Latest Odisha News

BREAKING NEWS

ବିିଦ୍ୟାବାହିନୀ ଟ୍ରଷ୍ଟ ପକ୍ଷରୁ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଖାଦ୍ୟ ଓ ପୋଷଣ ସୁରକ୍ଷା ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନର ସର୍ବାଧିକ କୁପ୍ରଭାବ କୃଷି ଉପରେ ପଡୁଥିବା ବେଳେ ୨୦୫୦ ସୁଦ୍ଧା ଖାଦ୍ୟ ଉପଲବ୍ଧତା ପ୍ରାୟ ଏକ ତୃତୀୟାଂଶ ହ୍ରାସ ପାଇପାରେ ବୋଲି ବିଭିନ୍ନ ଅନୁଧ୍ୟାନରୁ ଜଣା ପଡିଛି । ୨୦୫୦ ମସିହାରେ ପ୍ରାୟ ୫୨୯୦୦୦ ଅଧିକ ଲୋକଙ୍କ ମୃତ୍ୟୁର କାରଣ ହେବାସହ ଜଳବାୟୁ ପରିବର୍ତ୍ତନଜନିତ ଖାଦ୍ୟ ଉପଲବ୍ଧତାରେ ହ୍ରାସ ସବୁଠୁ ବଡ ଘାତକ ଭାବେ ଉଭା ହେବ । ଏଥିରେ ସର୍ବାଧିକ ପ୍ରଭାବିତ ଦେଶଗୁଡିକ ମଧ୍ୟରେ ଭାରତ ଥିବା ବେଳେ ଆମ ଦେଶରେ ଜଳବାୟୁ ପରିବର୍ତ୍ତନ କାରଣରୁ ଅଧିକ ୧୩୬୦୦୦ ଲୋକଙ୍କ ମୃତ୍ୟୁ ହୋଇପାରେ ବୋଲି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଅନୁମାନ କରିଛି ।

ସଂପ୍ରତି ଭାରତର ଜନସଂଖ୍ୟା ପାଖାପାଖୀ ୧୩୭ କୋଟୀ । ମିଳିତ ଜାତିସଙ୍ଘର ୱାର୍ଲ୍ଡ ପପୁଲେସନ ପ୍ରସପେକ୍ଟ ୨୦୧୯ ଅନୁସାରେ ୨୦୨୭ ସୁଦ୍ଧା ଭାରତ ବିଶ୍ୱର ସର୍ବାଧିକ ଜନବହୁଳ ରାଷ୍ଟ୍ର ହେବ । ବିଶ୍ୱର ଜନସଂଖ୍ୟା ୨୦୩୦ରେ ୮୫୦ କୋଟୀ, ୨୦୫୦ରେ ୯୭୦ କୋଟୀ ଏବଂ ୨୧୦୦ରେ ୧୦୯୦ କୋଟୀରେ ପହଞ୍ଚିବ ବୋଲି ଆଶା କରାଯାଉଛି । ଜନସଂଖ୍ୟାରେ ବୃଦ୍ଧି ସହ ଚାହିଦା ମୁତାବକ ଖାଦ୍ୟ ଉତ୍ପାଦନ ଏବଂ ଯୋଗାଣର ଆନୁପାତିକ ଅଭିବୃଦ୍ଧି ଜରୁରୀ । ତେବେ କୃଷି ଉପରେ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବ ଖାଦ୍ୟ ଚାହିଦା ପୂରଣ କ୍ଷେତ୍ରରେ ସବୁଠୁଁ ବଡ ବାଧକ ହେବ ।

ରିପୋର୍ଟ ଅନୁସାରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ପାଣିପାଗରେ ଅସ୍ୱାଭାବିକତା କାରଣରୁ ଖାଦ୍ୟ ଅସୁରକ୍ଷା ଭଳି ସଂକଟର ସାମ୍‌ନା କରିବାକୁ ଯାଉଥିବା ଦେଶମାନଙ୍କ ମଧ୍ୟରେ ଭାରତ ରହିଛି ।

