Latest Odisha News

ବିଜୁଳି କାଟକୁ ନେଇ ବର୍ଷିଲା ବିଜେପି, କହିଲା ‘ଟାଟା ପାୱାର ସହ ଚୁକ୍ତି ବାତିଲ୍ କରୁ ରାଜ୍ୟ ସରକାର’

ଭୁବନେଶ୍ୱର: ଓଡ଼ିଶାର ଏକ ନମ୍ବର ମୁଖ୍ୟମନ୍ତ୍ରୀ ବୋଲି ସର୍ବଦା ବାଃ ବାଃ ନେଉଥିବାବେଳେ ବିଜୁଳି ସମସ୍ୟା ତାଙ୍କର ଅସଲ ମୁଖାକୁ ପଦାରେ ପକାଇଛି । ଓଡ଼ିଶାରେ ସର୍ବଦା ଅଘୋଷିତ ବିଦ୍ୟୁତ କାଟ ହେଉଥିବାରୁ ସାଧାରଣ ଉପଭୋକ୍ତା ଯମ ଯନ୍ତ୍ରଣା ଅନୁଭବ କରୁଛନ୍ତି । ରାଜ୍ୟ ସରକାରଙ୍କ ମୌଳିକ ଅଧିକାର ଓଡିଶାବାସୀଙ୍କ ନିକଟରେ ବିଜୁଳି ପଂହଚାଇବା କିନ୍ତୁ ରାଜ୍ୟ ସରକାର ଏନେଇ ବିଫଳ ବୋଲି କହିଛି ବିଜେପି ।

ଅଘୋଷିତ ବିଦ୍ୟୁତ କାଟ୍ ପାଇଁ ବାରମ୍ବାର ଭାରତୀୟ ଜନତା ପାର୍ଟି ଅବଗତ କରାଇବା ସହ ରାଜରାସ୍ତାରେ ଆନ୍ଦୋଳନ କରିବା ସତ୍ୱେ ମଧ୍ୟ ରାଜ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି । ଗତକାଲି କ୍ୟାବିନେଟ୍‌ରେ ରାଜ୍ୟ ସରକାର କହିଛନ୍ତି, ରାଜ୍ୟର ବଳକା ବିଜୁଳି ଉତ୍ପାଦନ କରିବା ସମ୍ପୂର୍ଣ୍ଣ ମିଛ । ବିଜୁଳିର ଆବଶ୍ୟକତା ପୂରଣ ପାଇଁ ରାଜ୍ୟ ସରକାର ମଧ୍ୟପ୍ରଦେଶରୁ ଧାରରେ ବିଜୁଳି ଆଣିବେ ।

ଓଡ଼ିଶାବାସୀଙ୍କ ମୌଳିକ ଆବଶ୍ୟକ ପଢ଼ୁଥିବା ବିଜୁଳିକୁ ମୁଖ୍ୟମନ୍ତ୍ରୀ ଟାଟା ପାୱାରକୁ ୫୧ପ୍ରତିଶତ ସେୟାର ଦେଇଛନ୍ତି ଠିକାଦାରୀ କରିବା ପାଇଁ । ବିଜେପି ଯେବେ ଲୋକଙ୍କ ପାଇଁ ସ୍ୱର ଉଠାଉଛି ଶାସକ ଦଳର ନେତା, ମନ୍ତ୍ରୀମାନେ ଠିକାଦାରୀ ସଂସ୍ଥାର ବେତନଭୋଗୀ କର୍ମଚାରୀ ଭଳି ଉତର ଦେଉଛନ୍ତି । ବିଜୁଳି ବିଭାଗର ଖୋଦ୍ ମନ୍ତ୍ରୀ କେତେବେଳେ ମୌନବ୍ରତ ତ କେତେବେଳେ ଅଜ୍ଞାତବାସରେ ରହୁଛନ୍ତି । ତାହାଲେ ରାଜ୍ୟବାସୀ କାହା ପାଖରେ ଗୁହାରି କରିବେ ବୋଲି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଆଜି ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ମହାପାତ୍ର କହିଛନ୍ତି ଯେ, ବିଜୁଳି ସମସ୍ୟା ଓଡ଼ିଶାରେ ଏବେ ବ୍ୟାପକ ସମସ୍ୟା ହେଲାଣିି । କିନ୍ତୁ ମୁଖ୍ୟମନ୍ତ୍ରୀ ଜନ ଅଭିଯୋଗ ଶୁଣିବାରେ ବିଫଳ । ନବୀନ ବାବୁ ଶାସନ ଗାଦିରେ ବସିଛନ୍ତି କିନ୍ତୁ ଜନତାଙ୍କ ପାଖରେ ପଂହଚୁନାହାନ୍ତି । ଏନେଇ ବିଜେପି ଉଠାଉଥିବା ପ୍ରଶ୍ନକୁ ଶାସକ ଦଳର ନେତା, ମନ୍ତ୍ରୀମାନେ କହୁଛନ୍ତି ସେ କୁଆଡେ ବଛା ବଛା ଜାଗାକୁ ଯାଉଛନ୍ତି ।

