Latest Odisha News

BREAKING NEWS

ବରକନ୍ୟା ଝରଣା ବୁଲିଲେ ବିଜେଡି ନେତା, ପର୍ଯ୍ୟଟନସ୍ଥଳୀ ମାନ୍ୟତା ପ୍ରତିଶୃତି ଦେଲେ ପ୍ରଣବ

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ଜଙ୍ଗଲ ଓ ପାହାଡ଼ ଘେର ଭିତରେ ରହିଛି ବରକନ୍ୟା ଝରଣା । ସ୍ଥାନୀୟ ବିଧାୟକ ଅରୁଣ ସାହୁଙ୍କୁ ଆମନ୍ତ୍ରଣ ରକ୍ଷା କରି ଜିଲ୍ଲାର ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ସରହଦ ରିଜର୍ଭ ଫରେଷ୍ଟରେ ଗୁରୁବାର ସକାଳୁ ସକାଳୁ ପହଞ୍ଚିଥିଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକ ଏବଂ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର । ଆଉ ବର୍ଷସାରା କୁଳୁକୁଳୁ ଶବ୍ଦରେ ବହି ଚାଲିଥିବା ବରକନ୍ୟା ଝରଣା ପାଖରେ ସଭିଏଁ ବିତାଇଥିଲେ ବେଶ୍ କିଛି ସମୟ। ସମସ୍ତେ ମନୋଲୋଭା ପାକୃତିକ ବେଶକୁ ଉପଭୋଗ କରିବାର ଦେଖିବାକୁ ମିଳିଥିଲା। ଅରୁଣ ମଧ୍ୟ ସମସ୍ତଙ୍କୁ ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ବିଷୟରେ ବୁଝାଉଥିବାର ଦେଖିବାକୁ ମିଳିଥିଲା ।

ଝରଣାର ସୌନ୍ଦର୍ଯ୍ୟ ଦେଖି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଏତେ ଖୁସି ହୋଇଥିଲେ ଯେ ଢେର ପ୍ରଶଂସା ସହ ଏହି ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ। ବିଜେଡିର ତୁଙ୍ଗ ନେତା ଓ ମନ୍ତ୍ରୀଙ୍କ ଗସ୍ତକୁ ଦେଖି ସେଠାରେ ପହଞ୍ଚିଥିଲେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର, ସୁବାଷ କହଁର, ସରୋଜ ରଣସିଂହ, ବିରଜା ଲକ୍ଷ୍ମୀ ସାହୁ ଏବଂ ଝିଲ୍ଲୀ ପ୍ରଧାନ । ଏପରିକି ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଓଡ଼ଗାଁ ବିଡିଓ ସନ୍ତୋଷ କୁମାର ଜେନା ଏବଂ ତହସିଲଦାର ଅନୀଲ କୁମାର ଆଚାର୍ଯ୍ୟଙ୍କୁ ମଧ୍ୟ ସେଠାରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।

ସେପଟେ ବିଜେଡି ନେତାଙ୍କ ବରକନ୍ୟା ଝରଣା ବୁଲାବୁଲି ଏବେ ନୟାଗଡ଼ ସମେତ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.