Latest Odisha News

BREAKING NEWS

ଗୁମୁଡ଼ୁମୁହା ଗୋଟେ ଗପ ବୋଧେ !

ଏମିତି ଘଟଣା କଳିଙ୍ଗନଗରରେ ଘଟିଥିଲା । ସେଠି ଅବଶ୍ୟ ପ୍ରସଙ୍ଗ ଥିଲା ଅଲଗା । ଆଉ ଏଠି ଗୁମୁଡ଼ାମୁହାରେ କିଛି ପ୍ରସଙ୍ଗ ହିଁ ନଥିଲା । ନିରୀହ ଆଦିବାସୀ ନିଜ ଗାଁକୁ ଫେରୁଥିଲେ ଅଟୋରେ । ସଶସ୍ତ୍ର ପୁଲିସ ତାଙ୍କ ଉପରକୁ ଗୁଳି ଚଳାଇଲା । ଏକାଥରେ ପାଞ୍ଚ ଜଣ ମରିଗଲେ । ପରେ ପୁଲିସ ବାହାଦୂରୀ ଦେଖେଇଲା- ନକ୍ସଲ ମାରିଛୁ ବୋଲି । ମରିଥିଲେ କିନ୍ତୁ ସାଧାରଣ ମଣିଷ । କନ୍ଧମାଳ ଜିଲ୍ଲାର ନିରସ୍ତ୍ର ଆଦିବାସୀ ।

୨୦୧୬ ଜୁଲାଇ ମାସ ୧୦ ତାରିଖରେ ଚର୍ଚ୍ଚାକୁ ଆସିଥିଲା ଗୁମୁଡ଼ୁମୁହା । ସେଇ ଗୁମୁଡ଼ୁମୁହା ଗୁଳିକାଣ୍ଡକୁ ଚାରି ବର୍ଷ ବିତିଗଲାଣି । ଏଇ ମାସ ଜୁଲାଇରେ ଘଟିଥିଲା ସେ ମର୍ମାନ୍ତକ ଘଟଣା । ଏହାର ନ୍ୟାୟିକ ତଦନ୍ତ ହୋଇଛି । ଏସ୍‍ଆଇଟି ତଦନ୍ତ ପାଇଁ ବି ସରକାର ଆଦେଶ ଦେଇଛନ୍ତି । ସବୁ ରିପୋର୍ଟ ଆସି ସାରିଛି । ଯାହା ପ୍ରକାଶ ପାଉନାହିଁ । ଆଉ କିଛି ପରିଣାମ ହେଉନାହିଁ । ତଦନ୍ତ ସବୁ କୁଆଡ଼େ ଚାପି ହୋଇ ଯାଇଛି କେହି ତାର ଟେର୍‍ ପାଇ ନାହାନ୍ତି ।

କଳିଙ୍ଗନଗରରେ ଆଜିକୁ ୧୫ ବର୍ଷ ତଳେ ଟାଟା କଂପାନୀର କାରଖାନାକୁ ବିରୋଧ କରୁଥିବା ଆଦିବାସୀଙ୍କ ଉପରକୁ ପୁଲିସ ନୂଆବର୍ଷ ପରଦିନ ଗୁଳି ଚଳାଇ ଥିଲା । ସେଥିରେ ୧୪ ଜଣ ଆଦିବାସୀ ମରିଥିଲେ । ସେ ଘଟଣାକୁ ନେଇ ସାରା ଓଡ଼ିଶା ପଡ଼ିଥିଲା, ଉଠିଥିଲା । ପରେ ବିଚାର ବିଭାଗୀୟ ତଦନ୍ତ ଆଦେଶ ଦିଆ ଯାଇଥିଲା । କିନ୍ତୁ ଶେଷକୁ କିଛି ବି ହେଲାନାହିଁ । ଏବେ ସେଠାରେ ଗର୍ବରେ ଟାଟା କଂପାନୀର କାରଖାନା ଛିଡ଼ା ହୋଇଛି ।

