ବରୁଣ ପାଣି, ଓଡିଶାରେ ନଥିବା ଓଡିଶାର କବି ଓ ଛବି

ବରୁଣ ପାଣି, ଓଡିଶାରେ ନଥିବା ଓଡିଶାର କବି ଓ ଛବି

କେଦାର ମିଶ୍ର

ହଠାତ ଆମେରିକାରେ ରହି ଓଡିଆ ସାହିତ୍ୟ ବିଷୟରେ ଅହରହ କାମ କରୁଥିବା ସତ୍ୟ ପଟ୍ଟନାୟକ କହିଲେ- ବରୁଣ ପାଣି ଚାଲିଗଲେ। ଓଡିଆ ସାହିତ୍ୟ ପାଇଁ ବରୁଣ ପାଣି ଖୁବ ଚର୍ଚ୍ଚିତ ଏକ ନାଁ ନୁହନ୍ତି। ଫେସବୁକ ରେ ସେ କିନ୍ତୁ ବେଶ ସକ୍ରିୟ। ପ୍ରାୟ ଓଡିଆ ଲେଖକ ଲେଖିକାଙ୍କ ସହ ତାଙ୍କର ଭାବଗତ ଆଦାନ ପ୍ରଦାନ ହୋଇଥିବ ନିଶ୍ଚୟ। ତାଙ୍କର କିଛି କିଛି କବିତା ଛପା ହୋଇଛି ବିଭିନ୍ନ ପତ୍ର ପତ୍ରିକାରେ। ଇଂରାଜୀରେ ସେ ନିଜର ସ୍ମୃତି ଓ ଜୀବନ କାହାଣୀ ଲେଖୁଥିଲେ, ଫେସବୁକ ପୃଷ୍ଠାରେ। ହାରମୋନିୟମ ବଜାଇ ପୁରୁଣା ହିନ୍ଦୀ ଓ ଓଡିଆ ଗୀତ ଗାଉଥିଲେ। ସେ ଓଡିଆରେ ଲେଖିବା, ଗୋଟେ ଆକସ୍ମିକତା, ଗୋଟେ ଆଶ୍ଚର୍ୟ। ସେ ଓଡିଶା ବାହାରେ ରହି ଯାଇଥିବା ଓଡିଆଙ୍କର ବଂଶଧର। ଜନ୍ମ ଷଢେଇକଳାରେ। ସେ ନିଜକୁ କହୁଥିଲେ ଖଡକାଇ ନଦୀର କବି। ଷଢେଇକଳା-ଖରସୁଆଁ କଥା ଆଜି ହୁଏତ ଆମର ମନେ ନାହିଁ। ଓଡିଆ ଭାଷା ଭାଷୀ ଏ ପୁରୁଣା ଗଡଜାତ ଯେତେବେଳେ ବିହାରରେ ମିଶିଗଲା, ତାକୁ ବିରୋଧ କରି ଓଡିଶା ରକ୍ତ ରଞ୍ଜିତ ହୋଇଥିଲା। ଫାଳେ ଓଡିଶା ଚିରଦିନ ଲାଗି ଓଡିଶାରୁ ବିଚ୍ଛିନ୍ନ ହୋଇ ରହିଗଲା। ବରୁଣ ପାଣି ସେଇ ବିଚ୍ଛିନ୍ନ ଓଡିଶାର କବି। ଏକଦା ମୋତେ ସେ ଲେଖିଥିଲେ- “ମୁଁ ଓଡିଶାରେ ଜନ୍ମ ହୋଇନାହିଁ। ମାତ୍ର ୭ ବର୍ଷ ରହିଛି ଓଡିଶାରେ, ସେ ପୁଣି ରାଉରକେଲାରେ। କଟକ ସହରକୁ ଦେଖିନାଇଁ। ପାଠ ପଢିଛି ଖଡଗପୁରରେ। ବାହା ହୋଇଛି ବାରାଣସିରେ। ରହୁଛି ଆମେରିକାରେ। ହେଲେ ରାତି ହେଲେ ଓଡିଶା ମୋତେ ଡାକେ। ମୁଁ ଓଡିଆ କବିତା ଲେଖେ।” ୩୧, ଅକ୍ଟୋବର ୨୦୧୪ ରେ ତାଙ୍କର ଆଉ ଗୋଟେ ଲମ୍ବା ବାର୍ତ୍ତା ଥିଲା ମୋ ପାଇଁ। ଓଡିଆ ଜୀବନ ଓ ସଂସ୍କୃତିକୁ ନେଇ ଓଡିଶା ବାହାରେ ରହୁଥିବା ଏ କବି ଜଣଙ୍କର ବ୍ୟାକୁଳତା ମୋତେ ଚକିତ କରୁଥିଲା। ସେ ଲେଖିଥିଲେ- ଷଢେଇକଳାର ଆମ ଘରେ ମଧୁସୂଦନ ଦାସ ଓ ଗୋଦାବରୀଶ ମିଶ୍ର ରହିଥିଲେ। ଆମ ଘର ଏବେ ବି ତାଙ୍କ ସ୍ମୃତି ବହନ କରେ। ବହୁ ଓଡିଆଙ୍କ ସହିତ ଆଜି ବି ମୋର ନିବିଡ ସମ୍ପର୍କ। ହେଲେ ମୁଁ ଓଡିଆ ଭାଷା କୁ ନେଇ ଏକୁଟିଆ ବଞ୍ଚେ।

