ଲକ୍ଷ୍ନୌ: ଏମିତିକା ସାପ କେବେ ଦେଖି ନଥିବେ…ନା ଅଛି ସାପ ଭଳି ପଟା ପଟା ଦାଗ, ରଙ୍ଗ ବି ସମ୍ପୂର୍ଣ୍ଣ ଭିନ୍ନ, ସାଧାରଣ ବିଷଧର ସାପଠାରୁ ଆହୁରି ମାରାତ୍ମକ!
ଉତ୍ତରପ୍ରଦେଶର ଦୁଧୱା ଅଞ୍ଚଳରେ ଏମିତି ଏକ ବିଷଧର ସାପ ମିଳିଛି, ଯାହାର ରଙ୍ଗ ଓ ଶରୀରର ଆକୃତି ସାଧାରଣ ବିଷଧର ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଶରୀରରେ ନାହିଁ ସାଧାରଣ କ୍ରେତ୍ ଚିହ୍ନଟ ବଳୟାକାର ଚିହ୍ନ । ରଙ୍ଗ ବି ରହିଛି ଅସାଧାରଣ ଭାବେ ଫିକା। ଫଟୋରେ ଟିକେ ରଙ୍ଗ ମାଟିଆ ଭଳି ନଜର ଆସୁଥିବା ବେଳେ ମେରୁଦଣ୍ଡ ମଝିରେ ଏକ ଧଳା ଦାଗ, ସତେ ଯେପରି ଚକ୍ ଚକ୍ କରୁଛି । ଏଭଳି ସାପ ଦୁଧୱାରେ ପୂର୍ବରୁ ଦେଖାଯାଇନଥିବାରୁ ବନ୍ୟଜୀବ ବିଶେଷଜ୍ଞ ଓ ବୈଜ୍ଞାନିକମାନଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।
ଲଖିମପୁର ଖେରି ଜିଲ୍ଲାର ସୁମେରନଗର ଗାଁର ଏକ ଘରୁ ଗତ ଅଗଷ୍ଟ ୧୬ ତାରିଖରେ ଏହି ସାପକୁ ଉଦ୍ଧାର କରାଯାଇଥିଲା। ସ୍ଥାନୀୟ ସାପ ଉଦ୍ଧାରକାରୀ ନିଶା ସିଂହ ପ୍ରଥମେ ଏହାକୁ ସାଧାରଣ କ୍ରେତ୍ ବୋଲି ଚିହ୍ନଟ କରିଥିଲେ। ତେବେ ସାପଟିର ଅସ୍ୱାଭାବିକ ଭାବେ ଫିକା ରଙ୍ଗ ଏବଂ ଶରୀରରେ ବଳୟାକାର ଚିହ୍ନ ନଥିବା ଦେଖିବା ପରେ ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା।
ସାଧାରଣତଃ କ୍ରେତ୍ ସାପକୁ ତାହାର ଶରୀରରେ ଥିବା ସ୍ପଷ୍ଟ ବଳୟାକାର ଦ୍ୱାରା ଚିହ୍ନଟ କରାଯାଏ। କିନ୍ତୁ ଦୁଧୱାରୁ ମିଳିଥିବା ଏହି ସାପର ଶରୀରରେ ସେଭଳି ଚିହ୍ନ ଦେଖାଯାଇନାହିଁ। ଏହାର ରଙ୍ଗ ମଧ୍ୟ ସାଧାରଣ କ୍ରେତ୍ ତୁଳନାରେ ଅଧିକ ଫିକା। ଏହି ଅଲଗା ରୂପ ଯୋଗୁଁ ବିଶେଷଜ୍ଞମାନେ ଏହାକୁ ‘ଲେସର ବ୍ଲାକ୍ କ୍ରେତ୍’ ହୋଇପାରେ ବୋଲି ଆଶଙ୍କା କରୁଛନ୍ତି। କିନ୍ତୁ ଏହା ଦେଖିବାକୁ ପୂରା କଳଶ ବି ନୁହେଁ । ତେବେ ଏହା ସତରେ ଲେସର ବ୍ଲାକ୍ କ୍ରେତ୍ ନା ଏକ ଅସାଧାରଣ ରୂପର ସାଧାରଣ କ୍ରେତ୍, ତାହା ଏବେ ବି ସ୍ପଷ୍ଟ ହୋଇନାହିଁ।
