Latest Odisha News

BREAKING NEWS

ଏକାକୀ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’  

ମଝିରେ ମଝିରେ ଏମିତି ଦେହ ଖରାପ ହୁଏ ଯେ, ସିଂହ ଭଳି ଲୋକଟା ହଠାତ୍ କତରାଲଗା ହୋଇଯାଏ । ଚେଷ୍ଟା କଲେ ବି କଥା କହିପାରେନି। ଶେଯରୁ ଉଠି ଘର ବାହାରକୁ ପାଦ ରଖିବା ବି ସମ୍ଭବ ହୁଏନି। ପାଖରେ ପାଣି ଟୋପାଏ ତତେଇ ଦେଇ ଥୋଇଦେବାକୁ କେହି ନାହିଁ। ହଁ, ଯଦି ପୁତୁରା ଝିଆରୀ ପାଖରେ ସମୟ ଥିବ, ତାହେଲେ କେହି ଆସି ଟିକିଏ ପାଣି ପଣା ଦେଇଯିବେ। ନହେଲେ ପାଖରେ ଆଉ କାହାର ଦେଖାନାହିଁ। ଥରେ ଦେହ ଖରାପ ହେଲେ ତିନି ଚାରି ଦିନ ଯାଏଁ ଉଠିବା ସମ୍ଭବ ହୁଏନି। ତଥାପି ମନଉଣା ନାହିଁ। ପିଲାଦିନରୁ ଶରୀରଟା ଏତେ କାମ କରିଛି ଯେ, କେଉଁ ଜିମ୍ କି ଆଖଡ଼ାକୁ ଯିବାକୁ ପଡ଼ିନି। ଶରୀରଟା ଆପେ ଆପେ ଗଢ଼ି ହୋଇଯାଇଛି ବଣର କଣ୍ଟା ଆପେ ଆପେ ଗୋଜିଆ ହେଲା ଭଳି। ଭାଇମାନଙ୍କ ସହିତ କ୍ଷେତରେ ଲହୁ ଲୁହାଣ ହୋଇ ଖଟି ଖଟି ପଥର ହୋଇଯାଇଛି ଶରୀର। ତେଣୁ ପରିଣତ ବୟସରେ ଯେତେ ଶାରୀରିକ ଯନ୍ତ୍ରଣା ହେଲେ ମଧ୍ୟ, ଶରୀରଟା ପୁଣି ଥରେ ଝାଡ଼ିଝୁଡ଼ି ହୋଇ ଠିଆ ହୋଇପଡୁଛି।

ସବୁବେଳେ କଣ ସମୟ ସମାନ ଥାଏ? ଏବେ ଦେବରାଜ ଦଳବେହେରାଙ୍କ ଆଉ ସେ ଶାରୀରିକ ଦକ୍ଷତା ନାହିଁ। ବୟସ ପଚାଶ ପାର ହେଲାଣି। ତେଣୁ ଏଥର ଦେହ ଖରାପ ହେଲେ ଉଠିଲା ବେଳକୁ ତିନି ଦିନ ସ୍ଥାନରେ ପାଞ୍ଚଦିନ ଲାଗି ଯାଉଛି। ଉଠିଲା ପରେ ବି ସେ ପୁରୁଣା ଦମ୍ଭ ଆଉ ରହୁନି। ଏଇ ଚାରିଦିନ ହେଲା ଅସୁସ୍ଥ ରହିବା ପରେ ଶ୍ରୀପଞ୍ଚମୀ ଦିନ ଉଠି ବସିଛନ୍ତି ଦେବରାଜ। ସେ ରହୁଥିବା କୋଠରୀ ଭିତରେ ଅହେତୁକ ଅନ୍ଧାର। ରାତି ପାହି ଦୁଇ ଘଡ଼ି ହେଲାଣି। ତଥାପି କବାଟ ଝରକା କିଛି ନ ଖୋଲିବାରୁ ଘର ଭିତରକୁ ଆଲୁଅ ଆସୁନି। ସେହି ଅନ୍ଧାର ଭିତରେ ବସି ଭାବୁଛନ୍ତି ଦେବରାଜ। ପାଇଲି କଣ, ହରାଇଲି କ’ଣ? ଜୀବନର ହିସାବ ନିକାଶ କରିବାକୁ ଭାରି ଇଛା ହେଉଛି ତାଙ୍କର। ଏତିକି ବେଳେ ତାଙ୍କ ଆଖି ସାମ୍ନାରେ ନାଚି ଉଠୁଛି ପୁରୁଣା ଦିନ ସବୁ।

