Latest Odisha News

BREAKING NEWS

ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ପୌଷ କୃଷ୍ଣ ସପ୍ତମୀ ତିଥି । ଏନେଇ ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ସେଥିପାଇଁ ଅପରାହ୍ନ ୪ ଟାରୁ ରାତ୍ର ୮ ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ବନକଲାଗି ନୀତି ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଚତୁର୍ଦ୍ଧାମୂରତିଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । କିନ୍ତୁ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନର ସୌଭାଗ୍ୟ ପାଇବେ ଭକ୍ତ ଶ୍ରଦ୍ଧାଳୁ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ସେଥିପାଇଁ ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ଏଥିରେ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୁର, କଇଥଅଠା, କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରି ଶ୍ରୀମୁଖ୍ୟ ଶୃଙ୍ଖାର କରିବାର ପରମ୍ପରା ରହିଛି ।

ପ୍ରତିମାସରେ ହାରାହାରି ଦୁଇଥର ଶ୍ରୀଜୀଉମାନଙ୍କର ମୁଖଶ୍ରୀର ପ୍ରସାଧନ ବା ବନକ ଲାଗି ହୋଇଥାଏ । ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ମନ୍ଦିର ଭାଷାରେ ବନକଲାଗି କୁହାଯାଏ । ଶ୍ରୀମନ୍ଦିର ଗର୍ଭଗୃହସ୍ଥ ରତ୍ନସିଂହାସନରେ ବିରାଜିତ ମହାପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ମୁଖମଣ୍ଡଳର ଦୀପ୍ତି ବଢ଼ାଇବା ପାଇଁ ଶହ ଶହ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି ଏହି ଗୁପ୍ତ ନୀତି । ଏହି ସେବାରେ ୫ ଜଣ ଦତ୍ତ ମହାପାତ୍ର ସେବାୟତ ନିୟୋଜିତ ରହିବେ ।

Leave A Reply

Your email address will not be published.