Latest Odisha News

BREAKING NEWS

ଫିଫାକୁ ୟୁରୋପୀୟ ଫୁଟବଲ୍ ଆସୋସିଏସନର ବଡ଼ ଝଟ୍‌କା

ଲଣ୍ଡନ: ଫିଫା ଏବଂୟୁରୋପୀୟ ଫୁଟବଲ ଆସୋସିଏସନ ମଧ୍ୟରେ ବିବାଦ ନୂଆ ମୋଡ଼ ନେଇଛି । ଫିଫାର ବିଶ୍ୱକପ୍ ଏବଂ ଅନ୍ୟାନ୍ୟ ପ୍ରତିଯୋଗିତାଗୁଡ଼ିକରେ ଘରୋଇ ନିବେଶକଙ୍କୁ ସେୟାର ବିକ୍ରି କରିବାର ପ୍ରସ୍ତାବକୁ ୟୁଇଏଫଏର ୫୫ଟି ଯାକ ସଦସ୍ୟ ଦେଶ ଦୃଢ଼ ବିରୋଧ କରିଛନ୍ତି । ଯଦି ଫିଫା ଏହି ପ୍ରସ୍ତାବରେ ଆଗକୁ ବଢ଼େ, ତେବେ ପୁରୁଷ ଓ ମହିଳା ବିଶ୍ୱକପ୍ ସମେତ ସମସ୍ତ ଫିଫା ଟୁର୍ନାମେଣ୍ଟକୁ ବୟକଟ୍ କରାଯିବ ବୋଲି ୟୁଇଏଫଏ ଚେତାବନୀ ଦେଇଛି । ଏକ ଜରୁରୀକାଳୀନ ବୈଠକ ପରେ ୟୁଇଏଫଏଏକ ସରକାରୀ ବିବୃତି ଜାରି କରି କହିଛି ଯେ, ଆମେ ଏକଜୁଟ୍ ଅଛୁ । ବିଶ୍ୱକପକୁ ବ୍ୟବସାୟୀର ପେଣ୍ଠସ୍ଥଳୀ ଭାବେ ଗ୍ରହଣ କରାଯାଇପାରିବ ନାହିଁ । ଏହା ଖେଳାଳି, ଜାତୀୟ ଦଳ ଏବଂ ପ୍ରଶଂସକଙ୍କ ଦ୍ୱାରା ଗଢ଼ାଯାଇଥିବା ଏକ ଐତିହ୍ୟ । ବିଶ୍ୱକପ୍‌ର କୌଣସି ଅଂଶ ଘରୋଇ ନିବେଶକଙ୍କୁ ଦିଆଯାଇପାରିବ ନାହିଁ ।

ଫିଫା ସଭାପତି ଜିଆନି ଇନଫାଣ୍ଟିନୋ ୨୧୧ଟି ସଦସ୍ୟ ଦେଶକୁ ଚିଠି ଲେଖି ଜଣାଇଥିଲେ ଯେ, ଯେଉଁ ସଂଘଗୁଡ଼ିକ ଏହି ପ୍ରସ୍ତାବକୁ ସମର୍ଥନ କରିବେ ସେମାନଙ୍କୁ ୪୦ ନିୟୁତ ଡଲାର (ପ୍ରାୟ ୩୩୦ କୋଟି ଟଙ୍କା) ମିଳିବ । ସେପ୍ଟେମ୍ବର ୧୯ ସୁଦ୍ଧା ମଞ୍ଜୁରୀ ମିଳିଲେ ପ୍ରଥମ କିସ୍ତି ଭାବେ ୨୦ ନିୟୁତ ଡଲାର ଅକ୍ଟୋବର ଶେଷ ସୁଦ୍ଧା ପ୍ରଦାନ କରାଯିବ ବୋଲି ଫିଫା ଯୋଜନା କରିଥିଲା । ଏହାକୁ ନେଇ ୟୁଇଏଫଏ ଅଭିଯୋଗ କରିଛି ଯେ ଫିଫା ନିଜର ଓ ନିଜ ସାଙ୍ଗମାନଙ୍କ ସ୍ୱାର୍ଥ ପାଇଁ ଫୁଟବଲ୍‌କୁ ବ୍ୟବହାର କରୁଛି । ଯଦି ସେପ୍ଟେମ୍ବରରେ ଫିଫାର ଏହି ପ୍ରସ୍ତାବ ପାରିତ ହୁଏ, ତେବେ ଅକ୍ଟୋବରରେ ହେବାକୁ ଥିବା ମହିଳା ବିଶ୍ୱକପ୍ କ୍ୱାଲିଫାୟରରୁ ୟୁରୋପୀୟ ଦଳଗୁଡ଼ିକ ଓହରି ଯାଇପାରନ୍ତି । ଏହା ହେଲେ ବିଶ୍ୱ ଫୁଟବଲର ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହେବ ।

Leave A Reply

Your email address will not be published.