ବଡ଼ ଭାଇମାନେ ଯିଏ ଯାହାର ସଂସାରରେ ବ୍ୟସ୍ତ। ବାପା ମାଆ କେଉଁକାଳୁ ଚାଲିଗଲେଣି। ନିଜର ଯେତେବେଳେ ପାଠପଢ଼ା ବୟସ ଥିଲା, ସେତେବେଳେ ନାଚଗୀତ, ଖେଳକୁଦ କରି ସମୟ ଚାଲିଗଲା। ସବୁଠୁ ବଡ଼କଥା ହେଲା, ଘରେ ପଛେ ହଜାରେ ସମସ୍ୟା ଥାଉ, ସେ ସମସ୍ୟାର କୌଣସି ସମାଧାନର ପନ୍ଥା ନଥାଉ, କିନ୍ତୁ ଗାଁ ପାଇଁ କୌଣସି ସମସ୍ୟା ଆସିବାକୁ ହେବ ନାହିଁ। ଯଦି ସମସ୍ୟା ଆସେ, ତାହେଲେ ତା ସାମ୍ନାରେ ପ୍ରାଚୀର ଭଳି ଠିଆ ହେବା ପାଇଁ ସବୁବେଳେ ପ୍ରସ୍ତୁତ ଦେବରାଜ। ହଁ, ବିଷ୍ଣୁପୁର ଗାଁରେ ପ୍ରାୟ ଚାଳିଶ ବର୍ଷ ହେଲାଣି ସବୁ ସମସ୍ୟାର ମୁକାବିଲା କରିବା ପାଇଁ ଅଣ୍ଟାଭିଡ଼ି ଠିଆ ହୋଇଛନ୍ତି ଦେବରାଜ ଦଳବେହେରା। ସେଥିପାଇଁ ଗାଁ ପିଲାଙ୍କୁ ନେଇ ସଂଗଠିତ ଭାବେ ଗାଁର ଉନ୍ନତି ପାଇଁ ବିଭିନ୍ନ କାମକୁ ହାତକୁ ନେଇଛନ୍ତି ସେ। ପିଲାମାନଙ୍କ ସଂଗଠନକୁ ଏତେ ମଜଭୁତ କରିଛନ୍ତି ଯେ, ସେଇମାନଙ୍କ ଅନୁରୋଧରେ ଗାଁର ପାରମ୍ପରିକ ରାଜନୀତି କରୁଥିବା ବୟୋବୃଦ୍ଧମାନଙ୍କ ବଦଳରେ ଯୁବନେତୃତ୍ୱ ନେଇଛନ୍ତି ସେ। ଏଥିପାଇଁ ଗାଁର ପିଲାମାନେ ହିଁ ତାଙ୍କୁ ସମର୍ଥନ ଓ ସହଯୋଗ ବି କରିଛନ୍ତି। ଫଳରେ ଗାଁର ଯୁବନେତା ଭାବେ ଅଭ୍ୟୁଦୟ ଘଟିଛି ଦେବରାଜଙ୍କର। ସବୁ କଥାରେ ଖୋଜା ପଡ଼ିଛି ତାଙ୍କୁ। ଦେବରାଜଙ୍କ ଅନୁପସ୍ଥିତିରେ ଅନେକ ସମୟରେ କୌଣସି କାମ ହୋଇପାରିନି। ଯଦି କୌଣସି କାରଣ ବଶତଃ ଗାଁରେ ଯୁବକମାନଙ୍କ ମଧ୍ୟରେ ତିକ୍ତତା ବଢ଼ିଛି ବା ଗୋଷ୍ଠୀ କନ୍ଦଳ ମୁଣ୍ଡଟେକି ଉଠିଛି, ସେଭଳି କ୍ଷେତ୍ରରେ ପ୍ରଥମେ ସାମ୍ନାକୁ ଆସିଛନ୍ତି ଦେବରାଜ। ଉଭୟ ପକ୍ଷ ସହିତ ଆଲୋଚନା କରି, କଥାବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ରାସ୍ତା ବାହାର କରିଛନ୍ତି ସେ।

