ପାଟଣା: ବିହାରର ଜାମୁଇରେ ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ନନ୍ଦନ ଯାଦବ ପୋଲିସ ଏନକାଉଣ୍ଟରରେ ଆହତ ହୋଇଛି।
ସୂତ୍ର ଅନୁଯାୟୀ ଅଭିଯୁକ୍ତ ସେହି ମାଡୱା ପାହାଡ଼ ନିକଟରେ ଲୁଚି ରହିଥିବା ଜଣାପଡିଛି ଯେଉଁଠାରେ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିଲା। ପୋଲିସ ଅନୁଯାୟୀ, ଭାଇରାଲ ଭିଡିଓରେ ଲାଲ ସ୍କାର୍ଫ ପିନ୍ଧିଥିବା ଯୁବକ ଜଣକ ନନ୍ଦନ। ଆହତ ଅବସ୍ଥାରେ ତାକୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପୋଲିସ ଏହି ମାମଲାରେ ସମସ୍ତ ଛଅ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ବୟସ ୩୫ରୁ ୪୦ ବର୍ଷ ମଧ୍ୟରେ। ଯେତେବେଳେ କି ତିନି ଜଣ ନାବାଳକ ବୋଲି କୁହାଯାଉଛି।
ଆଇନ ଏବଂ ଶୃଙ୍ଖଳା ବିଭାଗର ଆଡଜି. ସୁହିତା ଅନୁପମ କହିଛନ୍ତି, “ନନ୍ଦନ ପୋଲିସଠାରୁ ଖସିଯିବାକୁ ଚେଷ୍ଟା କରୁଥିଲା। ଏହି ସମୟରେ ପୋଲିସ ପକ୍ଷରୁ ଏନକାଉଣ୍ଟର କରାଯାଇଥିବା ବେଳେ ତା ଗୋଡରେ ଗୁଳି ବାଜିଥିଲା।”
ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୧୯ ତାରିଖ ସନ୍ଧ୍ୟାରେ କୋଚିଂରୁ ଫେରୁଥିବା ଦୁଇ ଛାତ୍ରଛାତ୍ରୀଙ୍କୁ ରାସ୍ତାରେ ଏକ ଗୋଷ୍ଠୀ ଅଟକାଇ ହଇରାଣ କରିଥିବା ଅଭିଯୋଗ ହୋଇଛି। ଘଟଣାର ଭିଡିଓ ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ନାବାଳକଙ୍କୁ ହଟାଇ କିଛି ବ୍ୟକ୍ତି ମୁହଁରେ କପଡା ବାନ୍ଧି ନାବାଳିକାଙ୍କୁ ଜୋର ଜବରଦସ୍ତି ଟେକି ନେଉଥିବାର ଦୃଶ୍ୟ ରହିଛି । ପରେ ସେଇ ପଟ ଦେଇ ଯାଇଥିବା କିଛି ବ୍ୟକ୍ତି ତାଙ୍କୁ ଉଦ୍ଧାର କରିଥିବା ବେଳେ ଅଭିଯୁକ୍ତମାନଙ୍କୁ ଘଉଡାଇ ଥିଲେ । ପୋଲିସ ଭିଡିଓକୁ ତଦନ୍ତର ଆଧାର କରିଛି।

