Latest Odisha News

BREAKING NEWS

ବିଜୁ ଜନତା ଦଳ କାହା ସପକ୍ଷରେ ‘ନବ ନା ଗୋପାଳ’ ?: ମନୋଜ ମହାପାତ୍ର

ଭୁବନେଶ୍ୱର: ଅତୀତରେ ଘଟି ଯାଇଥିବା ଅନେକ ସମ୍ବଦନଶୀଳ ପ୍ରସଙ୍ଗ ଭଳି ମୁଖ୍ୟମନ୍ତ୍ରୀଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ, ବିରୋଧୀ ଦଳ ପ୍ରତି ଆକ୍ଷେପ ଓ ଶାସକ ବିଜୁ ଜନତା ଦଳ ନେତା, ବିଧାୟକ ଓ କାର୍ଯ୍ୟକର୍ତାଙ୍କ ପ୍ରତିକ୍ରିୟାକୁ ଅନୁଶୀଳନ କଲେ ଶାସାକ ବିଜୁ ଜନତା ଦଳ ସ୍ୱର୍ଗତଃ ନବ ଦାସଙ୍କ ପରିବାର ସପକ୍ଷରେ ନା ହତ୍ୟା ଅଭିଯୁକ୍ତ ଗୋପାଳ ଦାସଙ୍କୁ ପାଗଳ ସଜାଇ ଖସାଇ ଦେବା ସପକ୍ଷରେ ଅଛନ୍ତି ବୋଲି ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ପ୍ରଶ୍ନ କରିଛନ୍ତି ।

ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଓ ବିରୋଧୀ ଦଳ ଉପରେ ଆକ୍ଷେପ ଉପରେ ଆଜି ପୁଣି ବର୍ଷିଛି ବିଜେପି । ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର କହିଛନ୍ତି ଯେ, ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଭାବେ ଭାରତୀୟ ଜନତା ପାର୍ଟିର ଅଭିଯୋଗର ଜବାବ୍ ନଦେଇ ଆକ୍ଷେପ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିଜେପି କେବେହେଲେ ରାଜନୀତି କରିନାହିଁ କି ଓଡ଼ିଶା ପୋଲିସ ମନୋବଳକୁ ହ୍ରାସ କରିନାହିଁ । ବରଂ ପୋଲିସର ରାଜନୀତିକରଣକୁ ବିରୋଧ କରୁଛି ଆଉ କରିବୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମରଣ କରାଇ ଦିଆଯାଇପାରେ ଯେ, ଜଣେ ପୋଲିସ ଅଫିସରଙ୍କୁ ଅପହରଣ ଓ ମରଣାନ୍ତ୍ରକ ସଂଘର୍ଷ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟ୍ ସହଯୋଗୀ । ୨୦୦୫ ମସିହାରେ ତତ୍କାଳୀନ ବିଜୁ ଜନତା ଦଳ ବିଧାୟକ ତଥା ବର୍ତମାନର ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କାମାକ୍ଷାନଗର ଥାନା ଅଧିକାରୀ ରତନ କୁମାର ସାହୁଙ୍କ ଘର ଭିତରେ ପଶି ସଂଘବଦ୍ଧ ମରଣାନ୍ତ୍ରକ ଆକ୍ରମଣ, ଅପହରଣ କରିବା ଭଳି ସଙ୍ଗୀନ ମାମଲା ବର୍ତମାନ ସୁଦ୍ଧା ବିଚାରାଧିନ ଅଛି । ଏହି ଅଭିଯୁକ୍ତଙ୍କୁ କ୍ୟାବିନେଟ୍ ସ୍ଥାନ ଦେବା ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ପୋଲିସ ପ୍ରତି କି ପ୍ରକାର ସମ୍ମାନ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।

