Latest Odisha News

BREAKING NEWS

ଗାଁକୁ ଯିବେ ବିଜେପି କଂଗ୍ରେସ, ଆଗରେ ଚାଲୁଛି ବିଜେଡି

ଭୁବନେଶ୍ୱର: ଆସନ୍ନ ନିର୍ବାଚନ ପାଇଁ ଏବେ ଦଲଗୁଡିକର ଗାଁକୁ ଚାଲ ପର୍ବ ଆରମ୍ଭ ହୋଇଛି। ଏହି କ୍ରମରେ ରାଜ୍ୟରେ ଦୁଇ ପ୍ରମୁଖ ଜାତୀୟ ଦଳ କଂଗ୍ରେସ ଓ ବିଜେପି ଗାଁ ଗାଁରେ କାର୍ଯ୍ୟକ୍ରମ କରିବାକୁ ଯୋଜନା କରିଛନ୍ତି। କଂଗ୍ରେସ ପକ୍ଷରୁ ଆସନ୍ତା 23 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ପ୍ରତେକ ଜିଲ୍ଲାରେ ଆଦାନୀ ମୋଦୀଙ୍କ ସମ୍ପର୍କ ପ୍ରସଙ୍ଗକୁ ନେଇ ବ୍ୟାପକ କାର୍ଯ୍ୟକ୍ରମ କରାଯିବ।

ଆଦାନୀଙ୍କ ସହ ମୋଦିଙ୍କ ସମ୍ପର୍କକୁ ନେଇ ଦଳ ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ କରାଯାଉଥିବା ବେଳେ ଓଡ଼ିଶାରେ ରାଜଭବନ ନିକଟରେ ବଡ଼ ଧରଣର ବିକ୍ଷୋଭ ଆୟୋଜନ ହୋଇଥିଲା। ଏହା ପରେ ଏବେ ପ୍ରତି ଜିଲ୍ଲା ବ୍ଲକ ସ୍ତରରେ ଏହି କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ଦଳ ଯୋଜନା କରିଛି। ଦରଦାମ ବୃଦ୍ଧିଠୁ ଆରମ୍ଭ କରି ଶିଳ୍ପପତି ମାନଙ୍କ ସହ ବିଜେପିର ସମ୍ପର୍କ ଓ ଦେଶର କ୍ଷତି ଆଦିକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ଦଳ।

ସେହିପରି ବିଜେପି ମଧ୍ୟ ରାଜ୍ୟର ସବୁଠୁ ବଡ଼ ବର୍ଗ ଓବିସି ବା ପଛୁଆ ବର୍ଗଙ୍କୁ ନେଇ ଗାଁକୁ ଚାଲ ଅଭିଯାନ ଆରମ୍ଭ କରିବ। ଓଡିଶାରେ ସମୁଦାୟ ଜନସଂଖ୍ୟାର ୫୪ ପ୍ରତିଶତ ହେଉଛନ୍ତି ପଛୁଆ ବର୍ଗ। ପଛୁଆ ବର୍ଗକୁ ଶିକ୍ଷା, ନିଯୁକ୍ତି ବା ସ୍ଥାନୀୟ ପଂଚାୟତ ଓ ପୈାର ନିର୍ବାଚନରେ ସଂରକ୍ଷଣ ଦେବାରେ ବିଜେଡି ବିଫଳ ବୋଲି ଅଭିଯୋଗ କରିଛି ବିଜେପି।

ଏହାର ପ୍ରତିବାଦରେ ଆସନ୍ତା ଏପ୍ରିଲ ୬ ତାରିଖ ବିଜେପି ପ୍ରତିଷ୍ଠା ଦିବସରୁ ୧୪ ତାରିଖ ଆମ୍ବେଦକର ଜୟନ୍ତୀ ପର୍ଯ୍ୟନ୍ତ ୯ ଦିନ ଧରି ବିଜେପି ପକ୍ଷରୁ ଦେଶବ୍ୟାପୀ ଗାଁ ଗାଁ ଚାଲ, ଘର ଘର ଚାଲ ଅଭିଯାନ କରିବ। ଆଗକୁ ରାଜ୍ୟ ସରକାର ଓବିସି ଗଣନା ଆରମ୍ଭ କରିବାକୁ ଯାଉଥିବା ବେଳେ ବିଜେପିର ଗାଁ ଗାଁ ଚାଲ ଅଭିଯାନ ଏହା ବିରୋଧରେ ଏକ ବାତାବରଣ ତିଆରି କରିବ ବୋଲି କୁହାଯାଉଛି।

ଆଗକୁ ନିର୍ବାଚନ ଥିବାରୁ କଂଗ୍ରେସ ଓ ବିଜେପି ଗାଁକୁ ଯିବା କାର୍ଯ୍ୟକ୍ରମ ଆରମ୍ଭ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲା ଗସ୍ତ କରି ଦଳକୁ ଆହୁରି ସୁଦୃଢ଼ କରୁଥିବା କୁହାଯାଉଛି। ତେଣୁ ଏଭଳି ଲଢେଇ ଭିତରେ କିଏ ବାଜି ମାରିବ ତା ଉପରେ ନଜର।

Leave A Reply

Your email address will not be published.