Latest Odisha News

BREAKING NEWS

ସମସ୍ତ ସରକାରୀ ହାଇସ୍କୁଲ ପାଇବ ନୂଆ ରୂପ, ‘ସ୍କୁଲ ଟ୍ରାନ୍ସଫର୍ମେସନ’ କାର୍ଯ୍ୟକ୍ରମ ଅନୁଷ୍ଠିତ 

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ‘ହାଇସ୍କୁଲ ଟ୍ରାନ୍ସଫର୍ମେସନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାରେ ଥିବା ସମସ୍ତ ସରକାରୀ ଉଚ୍ଚବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ଓ ଶୈକ୍ଷିକ ପରିବେଶରେ ଉନ୍ନତି ପାଇଁ ଖସଡ଼ା ପ୍ରସ୍ତୁତ କରାଯାଉଛି । ଯାହାଫଳରେ ସ୍କୁଲର ପରିବେଶକୁ ଆକର୍ଷଣୀୟ କରାଯିବା ସହ ଗୁଣାତ୍ମକ ଶିକ୍ଷାକୁ ପ୍ରୋତ୍ସାହନ ମିଳିବ । ରାଜ୍ୟ ସରକାରଙ୍କ ‘୫-ଟି’ ଓ ‘ମୋ ସରକାର’ ଅଭିଯାନ ଅଧୀନରେ ସୁନ୍ଦରଗଡ଼ରେ ‘ହାଇସ୍କୁଲ ଟ୍ରାନ୍ସଫର୍ମେସନ’ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଏନେଇ ଗତକାଲି ସ୍ଥାନୀୟ ବିକାଶ ଭବନରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା । ‘ହାଇସ୍କୁଲ ଟ୍ରାନ୍ସଫର୍ମେସନ’ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ଏଥିରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।

ସ୍ମାର୍ଟ କ୍ଲାସରୁମରେ ପାଠପଢ଼ା ସହ ଇ-ଲାଇବ୍ରେରି, ବିଜ୍ଞାନାଗାର, ଖେଳପଡ଼ିଆ, ପାନୀୟ ଜଳ ଏବଂ ସ୍ୱଚ୍ଛ ଶୌଚାଳୟ ଆଦି ବିଷୟ ଲାଗି ପ୍ରାଥମିକତା ଦିଆଯାଉଛି । ଆସନ୍ତା ଦୁଇ ବର୍ଷ ଭିତରେ ଏହା ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ବୈଠକରେ ଆଲୋଚନା ବେଳେ କହିଥିଲେ ।

ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ, ବିଭିନ୍ନ ବ୍ଲକର ବିଡିଓ, ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ସ୍ଥାନୀୟ ସରପଞ୍ଚମାନେ ଯୋଗ ଦେଇଥିଲେ ।

ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ମୋଟ ୪୮୨ଟି ଉଚ୍ଚବିଦ୍ୟାଳୟ ରହିଛି । ତା’ ଭିତରୁ ସରକାରୀ, ଅନୁଦାନପ୍ରାପ୍ତ ଓ ଟିଆର୍‌ଡବ୍ଲ୍ୟୁ ହାଇସ୍କୁଲକୁ ମିଶାଇ ମୋଟ ୩୮୩ଟି ସ୍କୁଲରେ ଏହି ନବୀକରଣ କାର୍ଯ୍ୟ କରାଯିବ । ଏହି କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ) ଏବଂ ଓମ୍ବାଡ୍‌ସି ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ପ୍ରଥମ ପର୍ଯ୍ୟାୟରେ ୪୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ହାତକୁ ନେଇଛି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ । ସେପ୍ଟେମ୍ବର ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ରାଜ୍ୟରେ ଥିବା ସରକାରୀ ହାଇସ୍କୁଲଗୁଡ଼ିକର ଉନ୍ନତିକରଣ ସହ ସ୍କୁଲ ପରିବେଶକୁ ସମ୍ପୂର୍ଣ୍ଣ ନୂଆ ରୂପ ଦେବା ପାଇଁ ରାଜ୍ୟ ସରକାର ବିଶେଷ ଅଭିଯାନ ଆରମ୍ଭ କରିଛନ୍ତି । ଜିଲ୍ଲାରେ ଥିବା ସମସ୍ତ ସରକାରୀ ହାଇସ୍କୁଲକୁ ଏହି ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ କରାଯିବ । ସ୍କୁଲ ପାଇଁ ଆବଶ୍ୟକ ଭିତ୍ତିଭୂମିକୁ ସୁନିଶ୍ଚିତ କରିବା ସହ ଶିକ୍ଷାନୁଷ୍ଠାନ କିପରି ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଆକର୍ଷଣୀୟ ହୋଇପାରିବ, ତା’ ଉପରେ ଗୁରୁତ୍ୱ ଦିଆଯାଉଛି ।

Leave A Reply

Your email address will not be published.