Latest Odisha News

BREAKING NEWS

ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା: ୧୫ବର୍ଷ ପୂର୍ବେ ଏହି କାରଣରୁ ଏନଡିଏର ହାତ ଛାଡିଥିଲେ ନବୀନ

ଭୁବନେଶ୍ଵର: ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ କ୍ଷମତାରେ ଥିବା ବିଜୁ ଜନତା ଦଳ(BJD) ବିରୋଧି ଭାରତୀୟ ଜନତା ପାର୍ଟି (BJP) ସହ ମେଣ୍ଟ ଗଠନକୁ ନେଇ ଚର୍ଚ୍ଚା ଜୋର ଧରିଛି । ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରୀ ବାସଭବନରେ ବିଜେଡି ନେତାମାନଙ୍କର ଏକ ବୈଠକ ହୋଇଛି । ସେପଟେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ଅନ୍ୟ ବିଜେପି ନେତାମାନେ ଦିଲ୍ଲୀରେ ଅନୁଷ୍ଠିତ ଏକ ବୈଠକରେ ଯୋଗ ଦେଇଛନ୍ତି । ତେବେ ଉଭୟ ବୈଠକରେ ମେଣ୍ଟ ଗଠନ ଏବଂ ଅନ୍ୟାନ୍ୟ ନିର୍ବାଚନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିବା ନେଇ ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଦୁଇ ଦଳ ମଧ୍ୟରେ ଏହି ସମ୍ଭାବ୍ୟ ଚୁକ୍ତି ରାଜ୍ୟର ରାଜନୈତିକ ଦୃଷ୍ଟପତରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିପାରେ | ଯଦିଓ ଏନେଇ ଏଯାବତ୍ କୌଣସି ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ ତେବେ ଦୁଇ ଦଳ ମଧ୍ୟରେ ମେଣ୍ଟ ନେଇ ଆଲୋଚନା ହୋଇଛି ବୋଲି ପରୋକ୍ଷରେ କହିଛନ୍ତି ଉଭୟ ଦଳର ନେତା । BJP ସାଂସଦ ଜୁଏଲ ଓରାମ ଯାହା କହିଛନ୍ତି ସେଥିରୁ ସବୁକିଛି ବୁଝି ହୋଇଯାଇଛି । ସେ କହିଛନ୍ତି ଯେ ବୈଠକରେ ମେଣ୍ଟ ସଂପର୍କରେ ଆଲୋଚନା ହୋଇଛି। ହେଲେ ମେଣ୍ଟ ହେବ କି ନାହିଁ ସେ ସଂପର୍କରେ କେନ୍ଦ୍ରୀୟ ନେତୃବୃନ୍ଦ ନିଷ୍ପତି ନେବେ। ଏଥିରୁ ସ୍ପଷ୍ଟ ହୋଇଛି ଯେ ବିଜେଡି ବିଜେପି ପୁଣି ଥରେ ମେଣ୍ଟ ହେବା ନିଶ୍ଚିତ।

ସୂଚନାନୁସାରେ, ମେଣ୍ଟ ପରିସ୍ଥିତିରେ ବିଜେପି ଅଧିକ ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବା ବେଳେ ବିଜେଡି ଅଧିକ ବିଧାନସଭା ଆସନ ଉପରେ ଧ୍ୟାନ ଦେବ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରସ୍ପରକୁ ସର୍ବସାଧାରଣରେ ପ୍ରଶଂସା କରିବା ପରେ ମେଣ୍ଟକୁ ନେଇ ଚର୍ଚ୍ଚା ଅଧିକ ହେଉଛି । ଉଭୟ ନେତା ପରସ୍ପରର ଅବଦାନକୁ ସ୍ୱୀକାର କରିଛନ୍ତି ଏବଂ ବିଜେଡି ମଧ୍ୟ ସଂସଦରେ ମୋଦୀ ସରକାରଙ୍କ ଏଜେଣ୍ଡାକୁ ସମର୍ଥନ କରିଛି। ୧୯୯୮ ରୁ ୨୦୦୯ ଭିତରେ ବିଜେଡି-ବିଜେପି ମେଣ୍ଟ ଦ୍ଵାରା ଗତ ଦୁଇଟି ବିଧାନସଭା ନିର୍ବାଚନ ଏବଂ ତିନିଟି ଲୋକସଭା ନିର୍ବାଚନରେ ସଫଳତା ପାଇଥିଲେ । ଫେବୃଆରୀ ୧୯୯୮ରେ ଗଠିତ ଏହି ସହଭାଗୀତାର ମୂଳଦୁଆ ଦୃଢ ରହିଥିଲା । ତେଣୁ ଉଭୟ ଦଳ ୧୯୯୮,୧୯୯୯ ଏବଂ ୨୦୦୪ରେ ଲୋକସଭା ନିର୍ବାଚନ ସହିତ ୨୦୦୦ ଏବଂ ୨୦୦୪ରେ ବିଧାନସଭା ନିର୍ବାଚନରେ ​​ସଫଳତାର ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

ଏକଦା ଏନଡିଏରେ ବିଜେପିର ସବୁଠାରୁ ନିର୍ଭରଯୋଗ୍ୟ ସହଯୋଗୀ ଭାବରେ ବିବେଚିତ ହୋଇଥିବା BJD ଏହି ମେଣ୍ଟ ୨୦୦୯ ରେ ସିଟ୍ ବଣ୍ଟାକୁ ନେଇ ଆଲୋଚନା ବିଫଳ ହେବା ପରେ ଭାଙ୍ଗି ଦେଇଥିଲା l ୧୫ ବର୍ଷ ପୂର୍ବେ, ଯେତେବେଳେ ବିଜେଡି ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲା, ସେତେବେଳେ ସୁଷମା ସ୍ୱରାଜ କହିଥିଲେ ଯେ, “ଦିନ ଆସିବ ଯେଉଁଦିନ ନବୀନ ପଟ୍ଟନାୟକ ଏହି ୧୧ ବର୍ଷର ଚୁକ୍ତି ଭାଙ୍ଗିଥିବାରୁ ଦୁଃଖ ପ୍ରକାଶ କରିବେ।” ପୁଣି ଥରେ ମେଣ୍ଟ କରି ହୁଏତ ନବୀନ ୨୦୦୯ର ତିକ୍ତତାକୁ ଦୁରେଇବାକୁ ଚାହୁଁଥିବେ ।

Leave A Reply

Your email address will not be published.