Latest Odisha News

BREAKING NEWS

୧୦ ଜିଲ୍ଲାର ‘ଆହାର’ରେ ବ୍ରହ୍ମପୁର ଆଚାର

ବ୍ରହ୍ମପୁର:ବ୍ରହ୍ମପୁର ଆଚାରର ପ୍ରସିଦ୍ଧି ଦେଶ ବିଦେଶରେ ରହିଛି । ଦୂରଦୂରାନ୍ତରରୁ ଲୋକମାନେ ବ୍ରହ୍ମପୁର ଆସନ୍ତି ଆଚାର କିଣିବା ପାଇଁ । ବ୍ରହ୍ମପୁର ଆଚାରର ଏହି ସ୍ବତନ୍ତ୍ରତା ବର୍ତ୍ତମାନ ମହିଳାଙ୍କ ସଶକ୍ତିକରଣ କରିବା ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛି ।

ମିଶନ ଶକ୍ତି ଏବଂ ବ୍ରହ୍ମପୁର ମହାନଗର ନିଗମର ମିଳିତ ଉଦ୍ୟମରେ ପ୍ରତିଷ୍ଠା ହୋଇଥିବା ବୃହତ ଆଚାର ଉତ୍ପାଦନ କେନ୍ଦ୍ର ଏବେ ସଫଳତାର ସିଢ଼ି ଚଢ଼ିବାରେ ଲାଗିଛି । ଦକ୍ଷିଣ ଓଡ଼ିଶାର ୧୦ଟି ଜିଲାର ‘ଆହାର’ କେନ୍ଦ୍ରକୁ ଆଚାର ଯୋଗାଉଛି ଏହି କେନ୍ଦ୍ର। ମାସକୁ ପ୍ରାୟ ୩.୫ ମେଟ୍ରିକ ଟନ୍‌ ଆଚାର ଉତ୍ପାଦନ ହେଉଛି ।

ପୂର୍ବରୁ ମିଶନ ଶକ୍ତି କେବଳ ଏକ ଅଭିଯାନ ଥିଲା । କିନ୍ତୁ ଏହା ଏକ ସ୍ବତନ୍ତ୍ର ବିଭାଗ ହେବା ପରେ ଗୋଟିଏ ପରେ ଗୋଟିଏ ଅଭିନବ ପଦକ୍ଷେପ ଗ୍ରହଣ କରାଯାଉଛି ।

ଏହି କ୍ରମରେ ପ୍ରାୟ ୫୦ ଲକ୍ଷ ଟଙ୍କାରେ ବ୍ରହ୍ମପୁର ସହରର ମିନାକ୍ଷୀନଗର ଠାରେ ପ୍ରତିଷ୍ଠା କରାଯାଇଛି ‘ମିଶନ ଶକ୍ତି’ ମଲ୍‌। ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ହେଉଥିବା ଦ୍ରବ୍ୟ ବିକ୍ରି ପାଇଁ ଏଠାରେ ରହିଛି ୧୨ଟି ଦୋକାନ ।

ଏତଦ୍‌ ବ୍ୟତିତ ଏହି ମିଶନ ଶକ୍ତି ମଲ୍‌ରେ ରହିଛି ଆଚାର ଉତ୍ପାଦନ କେନ୍ଦ୍ର । ବିଘ୍ନେଶ୍ବର ସ୍ବୟଂ ସହାୟକ ଗୋଷ୍ଠୀ-୨କୁ ଆଚାର ଉତ୍ପାଦନ କେନ୍ଦ୍ରର ଦାୟିତ୍ବ ଦିଆଯାଇଛି । ଗୋଷ୍ଠୀର ୧୦ ଜଣ ମହିଳା ଆଚାର ଉତ୍ପାଦନ ଏବଂ ବିକ୍ରି କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ଏହି ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ମହାନଗର ନିଗମର ଦୁଇଜଣ ଅଧିକାରୀ ପୂର୍ବରୁ ମହୀଶୂର ସ୍ଥିତ କେନ୍ଦ୍ରୀୟ ଖାଦ୍ୟ ବୈଷୟିକ ଗବେଷଣା ପ୍ରତିଷ୍ଠାନ(ସିଏଫ୍‌ଟିଆର୍‌ଆଇ)ରେ ତାଲିମ୍‌ ନେଇଥିଲେ ।

ଖାଦ୍ୟ ପଦାର୍ଥ ପ୍ରସ୍ତୁତିରେ ସ୍ବଚ୍ଛତା ଏବଂ ସ୍ବାସ୍ଥ୍ୟକର ପରିବେଶ ସଂପର୍କରେ ତାଲିମ୍‌ ଦିଆଯାଇଥିଲା । ସେଠାରୁ ତାଲିମ୍‌ ନେଇ ଫେରିବା ପରେ ବ୍ରହ୍ମପୁରରେ ଉତ୍ପାଦନ ଆରମ୍ଭ ହୋଇଥିଲା ।

ମଲ୍‌ ନିର୍ମାଣ ପୂର୍ବରୁ ଗୋସାଇଁନୂଆଗାଁ ଠାରେ ଅସ୍ଥାୟୀ ଭାବେ ଆଚାର ଉତ୍ପାଦନ ହେଉଥିଲା । କିନ୍ତୁ ଗତ ନଭେମ୍ବର ଠାରୁ ମିନାକ୍ଷୀନଗର ସ୍ଥିତ ମଲ୍‌ରେ ଆଚାର ପ୍ରସ୍ତୁତ ହେଉଛି ।

