Latest Odisha News

BREAKING NEWS

ମାଟି ଲିପା ମଣିଷର କଥା

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’)

ରାତି ପାହିଲେ ଦୂର ଦିଗବଳୟରୁ ସିନ୍ଦୂରା ଫାଟି ପହିଲି କିରଣ ଗାଁ ଠୁ ସହରକୁ ପ୍ରଥମ ସ୍ପର୍ଶ ଦିଏ । ସକାଳର ପହିଲି କିରଣରେ ହସେ ଗାଁ ବିଲର ପରିପାଟୀ । ସବୁଜ ଜମିରେ ସବୁର୍ଣ୍ଣର ଛିଟା ପରିବେଶକୁ କରେ ମନଲୋଭା । ଚା କପ୍‌ ଠାରୁ ଭାଗବତି ଟୁଙ୍ଗୀ ଯାଏଁ ସବୁଠି ଜମେ ଲୋକଙ୍କ ଭିଡ଼ । ଥାଏ ଭାଇଚାରର ମହକ ଆଉ ଏକ ରଙ୍ଗୀନ ମନର ନିଆର ସ୍ୱପ୍ନ । ପିଲା ଠୁ ବୁଢ଼ା ସଭିଏଁ ଏକ ନୂତନ ଉନ୍ମାଦନାରେ ଭରି ଉଠନ୍ତି । ଅନେକ ସ୍ୱପ୍ନ ଦେଖନ୍ତି । ଅନେକ ସମ୍ଭାବନା ପାଇଁ ବାଟ ଖୋଜନ୍ତି । କିନ୍ତୁ ଚାଷୀ ଟିକେ ଅଲଗା । ସେ ପରା ମାଟିର ମଣିଷ । ମାଟି ଲିପିଲିପି ପୁରା ଶରୀରରେ ଝାଳ ବୁହାଇ ଆମ ଖାଇବା ଥାଳିରେ ଆନନ୍ଦର ବର୍ଣ୍ଣବିଭା ସୃଷ୍ଟି କରେ । ତା ପାଇଁ ହାକିମ ଚାଷ , ବାବୁ ବି ଚାଷ । ସେ ତା ମନର ବିଚାରପତି । ସେଇପାଇଁ ଚାଷୀ ହସିଲେ ଦେଶ ବି ହସେ ।

ବର୍ଷେ ପୂର୍ବର ଭାରତ ଆଉ ଏବର ଭାରତକୁ ଯଦି ଅନୁମେୟ କରିବା ଆମେ ଏକ ବିରାଟ ପରିବର୍ତ୍ତନର ଆଭାଷକୁ ନିଜେ ହିଁ ଅନୁଭବ କରିପାରିବା । ସମୟ ଥିଲା ରାସ୍ତାଘାଟରେ ଲୋକଙ୍କ ମେଳି ଜମୁଥିଲା । ପରିବା ହାଟରୁ ହରିହାଟ ଯାଏଁ ସବୁଠି ଲୋକାରଣ୍ୟ ଥିଲା ପରିବେଶ । ହେଲେ ଏମିିତି ଯେ ଏକ ସମୟ ଆସିବ ତାହା କେହି କଳ୍ପନା କରିନଥିଲେ । ଚାହୁଁ ଚାହୁଁ ଚୀନରୁ ସୃଷ୍ଟି ହୋଇଥିବା ଭାଇରସ ଯେ ଆସି ଅନେକଙ୍କୁ କବଳିତ କରିଦେବ , ଏକଥା କଳ୍ପନାର ବାହାରେ ଥିଲା । ଜନତା କର୍ଫ୍ୟୁ ଠୁ ଆରମ୍ଭ ହୋଇ ସଟଡ଼ାଉନ , ଲକଡାଉନ ଯାଏଁ ନୂଆ ନୂଆ ନାଁ ବି ଲୋକଙ୍କୁ ଶୁଣିବାକୁ ମିଳିଲା । ଆଉ ବେଶ କିଛି ଦିନରେ ଏହା ସହ ପରିଚିତ ହୋଇଗଲେ ଭାରତବାସୀ । କରୋନା ଆସିଲା , ଲୋକଙ୍କୁ ପ୍ରକୃତିର କୋପ କଣ ବୁଝେଇଲା । ଘରେ ତାଲାବନ୍ଦ ହୋଇ ବସିବାର ଅନୁଭୂତି ବି ଦେଲା । ସଚେତନ , ସୁରକ୍ଷା ଆଉ ସତର୍କର କଥା ବି କହିଲା । ଏସବୁ ଭିତରେ ସାରା ଭାରତ ଯେବେ କରୋନା , କୋଳାହଳ ଆଉ କଳହ ମଧ୍ୟରେ ଗତି କରୁଥିଲା , ସେତେବେଳେ କିନ୍ତୁ ଥକି ପଡ଼ିନଥିଲା ଚାଷୀ । ସେ ବସିନଥିଲା । କାରଣ ସେ ଜାଣିଥିଲା ସେ ବସିଲେ ଦେଶ ବସିଯିବ ।

