Latest Odisha News

BREAKING NEWS

ଯାଇଥିଲେ ଦେଖିବାକୁ ମହାପ୍ରଭୁଙ୍କ ରଥଯାତ୍ରା, ସବୁଦିନ ପାଇଁ ହରାଇଲେ ଆଖି

ଜଗତସିଂହପୁର : ଗୁଣ୍ଡିଚା ଯାତ୍ରା ଦେଖିବା ସାଜିଲା କାଳ । ଚାଲିଗଲା ଦୃଷ୍ଟିଶକ୍ତି । କର୍ମଚାରୀଙ୍କ ବେପରୁଆ ଜଳ ସିଞ୍ଚନ ଛଡ଼ାଇନେଲା କୃଷ୍ଣଚନ୍ଦ୍ରଙ୍କ ଆଖି । ବିତିଲାଣି ବର୍ଷେ  । ମିଳୁନି ସହାୟତା । ଏନେଇ ଭାଗ୍ୟକୁ ଆଦରି ପଡିରହିଛନ୍ତି କୃଷ୍ଣଚନ୍ଦ୍ର ।

ଆମେ କହୁଛୁ ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଶାଳଜଙ୍ଗ ପଞ୍ଚାୟତ ମାଳିତୋଟା ଗାଁର କୃଷ୍ଣଚନ୍ଦ୍ର ରଣାଙ୍କ କଥା । ଗତବର୍ଷ ପୁରା ପରିବାରକୁ ନେଇ ଶ୍ରୀଗୁଣ୍ଡିଚା ରଥଯାତ୍ରା ଦେଖିବାକୁ ଯାଇଥିଲେ ପୁରୀ । ରଥଯାତ୍ରା ଦେଖିବା ଲାଗି ବଡ଼ ଦାଣ୍ଡରେ ବୁଲିବା ସମୟରେ ଓଡ଼ିଶା ସରକାରଙ୍କ ଅଗ୍ନିଶମ କର୍ମଚାରୀଙ୍କ ଦ୍ଵାରା ଲୋକଙ୍କ ଉପରକୁ ଜଳ ସିଞ୍ଚନ କରାଯାଇଥିଲା।

କର୍ମଚାରୀଙ୍କ ଦ୍ଵାରା ଜଳ ସିଞ୍ଚନ କରାଯାଉଥିବା ସମୟରେ ପାଇପ୍ର ନୋଜଲ ବାହାରି କୃଷ୍ଣ ଚନ୍ଦ୍ରଙ୍କ ଡାହାଣ ପଟ ଆଖିରେ ଜୋରରେ ମାଡ଼ ହୋଇଥିଲା। କୃଷ୍ଣଚନ୍ଦ୍ର ପଡ଼ିଯିବା ପରେ ଉପସ୍ଥିତ ଥିବା ସ୍ଵେଚ୍ଛାସେବୀ ମାନେ ତାଙ୍କୁ ଚିକିତ୍ସା ପାଇଁ ପୁରୀ ଡାକ୍ତର ଖାନାକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ। ପରେ କଟକ ବିଡାନାସୀ ସ୍ଥିତ ଏକ ଘରୋଇ ଚକ୍ଷୁ ଚିକିତ୍ସା କେନ୍ଦ୍ରରେ ପରୀକ୍ଷା କରିବାରୁ ତାଙ୍କ ଡ଼ାହାଣ ପଟ ଆଖିର ରେଟିନା ନଷ୍ଟ ହୋଇଥିବା ସହିତ ଦୁଇଟି ଶିର ଛିଡ଼ ଯାଇଥିବା ଜଣାପଡିଛି।

ଫୁଲ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା କୃଷ୍ଣଚନ୍ଦ୍ର ଏବେ ରୋଜଗାରହରା ହୋଇ ଘରେ ବସିଛନ୍ତି। ପୁଅର ଏଭଳି ଦୁର୍ଦ୍ଦଶା ଦେଖି ବୃଦ୍ଧ ବାପାଙ୍କର ହୃଦଘାତରେ ପରଲୋକ ଘଟିଲା। ଘରେ ବୃଦ୍ଧା ମା’ ଓ ତାଙ୍କର ସ୍ତ୍ରୀ ଫୁଲମାଳ ଗୁନ୍ଥି ବିକ୍ରୀ କରି ଯାହା ଦି ପଇସା ରୋଜଗାର କରୁଛନ୍ତି ସେଥିରେ ଚଳୁଛି ପରିବାର। କିଛି ସରକାରୀ ସାହାଯ୍ୟ ମିଳିଲେ ପରିବାର ଟିକେ ଖୁସିରେ ଚଳନ୍ତା ବୋଲି ଦୁଃଖ ଭରା କଣ୍ଠରେ କହିଛନ୍ତି କୃଷ୍ଣଚନ୍ଦ୍ର ଓ ତାଙ୍କ ପତ୍ନୀ।

ସରକାରୀ ସହାୟତା ଯେପରି ସାତ ଶପନ ପାଲଟିଛି ଏହି ପରିବାର ପାଇଁ। କୃଷ୍ଣଚନ୍ଦ୍ର ଜାତୀୟ ମାନବାଧିକାର କମିଶନ, ରାଜ୍ୟ ମାନବାଧିକାର କମିଶନ, ଜିଲ୍ଲାପାଳ, ବିଡ଼ିଓ ତଥା ବିଭିନ୍ନ ଅଧିକାରୀଙ୍କୁ ଲିଖିତ ଅବଗତ କରିଥିଲେ ସୁଦ୍ଧା ଫଳ ଶୂନ୍ୟ।କେବେ ପ୍ରଶାସନର ନିଦ ଭାଙ୍ଗିବ ଆଉ ତାଙ୍କ ପରିବାରକୁ କ୍ଷତିପୂରଣ ମିଳିବ ତାକୁ ନେଇ ଚିନ୍ତାରେ ପରିବାର ।

ଏହି ଘଟଣାକୁ ବର୍ଷେ ପୁରିବାକୁ ବସିଥିବା ବେଳେ କୃଷ୍ଣଚନ୍ଦ୍ରଙ୍କ ପରିବାର ପ୍ରତି ପ୍ରଶାସନର କୌଣସି ତତ୍ପରତା ଦେଖିବାକୁ ମିଳିନାହିଁ । କେବେ ପ୍ରଶାସନ ଏହି ପରିବାରକୁ ସହାୟତା ଯୋଗାଇଦେବ ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.