ଅତୀତରେ ପରୀ, ମମିତା ଭଳି ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ କ୍ରାଇମବ୍ରାଂଚର ତଦନ୍ତ ମଧ୍ୟ ଯଥା ପୂର୍ବଂ ତଥା ପରଂ । ଅଭିଯୋଗ ସୁଚିନ୍ତିତ ଷଡଯନ୍ତ୍ରର, କିନ୍ତୁ କ୍ରାଇମବ୍ରାଂଚର ତଦନ୍ତ ସେ ଆଡକୁ ଯାଉନାହିଁ । କେବଳ ଗୋପାଳ ଦାସଙ୍କ ଚାରିପାଖରେ ଘୁରୁଛି କ୍ରାଇମବ୍ରାଂଚ । ଭାରତୀୟ ଜନତା ପାର୍ଟି ପ୍ରଶ୍ନ କରିଛି ଯେ, ଏପର୍ଯ୍ୟନ୍ତ ଏହି ମାମଲାରେ ୧୨୦(ବି) ଅପରାଧିକ ଷଡଯନ୍ତ୍ରକୁ ଯୋଡା ଯାଇନାହିଁ କାହିଁକି କି? ସେଦିନ ନବ ଦାସ ବସିଥିବା ଗାଡିକୁ ଜବତ କରି ରଖାଯାଇଛି ତ ?

ଅଭିଯୁକ୍ତ ଗୋପାଳ ଦାସ ପତ୍ନୀ କହିଥିଲେ ଯେ, ତାଙ୍କ ମୁଣ୍ଡ ଦୋଷ ଅଛି । ସେ ଝିଅ ସାଙ୍ଗରେ ଭିଡିଓ କଲ୍‌ରେ କଥା ହେଉଥିଲେ ଓ ଅର୍ଜେଂଟ କଲ ଆସୁଛି କହି ଫୋନ କାଟିଥିଲେ । ତା’ହେଲେ ସେ କଲ୍ କାହାର? ଗୋପାଳ ଦାସ କଲ ରେକର୍ଡ ଯାଂଚ କରାଯାଉଛି କି ? ପୁନଶ୍ଚ ଏପର୍ଯ୍ୟନ୍ତ କ୍ରାଇମବ୍ରାଂଚ ଯେଉଁ ତଥ୍ୟ ପ୍ରମାଣ ଯୋଗାଡ କରୁଛି, ତାହା ଅଭିଯୁକ୍ତର ମାନସିକ ସ୍ଥିତି ଉପରେ, ଯାହା ଅଭିଯୁକ୍ତର ସପକ୍ଷରେ ବି ଯାଇପାରେ । କିନ୍ତୁ ପ୍ରତ୍ୟକ୍ଷ ଦର୍ଶୀମାନେ ଟିଭିରେ କହୁଛନ୍ତି ଅଥଚ ସେମାନଙ୍କ ୧୬୧ ଓ ୧୬୪ବୟାନ ରେକର୍ଡ ହୋଇଛି କି ନାହିଁ । ଯଦି ନା, ତାହାଲେ ଏତେ ଦିନ ଯାଏ ବୟାନ ରେକର୍ଡ କରାନଯିବାର କାରଣ କଣ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।

ଅଭିଯୁକ୍ତ ଗୋପାଳ ଦାସ କୁଆଡେ ବହୁଥର ଆୱାର୍ଡ ପାଇଥିଲେ ଓ ନଗଦ ଅର୍ଥରାଶି ପୁରସ୍କାର ପାଇଥିଲେ । ଅନ୍ୟପଟେ ଅଭିଯୁକ୍ତ ଗୋପାଳ ଦାସ ମାନସିକ ରୋଗରେ ପିଡିତ ଥିବା କ୍ରାଇମବ୍ରାଂଚ ତଦନ୍ତ କରୁଛି । ତାହାଲେ ମାନସିକ ରୋଗରେ ପୀଡିତ ଥିବା ପୋଲିସ ଅଧିକାରୀ ଭଲ ତଦନ୍ତ କରନ୍ତି କିପରି ? ଅଭିଯୁକ୍ତର ୨୮ବର୍ଷର ଚାକିରୀ କାଳରେ ସେ ଏଏସଆଇ ପଦୋନ୍ନତି ପାଇ ଝାରସୁଗୁଡା ବଦଳି ହୋଇଥିଲେ । ସେଠାରେ ଦୀର୍ଘ ୧୨-୧୪ବର୍ଷ ରହିଥିବା ସତ୍ୟ କି? ଝାରସୁଗୁଡାରେ ଥିବାବେଳେ ଏସ୍‌ଆଇ ପଦୋନ୍ନତିକୁ ଅଗ୍ରାହ୍ୟ କରିଥିବା ସତ୍ୟ କି? ଅଭିଯୁକ୍ତ ପଦୋନ୍ନତି ପାଇଥିଲେ ଅନ୍ୟ ଜିଲ୍ଲାକୁ ବି ଯିବାକୁ ପଡିଥାନ୍ତା ।

