Latest Odisha News

BREAKING NEWS

ଶରଦ ପାୱାରଙ୍କ ଷ୍ଟ୍ରାଇକରେ ଫସିଲେ ଅଜିତ୍ ପାୱାର!

ମୁମ୍ବାଇ: ପ୍ରଥମେ ମେ ୨ରେ ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ଶରଦ ପାୱାର । ଆଉ ଏବେ ଝିଅ ସୁପ୍ରିୟା ସୁଲେଙ୍କ ସହ ବରିଷ୍ଠ ଏନସିପି ନେତା ପ୍ରଫୁଲ୍ଲ ପଟେଲଙ୍କୁ, ଶରଦ ପାୱାର ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଘୋଷଣା କରିଛନ୍ତି ।

ଆଉ ଶରଦ ପାୱାରଙ୍କ ଏହି ଘୋଷଣା ପୁତୁରା ଅଜିତ୍ ପାୱାରଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ସୃଷ୍ଟି କରିଛି ଅନେକ ପ୍ରଶ୍ନ । ଅଜିତ୍ ପାୱାରଙ୍କୁ ଶରଦ ପାୱାରଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ବିବେଚନା କରାଯାଏ । ମେଣ୍ଟ ସରକାରରେ ଏନସିପି କୋଟାରେ ଅଜିତ୍ ପାୱାର ଉପମୁଖ୍ୟମନ୍ତ୍ରୀ ଥିବା ବେଳେ ଏବେ ବିଧାନସଭାରେ ବିରୋଧୀ ଦଳ ନେତା ଅଛନ୍ତି ।

ଏପଟେ ଶରଦ ପାୱାରଙ୍କ ଘୋଷଣା ପରେ ସୁପ୍ରିୟା ଏବେ ଏନସିପିର ନେତା ନମ୍ବର ଦୁଇ । ୨୫ ବର୍ଷରେ ପ୍ରଥମଥର ପାଇଁ ଏନସିପି କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ସୃଷ୍ଟି କରିଥିବା ବେଳେ ସୁପ୍ରିୟାଙ୍କ ବ୍ୟତୀତ ସୁନୀଲ ତଟକରେଙ୍କୁ ବଡ଼ ଦାୟିତ୍ୱ ଦିଆଯାଇଛି । ଉଭୟ ହେଉଛନ୍ତି ଅଜିତ୍ ପାୱାରଙ୍କ ବିରୋଧୀ ଗୋଷ୍ଠୀର ନେତା ।

ଶରଦ ପାୱାର କ୍ଷମତା ବଣ୍ଟନ କରିଥିବା ବେଳେ ଅଜିତଙ୍କ ବିଶ୍ୱସ୍ତଙ୍କୁ ସେମିତି କିଛି ମିଳିନାହିଁ । ପାୱାରଙ୍କ ଇସ୍ତଫା ପର ଠାରୁ ଅଜିତ ବ୍ୟାକଫୁଟରେ ରହିଥିବା ବେଳେ ଏବେ ସୁପ୍ରିୟାଙ୍କୁ ନେଇ ପାୱାରଙ୍କ ନିଷ୍ପତ୍ତି ଅଜିତଙ୍କ ପାଇଁ ରାଜନୈତିକ ସମସ୍ୟା ଭାବେ ଉଭା ହୋଇଛି ।

ଅଜିତଙ୍କ ରାଜନୈତିକ ଜୀବନର ୧୬ ବର୍ଷ ପରେ ସୁପ୍ରିୟା ରାଜନୀତିକୁ ଆସିଥିଲେ । କିନ୍ତୁ ଏବେ ଶରଦ ପାୱାରଙ୍କ ଗୋଟି ଚାଳନା ଅଜିତଙ୍କୁ ଏକପ୍ରକାର ଅପମାନିତ କରିଥିବା ଚର୍ଚ୍ଚା ହେଉଛି । ଭିତରେ ଭିତରେ ଅଜିତ ଜଳୁଥିଲେ ବି ବାହାରେ ସେନେଇ ମୁହଁ ଖୋଲୁ ନାହାନ୍ତି ।

ପୂର୍ବରୁ ମହାରାଷ୍ଟ୍ର ରାଜନୀତି ଠାରୁ ସୁପ୍ରିୟା ଦୂରେଇ ରହିଥିବା ବେଳେ ଅଜିତ ପାୱାର, ଜୟନ୍ତ ପାଟିଲଙ୍କ ପରାମର୍ଶରେ ନିଷ୍ପତ୍ତି ନେଉଥିଲେ ଶରଦ ପାୱାର । ଏବେ ପାୱାର ସୁପ୍ରିୟା ସୁଲେଙ୍କୁ ମହାରାଷ୍ଟ୍ର ଏନସିପି ମୁଖ୍ୟ ଦାୟିତ୍ୱ ଦେଇଛନ୍ତି । କାର୍ଯ୍ୟକାରୀ ଅଧ୍ୟକ୍ଷ ସହ ମହାରାଷ୍ଟ୍ର, ହରିୟାଣା ଓ ପଞ୍ଜାବ ଦାୟିତ୍ୱ ମିଳିଛି ସୁପ୍ରିୟା ସୁଲେଙ୍କୁ ।

ଗତ ମେ ୨ରେ ଶରଦ ପାୱାର ଦଳରୁ ଇସ୍ତଫା ଦେବା ପରେ ଚର୍ଚ୍ଚା ହେଉଥିଲା ଅଜିତ ପାୱାରଙ୍କୁ ଦଳ ମହାରାଷ୍ଟ୍ରର ମଙ୍ଗ ଦେଇ ସୁପ୍ରିୟାଙ୍କୁ ଅଧ୍ୟକ୍ଷ ପଦ ଦେବେ । ଏବେ କିନ୍ତୁ ପାୱାରଙ୍କ ନିଷ୍ପତ୍ତି ଖାଲି ଅଜିତ୍ କାହିଁକି ତାଙ୍କ ଗୋଷ୍ଠୀକୁ ପୂରା ଚକମା ଦେଇଛି ।

Leave A Reply

Your email address will not be published.