କେବଳ ଗାଁ ନୁହେଁ, ଦେବରାଜଙ୍କ ନେତୃତ୍ୱକୁ ସ୍ଥାନୀୟ ଅଞ୍ଚଳର ଲୋକମାନେ ଖୁବ୍ ପ୍ରଶଂସା କରିବା ସହ ତାଙ୍କ କାର୍ଯ୍ୟପନ୍ଥାକୁ ଅନ୍ୟମାନେ ଅନୁକରଣ ବି କରିଛନ୍ତି। ଏପରିକି କେତେକ ଗାଁର ଯୁବକମାନେ ସେମାନଙ୍କ ସଂଗଠନ ଲାଗି ଉପଦେଷ୍ଟା ଭାବେ ନିମନ୍ତ୍ରଣ କରିଛନ୍ତି ଦେବରାଜଙ୍କୁ। ନିଜ ଗାଁର ସମସ୍ୟାରୁ ଟିକିଏ ମୁକୁଳିବା କ୍ଷଣି, ଏହି ସବୁ ସଂଗଠନକୁ ସହାୟତାର ହାତ ବଢ଼ାଇଛନ୍ତି ଦେବରାଜ। ସେଥିପାଇଁ ଗାଁ ଯୁବକସଂଘର ସଭାପତି ପଦରୁ ଯାଇ ସେ ଗାଁର ସରପଞ୍ଚ। ଦେବରାଜଙ୍କ ବୟସ ଯେତେବେଳେ 22 ବର୍ଷ, ସେତେବେଳକୁ ସେ ସରପଞ୍ଚ । କିନ୍ତୁ ସେ ନିର୍ବାଚିତ ହେବାର ଏହାରି ଭିତରେ ଯେ କେତେବେଳେ 35 ବର୍ଷ ଚାଲିଗଲାଣି ସେ କଥା ସେ ଭୁଲିଯାଇଛନ୍ତି। ତାଙ୍କୁ ସମ୍ମାନ କରୁଥିବା ବା ତାଙ୍କ କଥା ଶୁଣୁଥିବା ଯୁବବର୍ଗ ବା ତାଙ୍କ ସମଭାଗୀମାନେ ବି ଯେ ଏହାରି ଭିତରେ 45 ପାର କଲେଣି, ସେ କଥାଟା ସେ ଭୁଲି ଯାଇଛନ୍ତି। ଏହି କିଛି ବର୍ଷ ଭିତରେ ପାଠ ପଢୁଆ ପିଲାମାନଙ୍କ ହାବଭାବରେ ଅନେକ ପରିବର୍ତ୍ତନ ଆସିଛି। କିଏ ଟିକିଏ ଟିହାଇ ଦେଲେ, ତା କଥାରେ ନାଚିବାକୁ ସମସ୍ତେ ପ୍ରସ୍ତୁତ। ତେଣୁ ଦେବରାଜ ଏବେ ଏଇ ନୂଆ ପିଢ଼ିର ପିଲାମାନଙ୍କ ପାଇଁ ଅଲୋଡ଼ା। ଗାଁରେ ଏବେ ବ୍ୟକ୍ତିତ୍ୱ କୈନ୍ଦ୍ରିକ ନିର୍ବାଚନ ହେଉନି। ସମସ୍ତେ ଖୋଜୁଛନ୍ତି ନିଜ ନିଜର ଫାଇଦା। ସେଥିପାଇଁ ଟୋକାପିଲାଏ ନିଜ ପସନ୍ଦ ମୁତାବକ ବିଭିନ୍ନ ରାଜନୈତିକ ଦଳଙ୍କ ସମର୍ଥକ ପାଲଟି ଯାଇଛନ୍ତି। ଯାହା ଫଳରେ ଗାଁରେ ପୂର୍ବରୁ ଥିବା ଆଦବ କାଇଦା ଓ ନୀତି ନିୟମ ଏବେ କିଛି ଲୋକଙ୍କ ଦୁରଭିସନ୍ଧି ଆଗରେ ହାର ମାନିଛି। ତା ସାଙ୍ଗକୁ ଠିଆ ହୋଇଛନ୍ତି ବିଭିନ୍ନ ରାଜନୈତିକ ଦଳଙ୍କ ସମର୍ଥକ ଗୋଷ୍ଠୀ।