ଏ ବଞ୍ଚିବା, ସବୁଠୁ କଠିନ। ଓଡିଶାରେ ରହି ଓଡିଆ ହେବା କି ଓଡିଆ ରେ ଲେଖିବା ସହଜ। ଓଡିଶା ସହିତ ଦୂର ଦୂର ଯାଏ ସମ୍ପର୍କ ନଥାଇ, ଓଡିଆ ଭାବରେ ବଞ୍ଚିବା କମ ବଡ ସାଧନା ନୁହେ। ବରୁଣ ପାଣିଙ୍କ ସହ ମୋର କେବେ ଦେଖା ହୋଇନାହିଁ। ତାଙ୍କର ପ୍ରାୟ ସମ୍ପର୍କ ବାରାଣସି କିମ୍ବା କୋଲକାତାରେ। ଓଡିଶା ସହ ତାଙ୍କର ଏକମାତ୍ର ସମ୍ପର୍କ କବିତା ଜରିଆରେ। କିଛି ଗୋଟାଏ ଓଡିଆରେ ଲେଖି ପକାଇବାର ବ୍ୟାକୁଳତା, ତାଙ୍କ ଭିତରେ ସବୁବେଳେ ରହିଥିଲା। ସେ ବହୁତ ଭଲ ଇଂରାଜୀ ଲେଖନ୍ତି। ଅଥଚ କବିତା ଲେଖିବାକୁ ସେ ଓଡିଆକୁ କୁ ଇ ନିଜର ମାଧ୍ୟମ ବୋଲି ବାଛିଥିଲେ- ତାଙ୍କର ଯୁକ୍ତି ଥିଲା- କବିତା ଲେଖିବା ଲାଗି ମାତୃଭାଷା ଛଡା ଅନ୍ୟ କେଉଁ ଭାଷା ଉପଯୁକ୍ତ ନୁହେଁ। ମୁଁ ଜାଣେ ଯେ ମୋର ଭାଷା ଜ୍ଞାନ ସୀମିତ। ଓଡିଆ ଲୋକର ଅନୁଭବ ମୋର ନାଇଁ। ହେଲେ ବିଚ୍ଛିନ୍ନ ହେବାର ଅନୁଭବକୁ ନେଇ ମୁଁ ତ ଲେଖି ପାରିବି।ଭାଷାକୁ ନେଇ ଓ ଭାଷାର ଚେରକୁ ନିଜ ଭିତରେ ବଞ୍ଚାଇ ରଖିବା ପାଇଁ ଜଣେ ଟେକ୍ନୋକ୍ରାଟର ଲେଖକ ଭୂମିକା ନେବା, ଗୋଟେ ଐତିହାସିକ କାହାଣୀ ନିଶ୍ଚୟ।

କବି ଭାବରେ ବରୁଣ ପାଣିଙ୍କ କବିତା କେତେ ପାଠକଙ୍କ ନଜରରେ ପଡିଛି, ମୁଁ ଜାଣେନା। ମୋତେ ସେ ଯେତେବେଳେ ବି କବିତା ପଠାନ୍ତି, ମୁଁ ତାକୁ ଛାପି ଦିଏ। ତାଙ୍କ କବିତାରେ ଗୋଟେ ଦାର୍ଶନିକ ପୃଥିବୀ ଥାଏ। ସେ ପୃଥିବୀରେ ବୌଦ୍ଧିକତାର ପ୍ରଭାବ ପ୍ରବଳ। ବିଜ୍ଞାନ ଓ ଚିନ୍ତନକୁ ନେଇ ସେ କବିତା ଲେଖିଛନ୍ତି। ସେ ପ୍ରକାର କବିତା ଆମ ଭାବବାଦୀ କବିତାର ଭିଡ ଭିତରେ ଆଦର ନ ପାଇବା ସ୍ଵାଭାବିକ।ତାଙ୍କର ଗୋଟେ କବିତା ମନେ ପଡୁଛି- “ଫାଇନ ପ୍ରିଣ୍ଟ”। କବିତାର ଆରମ୍ଭ ଚମକାଇ ଦେଲା ପରି। “ଆଲୋଚନା ଶେଷେ/ ବିଧାତା ଓ ମଣିଷ ମିଶି ପାଞ୍ଜିଟେ ଲେଖିଲେ/ ଏକମତ ହେଲେ’। ଗୋଟେ ଅଦ୍ଭୁତ କବିତାର ବାତାବରଣ ସେ ତିଆରି କରନ୍ତି। ଯେମିତି ମଣିଷ ଓ ଇଶ୍ଵର ମିଶି ଗୋଟେ ନୂଆ ପୃଥିବୀର ନକ୍ସା ତିଆରି କରୁଛନ୍ତି। ସେ ପୃଥିବୀ ସଦା ଆନନ୍ଦର ପୃଥିବୀ। ଭୋକ ଓ ଦୁଃଖ ନଥିବାର ପୃଥିବୀ। ଏମିତି ଏକ ପୃଥିବୀର ପରିକଳ୍ପନାରେ କବିର ଆନନ୍ଦ। ଯଦିଓ, ବାସ୍ତବତା ହେଉଛି, ସେ ପୃଥିବୀ ସମ୍ଭବ ନୁହେଁ। ସ୍ଵପ୍ନ ଦେଖିବା ଓ ସ୍ଵପ୍ନ ସାକାର ହେବନାହିଁ ବୋଲି ବାସ୍ତବତା ବିଷୟରେ ସଚେତନ ରହିବା, ଏବଂ ଏହି ବିରୋଧାଭାସକୁ ନେଇ କବିତା ଲେଖିବାର ବିରଳ ଦକ୍ଷତା ବରୁଣ ପାଣିଙ୍କର ଥିଲା। ଓଡିଆ ଭାଷା ବ୍ୟବହାରରେ ସେ ଯେଉଁ ପ୍ରକାର ଶବ୍ଦ ଚୟନ କରନ୍ତି, ମୋର ବେଳେ ବେଳେ ସନ୍ଦେହ ହେଉଥିଲା- ଏ ଲୋକ କଣ ସତରେ ଓଡିଶାରେ ରହି ନାହାନ୍ତି!