ତାହାଲେ ଅନ୍ୟ ଜାଗାକୁ ଯାଉଛି କିଏ? ଗଣତନ୍ତ୍ରରେ ଆମ ବିଶ୍ୱାସ କରୁ । ଗଣତନ୍ତ୍ର ଅନୁସାରେ ଆମେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିବୁ କିନ୍ତୁ ଶାସକ ଦଳର ନେତା, ମନ୍ତ୍ରୀମାନେ ଉତର କାହିଁକି ରଖୁନାହାନ୍ତି? ଏବେ ବିଜେଡି ସ୍ୱୀକାର କରୁଛି ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ ନକରି ଜଣେ ବେତନଭୋଗୀ କର୍ମଚାରୀଙ୍କୁ ପ୍ରଶ୍ନ ପଚାରିବାକୁ ।

ବିଜୁଳିରେ ୨୭୦୨୭ କୋଟି ଟଙ୍କା କଣ କଲ ବୋଲି ବିଜେପି ପ୍ରଶ୍ନ କରିଥିଲା ଓ ଉତରରେ ଶକ୍ତିମନ୍ତ୍ରୀ କହିଛନ୍ତି ଯେ, ୨୦୨୨-୨୩ ଆର୍ôଥକ ବର୍ଷରେ ଟାରିଫ ନିର୍ଦ୍ଧାରଣରେ ବଳକା ୩୫୦କୋଟି ଟଙ୍କା ବିଚାରକୁ ନିଆଯାଇ ଉପଭୋକ୍ତାଙ୍କୁ ରିହାତି ଦିଆଯାଇଛି । ମହାମାରୀ କରୋନାବେଳେ ରାଜ୍ୟ ସରକାର ୩୫୦କୋଟି ଟଙ୍କା ଅଧିକ ଉପଭୋକ୍ତାଙ୍କ ପାଖରୁ ନେଇଛନ୍ତି ।

ସେହିଭଳି ଆର୍ଥିକ ବର୍ଷ ୨୦୨୧-୨୨ରେ କମ୍ପାନୀମାନେ ଅଧିକ ୫୦୦କୋଟି ଟଙ୍କା ଉପଭୋକ୍ତାଙ୍କ ପାଖରୁ ଆଦାୟ କରିଛନ୍ତି । କରୋନା କାଳରେ ମାତ୍ର ୩୫୦କୋଟି ଟଙ୍କା ଉପଭୋକ୍ତାଙ୍କୁ ଫେରାଇଛନ୍ତି ୨୭ଶହ ୨୭କୋଟି ଟଙ୍କା ଫେରାଇ ନାହାନ୍ତି । ଗତ ବିଧାନସଭାରେ ବିଜୁଳିକୁ ନେଇ ରାଜ୍ୟ ସରକାର ଉତର ରଖିଛନ୍ତି ଯେ, ୧୦ ବର୍ଷରେ ବିଜୁଳି ବିଭାଗର ସମ୍ପ୍ରତି ୧୮ହଜାର ୩ଶହ ୨୫କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

