ଭୁବନେଶ୍ୱର: ପୁରୀ ଜିଲ୍ଲା କଣାସ ବ୍ଲକରେ ଝାଡ଼ାବାନ୍ତିରେ ମୃତ୍ୟୁ ପ୍ରସଙ୍ଗକୁ ନେଇ, ଆଜି ସରକାରଙ୍କୁ ପୁଣି ପ୍ରଶ୍ନର କାଠଗଡାକୁ ଟାଣିଛି ବିଜେଡ଼ି। ସାତ ମାସ ବିତିଲାଣି, ସରକାର ଖାଲି ରଙ୍ଗ ବଦଳାଉଛନ୍ତି, ହେଲେ ମଣ୍ଡିପଙ୍କାରେ ନା ଚାଉଳ ପହଂଚିଲା, ନା କଣାସରେ ପାଣି। ଏଥିସହିତ କଣାସରେ ପାଣି ଦୂଷିତ, ପିଇବା ପାଣି ନାହିଁ ବୋଲି ଅଭିଯୋଗ କରିଛି ବିଜେଡ଼ି।
ଏନେଇ ବିଜେଡି ପ୍ରେସମିଟ କରି ସରକାରଙ୍କ ଉପରେ ବର୍ଷିଛି। ଏନେଇ ବିଜେଡି ନେତା ଉମାକାନ୍ତ ସାମନ୍ତରାୟ କହିଛନ୍ତି, କଣାସରେ ଝାଡାବାନ୍ତି ଯୋଗୁଁ ଅନେକ ମଲେଣି ଆଉ ଅନେକ ଅସୁସ୍ଥ ଅଛନ୍ତି। ହେଲେ ସେ ସ୍ଥାନକୁ ସରକାର ଯାଉନାହାନ୍ତି। ନୂଆ ସରକାର କି ତର୍ଜମା କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଉମାକାନ୍ତ। ଏଥିସହିତ ସେ ଅଭିଯୋଗ ବି କରିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୟା ନଦୀରେ ମେଗା ଟ୍ରିଟମେଣ୍ଟ ପ୍ଲାଣ୍ଟ ପାଇଁ ମଞ୍ଜୁରୀ ଦେଇଥିଲେ, ହେଲେ କାମ ନୂଆ ସରକାର ସମୟରେ ବନ୍ଦ ପଡିଛି। ଏଥିପାଇଁ ସରକାର ତୁରନ୍ତ ପାଣି ବ୍ୟବସ୍ଥା କରନ୍ତୁ, ନହେଲେ ଗଣଆନ୍ଦୋଳନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।
ତେବେ କହିରଖିଛୁ, ଗତ ୧୦ ଦିନ ହେଲା ପୁରୀ ଜିଲ୍ଲା କଣାସରେ ବ୍ୟାପିଛି ଝାଡ଼ା ବାନ୍ତି। ଏଥିରେ ୪ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି। ଅନ୍ୟପଟେ, ବ୍ୟାପୁଥିବା ଝାଡ଼ା ବାନ୍ତି, ହଇଜା ନୁହେଁ, ଡାଇରିଆ ବୋଲି ସ୍ପଷ୍ଟ କରିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ। ମୃତ ୪ ଜଣଙ୍କ ମଧ୍ୟରୁ ଜଣେ ଡାଇରିଆରେ ମୃତ୍ୟୁବରଣ କରିଛନ୍ତି, ଆଉ ସବୁ ରିପୋର୍ଟ ଯାଞ୍ଚ କରାଯାଉଛି ବୋଲି ସେ ମତ ରଖିଛନ୍ତି।
Comments are closed.