କବିତା ବ୍ୟତୀତ ତାଙ୍କର ଆଉ ଏକ ଦୁର୍ବଳତା ଥିଲା ଗୀତ ଓ ନାଚ। ଆମ ସମ୍ପର୍କ ବାସ୍ତବରେ ଆରମ୍ଭ ହୋଇଥିଲା ଷଢେଇକଳା ଛଉ ନାଚର ଆଲୋଚନାରୁ। ବରୁଣ ବାବୁ ଷଢେଇକଳା ଛଉ କୁ ନେଇ ସବୁବେଳେ ଭାବପ୍ରବଣ ହୋଇ ପଡନ୍ତି। ଛଉ ନାଚ, ତାର ମୁଖା, ବାଦ୍ୟ, ଗୀତ ଓ ପଦପାତକୁ ନେଇ ସେ ଏତେ ସୂକ୍ଷ୍ମ ସ୍ତରରେ ବର୍ଣ୍ଣନା କରନ୍ତି ଯେ, ମୋତେ ଲାଗେ, ସେ ଭୁଲ ରେ ଛଉ ନାଚି ନାହାନ୍ତି। ଥରେ କହୁ କହୁ କହିଦେଲେ- ମୁଁ ପିଲା ଦିନେ ଛଉ ନାଚିବି ବୋଲି ଭାବୁଥିଲି। ମାତ୍ର ୫୯ ବର୍ଷ ବୟସରେ ସେ ହଠାତ ଚାଲିଗଲେ। ତାଙ୍କର ଯିବା ବୟସ ହୋଇ ନଥିଲା। ଫେସବୁକରେ ଦେଖୁଛି, ମରିବାର ଅଳ୍ପ କେଇ ଘଣ୍ଟା ଆଗରୁ ସେ ଗୀତ ଗାଉଛନ୍ତି। ବନ୍ଧୁ ମାନଙ୍କ ସହ ଗମାତରେ ମାତିଛନ୍ତି। ଓଡିଆଙ୍କ ସାଙ୍ଗରେ ଗପ ଯୋଡିଛନ୍ତି। ଅଥଚ ରାତିରେ ହଠାତ ତାଙ୍କର ହୃତ ସ୍ପନ୍ଦନ ବନ୍ଦ ହୋଇ ଯାଉଛି। ବରୁଣ ପାଣି ନାମକ ସେ ନିରୁତା ଓଡିଆ ଜଣକ ଆଉ ନାହାନ୍ତି। ତାଙ୍କ ବିଷୟରେ ଲେଖିଲା ବେଳେ ମୁଁ ଦେଖୁଛି, ମୋ ମେଲ ବାକ୍ସରେ ତାଙ୍କର ଯେଉଁ ଶେଷ କବିତାର ନାଁ ହେଉଛି “ଶୋକସଭା”। ସ୍ଵାଧୀନ ଦାସ ପାଇଁ ଲେଖା ହୋଇଥିବା ବରୁଣ ପାଣିଙ୍କ ଶୋକସଭା କବିତାଟି କଣ ବିଧାତା ଅଜାଣତରେ ବରୁଣ ପାଣିଙ୍କ ପାଇଁ ହିଁ ଲେଖିଥିଲା!

ଶୋକସଭା (1)