Latest Odisha News

BREAKING NEWS

କୃଷକ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ରାୟପୁର : କୃଷି ଆଇନକୁ ବିରୋଧ କରି ଦୁଇ ମାସରୁ ଅଧିକ ଦିନ ହେଲାଣି ଦିଲ୍ଲୀ ସୀମାରେ ଚାଲିଛି ଆନ୍ଦୋଳନ । କୃଷି ଆଇନକୁ ବିରୋଧ କରି ଟ୍ରାକ୍ଟର ରାଲି ଓ ଚକାଜାମ୍ କରାଯାଇଛି । ଆଉ ଏବେ କୃଷକ ଚଳାଇଥିବା ଆନ୍ଦୋଳନକୁ ନେଇ ମୁହଁ ଖୋଲିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ଚାଷୀ ଆନ୍ଦୋଳନକୁ କେନ୍ଦ୍ର ସରକାର ଜାଣିଶୁଣି ଅନ୍ତର୍ଜାତୀୟ ରୂପ ଦେଇଛନ୍ତି ବୋଲି କହିଛନ୍ତି ଭୂପେଶ ବାଘେଲ ।

ହିନ୍ଦୀ ସମ୍ବାଦପତ୍ର ‘ଜନସତ୍ତା’କୁ ସାକ୍ଷାତକାର ଦେଇ ବାଘେଲ କହିଛନ୍ତି ଯେ, ସରକାର ଦିଲ୍ଲୀ ସୀମା ଅବରୋଧ କରି ବସିଥିବା ଚାଷୀଙ୍କ ଆନ୍ଦୋଳନକୁ ଅଢେଇ ରାଜ୍ୟର ବୋଲି କହୁଛନ୍ତି । କିନ୍ତୁ ସାରା ବିଶ୍ବରେ ଚାଷୀଙ୍କ ଆନ୍ଦୋଳନକୁ ନେଇ ଟ୍ବିଟ୍ କରାଯିବାକୁ ସମାଲୋଚନା କରୁଛନ୍ତି କେନ୍ଦ୍ର ସରକାର । ତେଣୁ ସରକାର ନିଜେ ଚାଷୀ ଆନ୍ଦୋଳନକୁ ଅନ୍ତର୍ଜାତୀୟ ରୂପ ଦେଉନାହାନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ବାଘେଲ ।

କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନକୁ କଂଗ୍ରେସ ବିରୋଧ କରିଆସୁଛି । ତେଣୁ ସରକାର ଚାଷୀଙ୍କ ଦାବି ପୂରଣ କରନ୍ତୁ ବୋଲି କହିଛନ୍ତି ବାଘେଲ । ଅନ୍ୟପଟେ ଯେ ପର୍ଯ୍ୟନ୍ତ ଆଇନ ପ୍ରତ୍ୟାହାର ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କୃଷକ ସଙ୍ଗଠନ ରୋକଠୋକ୍ ଶୁଣାଇ ଦେଇଛି ।

Leave A Reply

Your email address will not be published.