ଦେବରାଜଙ୍କ ମନରେ ଏମିତି ସବୁ କଥା ଚାଲିଥିଲା ବେଳେ ହଠାତ୍ ସେ ଅନ୍ୟମନସ୍କ ଭାବେ ଉଠି ପଡ଼ି ଘର ଭିତରୁ ଝରକାଟାକୁ ଖୋଲି ଦେଇଛନ୍ତି। ସଙ୍ଗେ ସଙ୍ଗେ ବାହାରର ଦଲକାଏ ଥଣ୍ଡା ପବନ ଝର୍କାବାଟ ଦେଇ କୋଠରୀ ଭିତରକୁ ଧସେଇ ପଶିଛି । ପ୍ରକୃତିସ୍ଥ ହୋଇଛନ୍ତି ଦେବରାଜ। ପଛକୁ ବୁଲିପଡ଼ି ଘରେ ଥିବା ଆଲମିରାର କବାଟରେ ଲାଗିଥିବା ଦର୍ପଣରେ ନିଜ ମୁହଁଟିକୁ ଦେଖୁଛନ୍ତି ସେ। ମୁଣ୍ଡରେ ବାଳ ପାଚି ସଫେଦ ହୋଇସାରିଲାଣି। ଆଖି ତଳେ କଳାଦାଗ ପଡ଼ିଛି। ମନେ ମନେ ଖୁବ୍ ହସିଲେ ଦେବରାଜ। ଭାବିଲେ ମାଟ୍ରିକ ପରୀକ୍ଷା ଦେବା ପରେ ପରେ ପନ୍ଦର ଷୋହଳ ବର୍ଷ ବୟସରେ ଗାଁ କାମ କରିବା ଆରମ୍ଭ ହୋଇଥିଲା ଯେ, ଏ ଯାଏଁ ସରୁନି। ଏହାରି ଭିତରେ କେତେବେଳେ ବିବାହ ବୟସଟା ଚାଲିଗଲା, ତାହା ବି ଜଣାପଡ଼ିଲାନି। ତେବେ ବିବାହ ନକରିପାରି ଘର ସଂସାର ନଗଢ଼ିବାର ଦୁଃଖଠୁ, ବେଶୀ ବାଧୁଛି ଗାଁର ନୂଆ ପିଲାଙ୍କ ଉଚ୍ଛୃଙ୍ଖଳ ଆଚରଣ। ଗାଁର ସାମାଜିକ ବ୍ୟବସ୍ଥାରେ ପ୍ରତିଦିନ ଘଟୁଥିବା ଅବନତି। ତା ସାଙ୍ଗକୁ ଲୋକଙ୍କ ଭିତରେ ବଢୁଥିବା ଅପରାଧ ପ୍ରବଣତା। ଲୋକମାନଙ୍କ ଭିତରେ ପୂର୍ବରୁ ରହିଥିବା ଅଭେଦ୍ୟ ସାମାଜିକ ସଂପର୍କ ଏବେ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ଲୋକମାନେ ପରସ୍ପରକୁ ଏକ ଅବିଶ୍ୱାସଭରା ଦୃଷ୍ଟିରେ ଦେଖୁଛନ୍ତି। ଫଳରେ ନା ଗାଁର କୌଣସି କାମ ହୋଇପାରୁଛି, ନା ଗାଁର ବିକାଶ ହୋଇପାରୁଛି। ଏଇ କଥାଟା ଭାବିଦେଲା ବେଳକୁ ଦେବରାଜଙ୍କ ମନଟା ଅସ୍ଥିର ହୋଇପଡୁଛି। ଯେଉଁ ଗାଁ ପାଇଁ ସେ ନିଜ ବ୍ୟକ୍ତିଗତ ଜୀବନର ସବୁକିଛିକୁ ପଛରେ ଛାଡ଼ିଦେଲେ, ସେଇ ଗାଁ ହିଁ ଯଦି ଠିକ୍ ନରହିବ, ତାହେଲେ ତାଙ୍କର ଏ ଜୀବନତମାମ ତ୍ୟାଗର କଣ ମାନେ ଅଛି ?