ଏସବୁ ଭିତରେ ଚାଷୀ ତା ଜମିରେ କାମ କରିବାର କଥା ଭୁଲି ନଥିଲା । ସକାଳ ହେଲେ ନିତିଦିନ ପରି ସେତେବେଳେ ବି କାନ୍ଧରେ ଲଙ୍ଗଳ ଆଉ ମୁଣ୍ଡରେ ଗାମୁଛା ବାନ୍ଧି ସକାଳରୁ ସଂଜ ଯାଏଁ ଆମ ପାଇଁ ଜମିରେ ଝାଳ ବୁହାଉଥିଲା । ସେଇ ଟୋପେ ଟୋପେ ଝାଳ ଆମକୁ ଗୋଟେ ଗୋଟେ ଭାତର ସ୍ୱାଦ ଦେଉଥିଲା । ଆମେ ସିନା ଘରେ ବସି ତିରିଶ ମନିଟରେ ସ୍ୱିଗି ଆଉ ଜୋମାଟୋରୁ ବିରିୟାନିର ବାସ୍ନା ନେଉଥିଲେ କିନ୍ତୁ ତିନି ମାସ କଷ୍ଟ କରିଥିବା ଚାଷୀ ତାର ସାର୍ଥକତା ବଖାଣିପାରୁନଥିଲା । ସେ ଖଟେ । ଆମେ ଖାଉ । ହେଲେ ତା ମନର ବେଦନାକୁ ବୁଝିବା ସତରେ କଷ୍ଟ । ସେ ଉପରୁ ହସେ ହେଲେ ପେଟରେ ଗାମୁଛା ଦେଇ କଇଁ କଇଁ ଅନ୍ତରରୁ କାନ୍ଦେ । ତା ପାଇଁ ବନ୍ଧ୍ୟା ମାଟି ସିନା ଜୀବନ୍ୟାସ ପାଏ ହେଲେ ଆମେ ସେ ଅନ୍ତର୍ନିହିତ ଅବ୍ୟକ୍ତ ସ୍ୱରକୁ ଆମେ ବାରିପାରୁନାହିଁ ।

ଏଇ ବର୍ଷେ ହେବ ଅନ୍ତତଃ ଆମେ ବୁଝି ପାରିଥିବା ଏ ଚାଷୀର ମାନେ କ’ଣ , ଏ ଚାଷ କଣ? ସମୟ ଆସିଛି ଚାଷୀଙ୍କ ପାଇଁ କିଛି କରିବାର । ଯିଏ ବର୍ଷ ସାରା ଆମକୁ ଭାତ ଡ଼ାଲିର କଥା କୁହେ, ଆଜି ତା ପାଇଁ କିଛି କରି ଦେଖାଇବାର ବେଳ ଆସିଛି । ସେ ସମବେଦନା ଚାହେଁନି , ସେ ସାହାଯ୍ୟ ବି ଚାହେଁନି । ହେଲେ ଅନ୍ତତଃ ଥରୁଟିଏ ଆମେ ତା ମନ କଥାକୁ ମନ ଦେଇ ବୁଝିପାରିବା । ସେ ପରା ଚଷା ପୁଅ । ଚାଷ ଆଉ ଚାଷର କଥାକୁ ବେଶ ପାଖରୁ ଦେଖିଛି ସେ । ସେଇ ପାଇଁ କରୋନା ପରି ଭାଇରସକୁ ବି ସାମ୍ନା କରି ଅଣ୍ଟା ସଳଖି ଠିଆ ହେଇଛି । ଅନୁରୋଧ କରିଛି – ଆପଣ ମାନେ ଘରେ ରୁହନ୍ତୁ । ସରକାରଙ୍କ ନିୟମ ମାନନ୍ତୁ । ସୁରକ୍ଷିତ ଆଉ ସଚେତନ ରୁହନ୍ତୁ । ଆପଣଙ୍କ ପେଟ କଥା ଆମେ ବୁଝିବୁ । ଆମ ବାପା ଅମଳ ବି ଏଇ ଠୁ ସୁନାର ଫସଲ ଫଲାଉଥିଲେ । ଦିନ ଆସିବ , ଏ ଦୁଃସମୟ ହଟିଯିବ । ପୁଣି ଏକ ନୀବନ ପ୍ରଭାତ ଆମକୁ ଅପେକ୍ଷା କରି ରହିଛି । ବାସ ଆଉ କେଇ ଦିନ ଧୈର୍ଯ୍ୟର ସହ ମୁକାବିଲା କରିବା । ଆମେ ପୁଣି ହସିବା , ଆମେ ପୁଣି ହସିବା

କୃଷି ସ୍ନାତକୋତ୍ତର , ମୃତ୍ତିକା ବିଜ୍ଞାନ, ସୋଆ , ଭୁବନେଶ୍ୱର

Leave A Reply

Your email address will not be published.