ଦୁଧୱା ବାଘ ଅଭୟାରଣ୍ୟର କ୍ଷେତ୍ର ନିର୍ଦ୍ଦେଶକ ଡ. ଏଚ୍. ରାଜମୋହନ କହିଛନ୍ତି ଯେ, ଉଦ୍ଧାର ହୋଇଥିବା ଏହି ସାପ ଦୁଧୱା ଅଞ୍ଚଳ ପାଇଁ ଏକ ବିରଳ ଘଟଣା। ଲେସର ବ୍ଲାକ୍ କ୍ରେତ୍ ସାଧାରଣତଃ ଦୁଧୱାର ତରାଇ ଅଞ୍ଚଳରେ ଦେଖାଯାଏ ନାହିଁ। ସାପଟିର ସଠିକ୍ ପରିଚୟ ଜାଣିବା ପାଇଁ ଦେଶର ପରିଚିତ ସାପ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରାଯିବ ବୋଲି ସେ କହିଛନ୍ତି। ଦୁଧୱାର ପଶୁ ଚିକିତ୍ସକ ଡ. ଦୟା ଶଙ୍କର ମଧ୍ୟ ଏହି ଘଟଣାକୁ ଅସାଧାରଣ ବୋଲି କହିଛନ୍ତି। ତାଙ୍କ କହିବା ଅନୁସାରେ, ଦୁଧୱାରେ ଏତେ ଫିକା ରଙ୍ଗ ଏବଂ ବଳୟାକାର ଚିହ୍ନ ନଥିବା କ୍ରେତ୍ ସାପ ସେ ପ୍ରଥମ ଥର ଦେଖିଛନ୍ତି।
ଡେରାଡୁନସ୍ଥିତ ଭାରତୀୟ ବନ୍ୟଜୀବ ସଂସ୍ଥାନର ବରିଷ୍ଠ ଜୀବବିଜ୍ଞାନୀ ବିପୁଲ ମୌର୍ଯ୍ୟ କହିଛନ୍ତି ଯେ, ଦୁଧୱା ସମେତ ସମଗ୍ର ତରାଇ ଅଞ୍ଚଳ ବିଭିନ୍ନ ପ୍ରଜାତିର ସାପ ପାଇଁ ପରିଚିତ। ତେଣୁ ଏଭଳି ଏକ ନମୁନା ମିଳିବା ବୈଜ୍ଞାନିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ତାଙ୍କ ଅନୁସାରେ, ସାପର ବୟସ ବଢ଼ିବା ସହିତ ଏହାର ରଙ୍ଗ ଓ ଶରୀରର ନମୁନାରେ ପରିବର୍ତ୍ତନ ଆସିପାରେ। ଏପରି ପରିବର୍ତ୍ତନକୁ ‘ଅନ୍ଟୋଜେନେଟିକ୍ କଲର ପ୍ୟାଟର୍ନ ସିଫ୍ଟ’ କୁହାଯାଏ। ଏହି କାରଣରୁ କ୍ରେତର ବଡି ପାର୍ଟନ୍ ସମୟ ଅନୁସାରେ ହାଲୁକା ହୋଇଯାଇଥିବା କିମ୍ବା ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଥିବା ସମ୍ଭାବନା ମଧ୍ୟ ରହିଛି।
ତେବେ କେବଳ ଦେଖିବାକୁ କିପରି ଲାଗୁଛି, ତାହା ଆଧାରରେ ସାପର ପ୍ରଜାତି ନିର୍ଦ୍ଧାରଣ କରିବା ଠିକ୍ ନୁହେଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହି ଅଜବ କ୍ରେତ୍ ଉପସ୍ଥିତି ଦୁଧୱା ଅଞ୍ଚଳର ଜୈବ ବିବିଧତାକୁ ନେଇ ମଧ୍ୟ ନୂଆ ଆଗ୍ରହ ସୃଷ୍ଟି କରିଛି।