ଗଜପତି ଏବଂ କନ୍ଧମାଳ ଜିଲାର ବିଭିନ୍ନ ଅଞ୍ଚଳରୁ ସ୍ଥାନୀୟ ସ୍ବୟଂ ସହାୟିକା ଗୋଷ୍ଠୀ ଜରିଆରେ ଆମ୍ବ କିଣାଯାଉଛି । ଉତ୍ପାଦନ କେନ୍ଦ୍ରରେ ସ୍ବାସ୍ଥ୍ୟକର ପରିବେଶରେ ଆଚାର ପ୍ରସ୍ତୁତ ହେଉଛି ।

ଆମ୍ବ ପହଞ୍ଚିବା ପରେ ଧୋଇବା, ଆଚାର ତିଆରି କରିବା ଏବଂ ପ୍ୟାକେଜିଂ କାର୍ଯ୍ୟ ପାଇଁ ମଶିନର ବ୍ୟବହାର କରାଯାଉଛି । ସ୍ବୟଂ ସହାୟିକା ଗୋଷ୍ଠୀର ୧୦ଜଣ ସଦସ୍ୟା ଏଥିରେ ନିୟୋଜିତ ହୋଇଛନ୍ତି।

ବିଭାଗ ତରଫରୁ ବ୍ୟାଙ୍କ ଜରିଆରେ ଋଣ ଆଣିବା ପରେ ଉତ୍ପାଦନ କେନ୍ଦ୍ର ପରିଚାଳନା କରାଯାଉଥିବା ସୂଚନା ମିଳିଛି । ରାଜ୍ୟ ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ(ସୁଡ଼ା)ସହଯୋଗରେ ଗଞ୍ଜାମ, ଗଜପତି, କନ୍ଧମାଳ, କୋରାପୁଟ, ରାୟଗଡ଼ା ସହିତ ଦକ୍ଷିଣ ଓଡ଼ିଶାର ୧୦ଟି ଜିଲାର ‘ଆହାର’ କେନ୍ଦ୍ରକୁ ଆଚାର ଯୋଗାଣ ହେଉଛି ।

ଆଚାର କିଲୋ ପ୍ରତି ୪୭ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ‘ଆହାର’ କେନ୍ଦ୍ରକୁ ମାତ୍ର ୫୧ ଟଙ୍କାରେ ବିକ୍ରି କରାଯାଉଛି । ଫଳରେ ଲାଭ କମ୍‌ ହେଉଛି ।

କିନ୍ତୁ ଗତ କିଛି ମାସ ହେଲା ସ୍ଥାନୀୟ ବଜାରକୁ ମଧ୍ୟ ଆଚାର ବିକ୍ରି ଦିଗରେ ମହାନଗର ନିଗମ ତରଫରୁ ଉଦ୍ୟମ ହୋଇଛି । ଏନେଇ କେତେକ ହୋଟେଲ୍‌ ସହ ଆଲୋଚନା ହୋଇଛି ।

ଆଉ କେତେକ ହୋଟେଲକୁ ବିକ୍ରି ମଧ୍ୟ ଆରମ୍ଭ ହୋଇଗଲାଣି । କିନ୍ତୁ ତାହାର ପରିମାଣ ଖୁବ୍‌ କମ୍‌। ବର୍ତ୍ତମାନ ସ୍ଥାନୀୟ ବଜାରରେ ମାସିକୁ ମାତ୍ର ଦେଢ଼ କୁଇଣ୍ଟାଲ୍‌ ଆଚାର ହିଁ ବିକ୍ରି ହେଇପାରୁଥିବା ସୂଚନା ମିଳିଛି ।

ବର୍ତ୍ତମାନ କେବଳ ମିଠା ଆଚାର ପ୍ରସ୍ତୁତ ହେଉଛି । ଆଗାମୀ ଦିନରେ ଅନ୍ୟାନ୍ୟ ପ୍ରକାରର ଆଚାର ମଧ୍ୟ ପ୍ରସ୍ତୁତ ହେବ । ସ୍ବାସ୍ଥ୍ୟକର ପରିବେଶ ଭିତରେ ଉତ୍ପାଦନକୁ ଗୁରୁତ୍ବ ଦିଆଯାଉଛି । ମଶିନର ବ୍ୟବହାର ହେଉଛି ।

ଉପଯୁକ୍ତ ପ୍ରଣାଳୀରେ ଆମ୍ବକୁ ପଚାଇବା ଠାରୁ ପ୍ୟାକେଜିଂ ପର୍ଯ୍ୟନ୍ତ, ସମସ୍ତ କାର୍ଯ୍ୟକୁ ଅତି ତୀକ୍ଷଣ ଭାବେ ତଦାରଖ କରାଯାଉଛି। କେନ୍ଦ୍ର ଦାୟିତ୍ବରେ ଥିବା ପରିଚାଳକ ଏନ.ଅରୁଣ କୁମାରଙ୍କ କହିବାନୁଯାୟୀ, ଆଗାମୀ ଦିନରେ ଦେଶର ବିଭିନ୍ନ ସ୍ଥାନକୁ ଆଚାର ଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଛି ।

ସେହିଭଳି କେତେକ ହୋଟେଲ୍‌ ସହ ମଧ୍ୟ ଆଲୋଚନା କରାଯାଇଛି । ଆଚାର ଉତ୍ପାଦନ କେନ୍ଦ୍ରରେ ଉତ୍ପାଦନ ବୃଦ୍ଧି ସହ ବଜାର ସୃଷ୍ଟିକୁ ବିଶେଷ ଗୁରୁତ୍ବ ଦିଆଯାଉଥିବା ସେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.