ତା’ହେଲେ ଅଭିଯୁକ୍ତର ଝାରସୁଗୁଡା ପ୍ରୀତି କାହିଁକି ? ଝାରସୁଗୁଡା ଜିଲ୍ଲାର ବହୁ କୋଇଲା ବ୍ୟବସାୟୀ ଓ କମ୍ପାନୀର ଏଜେଂଟ ଭାବେ କ୍ଷମତାରେ ଥିବା ରାଜନେତା ଓ ଅଫିସରଙ୍କୁ ଅର୍ଥ ଆଣି ଦେଉଥିଲା କି? କୋଇଲା ବ୍ୟବସାୟୀ, କମ୍ପାୀମାନଙ୍କଠାରୁ ଅର୍ଥ ଆଣି କାହା କାହାକୁ ଆପ୍ୟାୟିତ କରୁଥିଲା ତା’ର ତଦନ୍ତ ହେବ କି? କୁଆଡେ ଅନ୍ୟ ରାଜନେତା ଓ ଅଫିସରମାନଙ୍କ ଏଜେଂଟାଭାବେ କାମ କରୁଥିବା ଯୋଗୁଁ ଅଭିଯୁକ୍ତ ସ୍ୱର୍ଗତଃ ନବ ଦାସ ତାଙ୍କୁ ବିରକ୍ତ ହେଉଥିବା ସତ୍ୟ କି? ଏସବୁ ଦିଗରେ କ୍ରାଇମବ୍ରାଂଚ କାହିଁକି ତଦନ୍ତ କରୁନାହାନ୍ତି । ଅଭିଯୁକ୍ତ ଗୋପାଳ ଦାସ କେଉଁ କେଉଁ କେଶ ତଦନ୍ତ କରି ପୁରସ୍କାର ପାଇଛି, ତାହାର ସ୍ପଷ୍ଟୀକରଣ ଦିଆଯିବା ଉଚିତ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।

ମମିତା ମେହେର ହତ୍ୟାକାଣ୍ଡ ଓ ନବ ଦାସ ହତ୍ୟାକାଣ୍ଡର ସମାନତା ଉପରେ ଏକ ସମୀକ୍ଷା ପେଶ୍ କରିଛି ଭାରତୀୟ ଜନତା ପାର୍ଟି । ସ୍ୱର୍ଗତଃ ମମିତା ମେହେର ବାପା ଅଭିଯୋଗ କରିଥିଲେ ଯେ, ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସ୍କାଣ୍ଡାଲ ପାଇଁ ମହାଲିଙ୍ଗ କଲେଜକୁ ନିୟମିତ ଆସୁଥିଲେ । ପରବର୍ତୀ ପଯର୍ଯ୍ୟାୟରେ ଏହି ଅଭିଯୋଗକାରୀ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଉପରେ ତାଙ୍କର ଭରସା ଅଛି । ନବ ଦାସ ହତ୍ୟାଦିନ ତାଙ୍କର କାକା କହିଲେ, ଟପଲେବୁଲ ଷଡଯନ୍ତ୍ର ଅଛି । ଏବେ ନବଙ୍କ ଝିଅ କହୁଛି, ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି ।

ମମିତା ମେହେର ମାମଲାରେ କ୍ରାଇମବ୍ରାଂଚ ସେକ୍ସ ସ୍କାଣ୍ଡାଲ ଓ ବିବାଦୀୟ ମନ୍ତ୍ରୀଙ୍କୁ ତଦନ୍ତ ପରିସରକୁ ଆଣିଲା ନାହିଁ । ଏକ୍ଷେତ୍ରରେ ମଧ୍ୟ ଟପଲେବୁଲ ଷଡଯନ୍ତ୍ର ପ୍ରସଙ୍ଗକୁ ମଧ୍ୟ କ୍ରାଇମବ୍ରାଂଚ ଏଡାଇଯିବାକୁ ଚାହୁଁଛି କି ବୋଲି ପ୍ରଶ୍ନ କରିଛନ୍ତି । ଘଟଣାର ସତ୍ୟାସତ୍ୟ ଉନ୍ମୋଚନ ପାଇଁ ରାଜ୍ୟ ସରକାର ତଦନ୍ତ ଭାର ସିବିଆଇକୁ ଦିଅନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।

Leave A Reply

Your email address will not be published.