ଗୁମୁଡ଼ୁମୁହା କିନ୍ତୁ ଭାରି ମର୍ମାନ୍ତକ ଓ ଭୟାନକ ଘଟଣା । କନ୍ଧମାଳ ଜିଲ୍ଲାର ସେହି ନିରୀହ ଆଦିବାସୀମାନେ ତାଙ୍କ ଗାଁକୁ ଅଟୋରେ ଫେରୁଥିଲେ । ଗାଁକୁ ତ ରାସ୍ତା ନଥିଲା । ଅଟୋ ଅଟକି ଗଲା କାଦୁଅରେ । ଅଟୋକୁ ଠେଲିବା ପାଇଁ ଲୋକମାନେ ତଳକୁ ଓହ୍ଲାଇବା ବେଳେ ଲୁଚି ରହିଥିବା ପୁଲିସ ତାଙ୍କୁ ଗୁଳି ମାରିଥିଲା । ବୀର ଦର୍ପରେ ସଭିଙ୍କୁ ପ୍ରଥମେ କୁହାଯାଇଥିଲା- ପାଞ୍ଚ ନକ୍ସଲ ମଲେ । କିନ୍ତୁ ପରେ ସତ ଆସିଥିଲା ସାମ୍ନାକୁ । ଆଉ ସେ ସତ ଥିଲା ଭୟାନକ । ନିରୀହ ମଣିଷଙ୍କୁ ଗୁଳି ମାରି ଦେଇ ନକ୍ସଲ ଆଖ୍ୟା ଦେବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା । ଯାହା ସଫଳ ହୋଇନଥିଲା ।

ଏହାକୁ ଅନ୍ୟ ଅର୍ଥରେ ରାଜ୍ୟ ପ୍ରାୟୋଜିତ ମର୍ଡ଼ର ବି କୁହାଯାଇପାରେ । ଯେଉଁଥିରେ ସରକାରୀ ପୁଲିସ ସାମିଲ । ସେମାନଙ୍କ ଗୁଇନ୍ଦା ରିପୋର୍ଟ କେମିତି ଏତେ ଭୁଲ ହେଲା ଯେ- କାଦୁଅରେ ଅଟୋ ଠେଲୁଥିବା ମଣିଷଙ୍କୁ ନକ୍ସଲ ଭାବି ସେମାନେ ମାରିଦେଲେ ।

ସେଇ ଦିନରୁ ଚାରି ବର୍ଷ ବିତି ଗଲାଣି । ଗଣମାଧ୍ୟମ ପ୍ରଥମେ ଯେମିତି ଏ ଘଟଣାକୁ ଗୁରୁତ୍ୱ ଦେଇଥିଲା, ସେଇ ଅନୁସାରେ ପରେ ଏହାକୁ ଭୁଲି ଯାଇଛି । ଲୋକମାନେ ବି ପାଶୋରି ଗଲେଣି । ସରକାର ଓ ପ୍ରଶାସନ ପାଇଁ ଏହା ବେଶ ସୁବିଧା । ଯେତେ ଜଲଦି ପାଶୋରି ହୋଇଯିବ ଏପରି ଘଟଣା, ସେତେ ଭଲ । ତେବେ ଗୁମୁଡ଼ୁମୁହାଁ ସବୁଦିନେ ଏକ ଭାରି ମର୍ମାନ୍ତକ କାହାଣୀର ସାକ୍ଷୀ ।