ତାପମାତ୍ରା ବୃଦ୍ଧି ପାଣିପାଗ, ମୌସୁମୀ ଏବଂ କୃଷିକୁ ପ୍ରଭାବିତ କରିବା ସହ ଜଙ୍ଗଲ, ଆର୍ଦ୍ରଭୂମି, ମହାସାଗର ଭଳି ପ୍ରାକୃତିକ ଖାଦ୍ୟ ଉତ୍ସର ମାନକୁ ନିମ୍ନଗାମୀ କରି ପୃଥିବୀର ଖାଦ୍ୟ ସୁରକ୍ଷାକୁ ବିପନ୍ନ କରିବାର ଆଶଙ୍କା ଏବେ ଦୃଢ଼ିଭୁତ ହୋଇଛି । ଖାଦ୍ୟ ଉପଲବ୍ଧତାରେ ହ୍ରାସ କାରଣରୁ ସରକାର ମଧ୍ୟ କ୍ଷୁଧା ଓ ପୃଷ୍ଟିହୀନତା ଦୂରୀକରଣ ଲକ୍ଷ୍ୟ ହାସଲରେ ବିଫଳ ହେବେ ।
ଭବିଷ୍ୟତରେ ଗ୍ରାମାଞ୍ଚଳ ଲୋକ ତଥା ଗରିବ ଶ୍ରେ୍ନଣୀର ଲୋକେ ଏହି ପ୍ରସଙ୍ଗରେ ସର୍ବାଧିକ କ୍ଷତିଗ୍ରସ୍ତ ହେବେ ବୋଲି ଅନୁମାନ କରାଯାଉଛି । ଉଲ୍ଲେଖଯୋଗ୍ୟକି, ସଂପ୍ରତି ଓଡିଶା ତଥା ଦେଶର ଗ୍ରାମାଞ୍ଚଳ ଏବଂ ଆଦିବାସୀ ବହୁଳ ଅଞ୍ଚଳରେ କ୍ଷୁଧା ଓ ପୃଷ୍ଟିହୀନତାର ଆଖିଦୃଶିଆ ଉପସ୍ଥିତି ରହିଛି ।
ଭବିଷ୍ୟତର ଏହି ସମ୍ଭାବ୍ୟ ଦୃଶ୍ୟପଟ୍ଟ ଏତେ ସଙ୍କଟଜନକ ଯେ, ସମଗ୍ର ବିଶ୍ୱ ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ଆଲୋଚନା କରି ଏ ସମ୍ପର୍କରେ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିବାର ଆବଶ୍ୟକତା ଦେଖାଦେଇଛି ।

ଲୋହିଆ ଏକାଡେମୀ ସଭାକକ୍ଷରେ ଫେବୃଆରୀ ୨୯, ୨୦୨୦ରେ ଅନୁଷ୍ଠିତ ହେବାକୁ ଥିବା ଆଲୋଚନାଚକ୍ର ବିଦ୍ୟାବାହିନୀ ଟ୍ରଷ୍ଟ ପକ୍ଷରୁ ଏ ଦିଗରେ ଏକ ପଦକ୍ଷେପ । ଆଲୋଚନାଚକ୍ରରେ ଭାଗନେବାକୁ ଥିବା ଜଳବାୟୁ ଉପଯୋଗୀ କୃଷିର ପୃଷ୍ଠପୋଷକ, ବିଶେଷଜ୍ଞ, ଶିକ୍ଷାବିତ୍ ଆଦି ଏହି ପ୍ରସଙ୍ଗରେ ଆଲୋଚନା କରିବେ ।

ରାଜନୈତିକ ନେତତ୍ୱ୍ୱ, ନୀତି ନିର୍ଦ୍ଧାରକ, ସାମାଜିକ ସଂଠନର ସଦସ୍ୟ ତଥା ସାଧାରଣ ଜନତାଙ୍କୁ ମାନବ ସଭ୍ୟତା ପାଇଁ ଏକ ବଡ ବିପଦ ଭାବେ ଉଭା ହେବାକୁ ଯାଉଥିବା ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ସଚେତନ କରିବା ସହ ଭବିଷ୍ୟତରେ ଏହି ଭୟଙ୍କର ପରିସ୍ଥିତିର ମୁକାବିଲା କରିବା ନିମନ୍ତେ ନିୟୋଜିତ ହେବାକୁ ସେମାନଙ୍କୁ ଉତ୍ସାହିତ କରିବା ଏହି ଆଲୋଚନାଚକ୍ରର ଉଦ୍ଦେଶ୍ୟ । ଏଠାରେ ଜଳବାୟୁ ପରିବର୍ତ୍ତନ ଓ ଏହାର ସମ୍ଭାବ୍ୟ ପ୍ରଭାବ ସଂପର୍କୀତ ଆଲୋଚନାଚକ୍ରକୁ ପ୍ରୋତ୍ସାହନ ସହ କାର୍ଯ୍ୟଧାରା ଏବଂ ସୁପାରିସ ଆଧାରରେ ଭବିଷ୍ୟତ କାଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ ଯୋଜନା ମଧ୍ୟ ରହିଛି ।

Leave A Reply

Your email address will not be published.