Latest Odisha News

BREAKING NEWS

ସାଧାରଣ ନିର୍ବାଚନ ୨୦୨୪: ବରଗଡରେ ବିପୁଳ ସଂଖ୍ୟାରେ ନାମାଙ୍କନ ଭରିଲେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ

ବରଗଡ଼: ସାଧାରଣ ନିର୍ବାଚନ ପାଇଁ ଆଜି ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି । ବରଗଡ଼ ଲୋକସଭା ଏବଂ ପଦ୍ମପୁର, ବିଜେପୁର, ବରଗଡ଼ ଅତାବିରା ଏବଂ ଭଟଲି ବିଧାନସଭା ଆସନ ପାଇଁ ଆଜି ଅର୍ଥାତ୍ ୨୬ ଏପ୍ରିଲ ରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସେହିପରି ମେ’ ମାସ ୩ ତାରିଖ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି ଏବଂ ୬ ମେ’ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ସମୟ ରହିଛି ।

ତେବେ ଆଜି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲର ପ୍ରଥମ ଦିନରେ ହିଁ ଭଟଲି ବିଧାନସଭା ଆସନ ପାଇଁ ବିଜେଡି ଦଳର ବିଧାୟକ ପ୍ରାର୍ଥୀ ସୁଶାନ୍ତ ସିଂ ନିରାଡମ୍ବର ଭାବେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସୁଶାନ୍ତ ବରଗଡ଼ ଜିଲ୍ଲାପାଲ ଅଫିସ ପହଞ୍ଚି ଏଡିଏମ୍ ମଧୁଛନ୍ଦା ସାହୁଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତାଙ୍କ ସହ ବରଗଡ଼ ବିଜେଡି ସାଂସଦ ପ୍ରାର୍ଥୀନୀ ପରିଣିତା ମିଶ୍ର ଓ ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁଶାନ୍ତ ମହାପାତ୍ରଙ୍କ ସହିତ ଶତାଧିକ ସମର୍ଥକ ଉପସ୍ଥିତ ରହିଥିଲେ ।

ସେହିପରି, ବିଜେପୁର ବିଧାନସଭା ଆସନ ପାଇଁ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ କିଶୋର ଦଫାଦାର ମଧ୍ୟ ସ୍ଥାନୀୟ ଡିଆରଡିଏ କାର୍ଯ୍ୟାଳୟ ଠାରେ ସିଡିଓ ସୁଶାନ୍ତ ସିଂ ଙ୍କ ଠାରେ ନାମାଙ୍କନ ପାତ୍ର ଦାଖଲ କରିଛନ୍ତି । ଏହି ସମୟରେ କଂଗ୍ରେସ ପ୍ରାର୍ଥୀ କିଶୋର ଦଫାଦାରଙ୍କ ସହିତ ତାଙ୍କର ଅନେକ ସମର୍ଥକ ଉପସ୍ଥିତ ରହିଥିଲେ । କଂଗ୍ରେସ ଦଳର ସାଂସଦ ପ୍ରାର୍ଥୀ ସଞ୍ଜୟ ଭୋଇ ମଧ୍ୟ ଆଜି ନାମାଙ୍କନ ପତ୍ର ଦାଖଲ ର ପ୍ରଥମ ଦିନରେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

କଂଗ୍ରେସ ସାଂସଦ ପ୍ରାର୍ଥୀ ସଞ୍ଜୟ ଭୋଇ ପ୍ରଥମେ ସମଲେଶ୍ଵରୀ ମନ୍ଦିର ଠାରେ ପୂଜାର୍ଚ୍ଚନା କରିବାପରେ ଏକ ରେଲି ସାହାଯ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚିଥିଲେ ଏବଂ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତାଙ୍କ ସହିତ ଭଟଲି ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ବ୍ରହ୍ମା ମାହାକୁଡ, ବରଗଡ ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ନିପନ ଦାସଙ୍କ ସମେତ ଅନେକ କଂଗ୍ରେସ ନେତା ଉପସ୍ଥିତ ରହିଥିଲେ ।

ତେବେ ପଦ୍ମପୁର ଉପଖଣ୍ଡ ପଦ୍ମପୁର ବିଧାନସଭା ଆସନ ପାଇଁ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଟଙ୍କଧର ସାହୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ତଥା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରିଟନିଂ ଅଫିସରଙ୍କ ଠାରେ ପଦ୍ମପୁର ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଟଙ୍କଧର ସାହୁ ତାଙ୍କ ସମର୍ଥକଙ୍କ ସହିତ ରାଲିରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ତେବେ ନାମାଙ୍କନ ପାତ୍ର ଦାଖଲର ପ୍ରଥମ ଦିନରେ ଏତେ ସଂଖ୍ୟାରେ ପ୍ରାର୍ଥୀ ମାନଙ୍କର ନାମାଙ୍କନ ପତ୍ର ଦାଖଲ ପୂର୍ବରୁ କେବେ ମଧ୍ୟ ହୋଇନଥିବା ବେଳେ ଚଳିତ ନିର୍ବାଚନରେ ଏହା ଇତିହାସ ରଚିଛି ।

Leave A Reply

Your email address will not be published.