲିଥିବା ‘ମିଶନ୍ ସୁନ୍ଦରୀ’ ଅଭିଯାନର ପରିସମାପ୍ତି ଘଟିଛି । ଶେଷରେ ସୁନ୍ଦରୀ ବାଘୁଣୀ ଧରାଦେଇଛି । ଦୀର୍ଘ ୨ସପ୍ତାହବ୍ୟାପୀ ଚାଲିଥିବା ଏହି ଅଭିଯାନରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ ଯୋଗେ କାବୁ କରାଯାଇପାରିଛି ।

ମିଳିଥିବା ସୂଚନାନୁଯାୟୀ, କୁମକୀ ହାତୀ ଯଶୋଦା ସାହାଯ୍ୟରେ ବାଘୁଣୀ ସୁନ୍ଦରୀକୁ ଗତ ୩ଦିନ ଧରି ଟ୍ରାଙ୍କୁଲାଇଜ୍ କରିବାକୁ ଅକ୍ଳାନ୍ତ ଉଦ୍ୟମ କରିଥିଲେ । ପୂର୍ବଦିନ ରାତିରେ ସୁନ୍ଦରୀ ଟ୍ରାଙ୍କୁଲାଇଜ୍ ହେବାରୁ ଅଳ୍ପକେ ଖସିଯାଇଥିଲା ।

କୁମକୀ ହାତୀ ଯଶୋଦା ଉପରେ ବସି ବିଶେଷଜ୍ଞ ଦଳ ଟ୍ରାଙ୍କୁଲାଇଜ୍ କରିବାକୁ ଗତ ରାତି ତମାମ ଉଦ୍ୟମ ଜାରି ରଖିଥିଲେ ।

ସାତକୋଶିଆ ଅଭୟାରଣ୍ୟରେ ଥିବା ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ମଝିପଡ଼ା ଶିବ ମନ୍ଦିର ନିକଟରେ ବିଶେଷଜ୍ଞ ଦଳ ସୁନ୍ଦରୀ ବାଘୁଣୀକୁ ଟ୍ରାଙ୍କୁଲାଇଜ କରିବାକୁ ସକ୍ଷମ ହୋଇଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ସାତକୋଶିଆ ଅଭୟାରଣ୍ୟର ଆଖପାଖ ଗ୍ରାମରେ ଗତ କିଛିଦିନ ଧରି ଆତଙ୍କ ଖେଳାଇଥିବା ବାଘୁଣୀ ସୁନ୍ଦରୀକୁ ଧରିବାରେ ଅକ୍ଷମ ହୋଇଥିଲେ ବନବିଭାଗ କର୍ମଚାରୀ । ରାଜ୍ୟ ବାହାରୁ ଆସିଥିଲେ ବିଶେଷଜ୍ଞ ଦଳ ବାଘୁଣୀକୁ କାବୁ କରିବାକୁ । ତେବେ ସବୁକିଛି ଉଦ୍ୟମ ବୃଥା ଗଲାପରେ ଶେଷରେ କୁମକୀ ହାତୀ ଯଶୋଦାର ସହାୟତାର ନିଆଯାଇଥିଲା ।

ମିଳିଥିବା ସୂଚନାନୁସାରେ, ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବାରେ ସଫଳତା ହାସଲ କରିବା ପରେ ଏବେ ବନବିଭାଗ ତରଫରୁ ସୁନ୍ଦରୀକୁ ରାଇଗୁଡ଼ାର ଏନକ୍ଲୋଜରକୁ ନିଆଯାଉଛି । ପରେ ନନ୍ଦନକାନନ ନେବାର ସମସ୍ତ ବ୍ୟବସ୍ଥା ସରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.