ବାରମ୍ବାର ନିଜକୁ ନିଜେ ପ୍ରଶ୍ନ କରୁଛନ୍ତି ଦେବରାଜ। ଭାବୁଛନ୍ତି, ସମସ୍ତଙ୍କ ସହଯୋଗରେ ଯେଉଁ ଯାତ୍ରା ଆରମ୍ଭ ହୋଇଥିଲା, ତାକୁ କଣ ଏବେ ଏକାକୀ ଜାରି ରଖି ହେବ? ସେ କଣ ଏକାକୀ ଲୋକମାନଙ୍କ ସମସ୍ୟାର ସମାଧାନ କରିପାରିବେ? ସେ କଣ ଗାଁ ପାଇଁ ଆସୁଥିବା ସବୁ ପ୍ରତିବନ୍ଧକକୁ ଏକାକୀ ସାମ୍ନା କରିପାରିବେ? ଏମିତି ହିଁ ଅନେକ ପ୍ରଶ୍ନର ଜାଲ ଭିତରେ ଛନ୍ଦି ହୋଇପଡୁଥିଲା ବେଳେ ହଠାତ୍ ଦେବରାଜଙ୍କ କବାଟକୁ କେହି ବାହାରୁ ଠକ୍ ଠକ୍ କଲା। ଦେବରାଜ କବାଟ ଖୋଲି ଦେଖିଲା ବେଳକୁ ସାତ-ଆଠ ବର୍ଷର ପିଲାଟିଏ ଆଖିରୁ ଦୁଇ ଧାର ଲୁହ ଗଡ଼ାଇ ଦୁଆର ମୁହଁରେ ଠିଆ ହୋଇଛି। ସେ ତା ପାଖକୁ ଯାଇ ତା ଆଖିରୁ ଲୁହ ପୋଛିଲା ବେଳେ ପଚାରିଲେ, କାହିଁକିରେ କାନ୍ଦୁଛୁ? କଣ ହେଲା? ପିଲାଟି କହିଲା, ଆମ ଘରେ ମୋ ବାପା ମାଆ ଦି ଜଣ ଯାକ ଜରରେ ପଡ଼ିଛନ୍ତି। ତୁହାକୁ ତୁହା ଡାକିଲେ ବି କେହି ଶୁଣୁନାହାନ୍ତି। ଟିକିଏ ମୋ ସାଙ୍ଗରେ ଆମ ଘରକୁ ଆସ। ସଙ୍ଗେ ସଙ୍ଗେ କିଛି ନଭାବି ତାସାଙ୍ଗରେ ବାହାରି ପଡ଼ିଲେ ଦେବରାଜ। ପିଲାଟିର ଘରେ ପହଞ୍ଚି, ତା ବାପା ମାଆଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ସହିତ ସେହି ଡାକ୍ତରଖାନା ସାମ୍ନାରେ ହିଁ ଠିଆ ହୋଇ ସେ ଭାବୁଛନ୍ତି.. ହଁ.. ଏକାକୀ ସବୁ କିଛି କରାଯାଇପାରେ। ଖାଲି ନିଜ ଭିତରେ ସେ ବିଶ୍ୱାସ ଟିକକ ଥିବା ଦରକାର। ମୋତେ ଏକାକୀ ହିଁ ଚାଲିବାକୁ ହେବ। ଆଗକୁ .. ଆହୁରି ଆଗକୁ .. ବହୁତ ଆଗକୁ … ଚାଲିବାକୁ ହିଁ ହେବ।

ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି
ମୋହାଲି, ପଞ୍ଜାବ। ପିନ୍- ୧୪୦୪୨୩
ଫୋନ୍- ୯୯୩୭୨୫୨୪୬୪

Comments are closed, but trackbacks and pingbacks are open.