Latest Odisha News

BREAKING NEWS

ବିଜେପି କହିଲା ପରିବାରବାଦର ମାନେ ଜାଣିନାହାନ୍ତି ରାହୁଲ !

ଭୁବନେଶ୍ୱର: ଦେଶରେ ପରିବାରବାଦ ରାଜନୀତିକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ଟାର୍ଗେଟ କରିବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି। ପରିବାରବାଦ ପ୍ରସଙ୍ଗକୁ ନେଇ ବିଜେପି ଲଗାତର କଂଗ୍ରେସ ଓ ଗାନ୍ଧୀ ପରିବାରକୁ ଆଟାକ କରୁଥିବା ବେଳେ ରାହୁଲ ଗାନ୍ଧୀ ଅମିତ ଶାହାଙ୍କ ସମେତ ରାଜନାଥ ସିଂଙ୍କ ଭଳି ବରିଷ୍ଠ ନେତାଙ୍କ ନାଁ ନେଇ ପ୍ରଶ୍ନ ଉଠାଇଥିଲେ।

ଏହାର କେଇ ଘଣ୍ଟା ନ ପୁରୁଣୁ ବିଜେପି ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରାହୁଲଙ୍କୁ ଟାର୍ଗେଟ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀଙ୍କ ପୁଅ ଯେ କି ଉତ୍ତରପ୍ରଦେଶର ଜଣେ ବିଧାୟକ ଅଛନ୍ତି ତାଙ୍କୁ କଣ ପରିବାରବାଦ ପ୍ରସଙ୍ଗକୁ ନେଇ ପ୍ରିୟଙ୍କା ଗାନ୍ଧୀଙ୍କ ସହ ତୁଳନା କରାଯାଇପାରିବ କି ବୋଲି ସେ ପ୍ରଶ୍ନ କରିଛନ୍ତି।

ବିଧାନସଭା ନିର୍ବାଚନ ହେବାକୁ ଥିବା ମିଜୋରାମରେ ପ୍ରଚାର ଅବସରରେ ପରିବାରବାଦକୁ ନେଇ ବିଜେପିକୁ ରାହୁଲଙ୍କ ଆଟାକ ପରେ ହିମନ୍ତ ମଧ୍ୟ କାଉଣ୍ଟର ଆଟାକ କରିଛନ୍ତି।

ରାହୁଲ ଗାନ୍ଧୀ ପ୍ରଥମେ ପରିବାରବାଦ ରାଜନୀତିର ସଂଜ୍ଞା ବୁଝନ୍ତୁ ବୋଲି ହିମନ୍ତ କହିଛନ୍ତି। ରାହୁଲ ବିସିସିଆଇକୁ ବିଜେପିର ଏକ ଶାଖା ବୋଲି ଭାବୁଛନ୍ତି ବୋଲି କଟାକ୍ଷ କରି କହିଛନ୍ତି ହିମନ୍ତ।

ଏପରିକି ରାହୁଲଙ୍କୁ ଅଶିକ୍ଷିତ ବୋଲି ସେ କହିଛନ୍ତି। ଅମିତ ଶାହାଙ୍କ ପୁଅ ବିଜେପିରେ ନାହାନ୍ତି କିନ୍ତୁ ରାହୁଲ ଗାନ୍ଧୀଙ୍କର ସମ୍ପୂର୍ଣ୍ଣ ପରିବାର କଂଗ୍ରେସରେ ଅଛନ୍ତି ବୋଲି ସେ କହିଛନ୍ତି।

ରାଜନାଥ ସିଂଙ୍କ ପୁଅ ପ୍ରିୟଙ୍କା ଗାନ୍ଧୀଙ୍କ ଭଳି ବିଜେପିକୁ ନିୟନ୍ତ୍ରଣ କରୁ ନ ଥିବା ସେ କହିଛନ୍ତି। ପରିବାରବାଦ ରାଜନୀତି ଉପରେ ଆଧାରିତ ଏକ ପ୍ରଶ୍ନର ଉତ୍ତରରେ ରାହୁଲ ଏଭଳି କହିବାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ରାହୁଲ ଗାନ୍ଧୀଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି।

କଂଗ୍ରେସ ନେତା ଶଶୀ ଥରୁର ଥିରୁବନନ୍ତପୁରମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଂଗ୍ରେସକୁ ପରିବାର ଦ୍ୱାରା ପରିଚାଳିତ ଦଳ ବୋଲି କହିଥିଲେ। ଯାହାକୁ ବିଜେପି ଏକ ଅସ୍ତ୍ର କରିଥିବା ଦେଖିବାକୁ ମିଳିଛି।

ପରେ ଥରୁର ଏ ନେଇ ସ୍ପଷ୍ଟୀକରଣ ରଖିଲେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେଣୁ ଦେଶର ପ୍ରମୁଖ ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପରିବାରବାଦ ପ୍ରସଙ୍ଗକୁ ନେଇ ଲଢେଇ ବେଶ ରୋଚକ ମୋଡ଼ ନେଇଛି।

Leave A Reply

Your email address will not be published.