ଗାଁକୁ ରାସ୍ତା ନଥିବ । ନକ୍ସଲ ଆତଙ୍କ ରହିଥିବ । ନକ୍ସଲମାନେ ମନଇଚ୍ଛା ଆତଙ୍କରାଜ ଚଳାଉ ଥିବେ । ସେମାନଙ୍କୁ ମୁକାବିଲା କରିବା ପାଇଁ ପୁଲିସ ବାରମ୍ବାର ଆସୁଥିବ । ପୁଲିସ ବି ଗାଁ ଲୋକଙ୍କୁ ଧମକାଉ ଥିବ । ମଣିଷମାନେ ନିରୀହ, ନିରକ୍ଷର ଆଦିବାସୀ । ସେମାନେ ଭଲକି ଜାଣି ପାରୁନଥିବେ କଣ ଘଟୁଛି । ଯିଏ ଆସୁଥିବ, ସିଏ ଧମକେଇ ଯାଉଥିବ । ଭୟ ଓ ଆତଙ୍କ ଭିତରେ ବଞ୍ଚୁଥିବେ ସେମାନେ । ବିକାଶ ଓ ଉନ୍ନୟନ ଆଦି ଶବ୍ଦ ସେମାନେ ଜୀବଦ୍ଦଶାରେ ଦେଖି ନଥିବେ କି ଦେଖିବେ ବୋଲି ଥିବ ଘୋର ସନ୍ଦେହ । ଆଉ ନକ୍ସଲ ମାରି ବାହାବା ନେବାକୁ ଅନେଇ ଥିବା ପୁଲିସ ସେଇ ନିରୀହ ମଣିଷମାନଙ୍କୁ ଶେଷକୁ ମାରି ପକେଇବ ।

ଘଟଣାକୁ ବର୍ଷ ପରେ ବର୍ଷ ବିତି ଯାଉଥିବ । ଯୋଉଦିନ ବର୍ଷେ ପୁରୁଥିବ, ସେ ସଂପର୍କତ ଛୋଟିଆ ଖବରଟେ କେଉଁଠି ଭିତରେ ଲୁଚି ଖବରକାଗଜରେ ଆସୁଥିବ । ସାମାଜିକ ଗଣମାଧ୍ୟମରେ ଧାଡ଼ିଏ, ଦି ଧାଡ଼ି, ଯୋଡ଼େ, ତିନିଟା ଫଟୋ ଆସୁଥିବ ।

କିନ୍ତୁ ଆଦିବାସୀଙ୍କ ଉପରେ ଶହ ଶହ ବର୍ଷ ଧରି ଚାଲି ଆସିଥିବା ଦମନଲୀଳା, ଶୋଷଣ କଥା କ୍ରମଶଃ ଅପ୍ରସଙ୍ଗ ପାଲଟି ଯାଉଥିବ । ହୁଏତ ସେ ବି ଠିକ । ଯୋଉମାନେ ଜଙ୍ଗଲ ଭିତରେ ପାଠଶାଠ ନ ପଢି ରହିଲେ, ସେମାନେ ତ ମୁଖ୍ୟସ୍ରୋତଠାରୁ ଦୂରରେ ନା ! ଆଉ ଯୋଉମାନେ ଗୁଳି ଖାଇ ମଲେ, ବର୍ଷ ବର୍ଷ ପରେ ସେମାନଙ୍କ ପରିବାର ନ୍ୟାୟକୁ ଅନେଇ, ନ ପାଇ, ପୁଣି କାଦୁଅରେ ଅଟୋ ଠେଲୁଥିବେ ।

ଗୁମୁଡ଼ୁମୁହାଁ ଏଇମିତି ଅନେକ କାହାଣୀ କହେ । କନ୍ଧମାଳ ମୁଖ୍ୟ ରାସ୍ତାରେ ଗଲେ ମଝିରେ ଗୁମୁଡ଼ୁମହାଁ ଆଡ଼େ ତୀର ଚିହ୍ନଟେ ମରା ହୋଇଥିବା ଦେଖିବେ । ହୁଏତ ଆଧୁନିକ ଓ ଶୋଷକ ବର୍ଗ ଉପରେ ଏହା କୌଣସି ପ୍ରଭାବ ପକାଇବ ନାହିଁ । କିନ୍ତୂ ଶୋଷିତ ବର୍ଗର ମରମ କାହାଣୀ ଗୁମୁଡ଼ୁମୁହାଁ କହେ । ନିରବରେ ଅନେକ କଥା ଦେଖାଏ । ସେ ଅଲଗା କଥା- ଆଜିକାଲି ମଣିଷଙ୍କ ପାଖରେ ତାକୁ ଦେଖିବା ପାଇଁ ସମୟ କି ହୃଦୟ ନାହିଁ!

Leave A Reply

Your email address will not be published.