ସେଥିରୁ କେନ୍ଦ୍ର ସରକାର ୬ହଜାର୨ଶହ ୪୪କୋଟି ଟଙ୍କା ଦେଇଛନ୍ତି କିନ୍ତୁ ରାଜ୍ୟ ସରକାର ଟାଟା ପାୱାରକୁ ଯେତେବେଳେ କ୍ଷମତା ହସ୍ତାନ୍ତର କରିଛନ୍ତି, ୫ହଜାର ୬ଶହ ୯୩କୋଟି ଟଙ୍କା । ୧୨୬୩୨କୋଟି ଟଙ୍କା କୁଆଡେ ଗଲା ଓ କେଉଁଠି ଖର୍ଚ୍ଚ କଲେ ରାଜ୍ୟ ସରକାର ଉତର ରଖନ୍ତୁ । ଟାଟା ପାୱାର ସହ ରାଜ୍ୟ ସରକାରଙ୍କ ସମ୍ପର୍କ କଣ? ବିଜୁଳି ବିଭାଗରେ ମେଗା କରପସନ ହୋଇ ତୃତୀୟ ମହଲାକୁ ଅର୍ଥ ଯାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଗତକାଲି କ୍ୟାବିନେଟ ନିଷ୍ପତି ନିଆଗଲା ଯେ ମଧ୍ୟପ୍ରଦେଶରୁ ବିଜୁଳି ଧାର ଆଣିବେ । ଗତ ବିଧାନସଭାରେ ପ୍ରଶ୍ନ କରାଗଲା, ୨୨ଜୁନ ୨୦୨୨-୨୩ ପର୍ଯ୍ୟନ୍ତ ଗ୍ରେୀଡକୋ ୯୬ହଜାର୯୬ମେଗାୱାଟ ବଳକା ବିଦ୍ୟୁତ ପାୱାର ଏକ୍ସଚେଞ୍ଜ ମାଧ୍ୟମରେ ୟୁନିଟ୍ ପିଛା ହାରାହାରି ୪ଟଙ୍କା ୯୫ପଇସାରେ ବିକ୍ରୟ କରିଛି । ଏହି ଅବଧି ମଧ୍ୟ ସାମଗ୍ରିକ ନିଅଁଟିଆ ପରିସ୍ଥିତିରେ ପାୱାର ଏକ୍ସଚେଞ୍ଜରୁ ୧୮୪ମେଗାୱାଟରୁ ୟୁନିଟ୍ ପିଛା ୭ଟଙ୍କା ୫୦ ପଇସାରେ କ୍ରୟ କରାଯାଇଛି ।

ଏଭଳି ଘୋଟାଲା ପାଇଁ କିଏ ଦାୟୀ । ସରକାରୀ କର୍ମଚାରୀଙ୍କ ଟ୍ୟାକ୍ସ କଟୁଛି କିନ୍ତୁ ଶକ୍ତିମନ୍ତ୍ରୀ ଅୟେସ ଓ ଆରାମରେ ବୁଲିବେ କାହିଁକି ଏନେଇ ତାଙ୍କୁ ତୁରନ୍ତ ପଦରୁ ବହିଷ୍କାର କରିବା ସହ ବିଜୁଳି ବିଭାଗକୁ ଅନ୍ୟ ବିଭାଗ ସହ ସଂଯୋଗ କରାଯାଉ । ବ୍ୟାପକ ପିସି କଲଚର ପାଇଁ ଯେଉଁମାନେ ଦାୟୀ ଓ ୧୧ହଜାର ୪ଶହ କୋଟି ଟଙ୍କାର ଘୋଟାଲା ହୋଇଛି ଯଦି ରାଜ୍ୟ ସରକାରଙ୍କ ସତ୍‌ସାହସ ଅଛି ତାହାଲେ ତଦନ୍ତଭାର ସିବିଆଇକୁ ଦିଅନ୍ତୁ । ଯଦି ରାଜ୍ୟ ସରକାରଙ୍କ ସିବିଆଇ ପ୍ରତି ଭୟ, ତାହାଲେ ଓଡ଼ିଶା ଲୋକାୟୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।

ଟାଟା କମ୍ପାନୀ ବିଜୁଳି ସେବା ନାଁରେ ଉପଭୋକ୍ତାଙ୍କୁ ଶୋଷଣ କରୁଛି । ଏନେଇ ଟାଟା ପାୱାର ଚୁକ୍ତିକୁ ରାଜ୍ୟ ସରକାର ବାତିଲ କରି ନିଜ ଅଧିନକୁ ଆଣନ୍ତୁ । ଟାଟା ପାୱାର ନାଁରେ ଫୌଜଦାରୀ ମାମଲା ରୁଜୁ କରନ୍ତୁ । ବିଜେପି ରାଜ୍ୟ ସରକାରଙ୍କ ନିକଟରେ ଦାବି କରୁଛି କିନ୍ତୁ ଶାସକ ଦଳର ନେତା, ମନ୍ତ୍ରୀମାନେ ନିଜ ମୁଖିଆ ଅକ୍ଷମ ଓ ସେ କିଛି ଜାଣିପାରୁନାହାନ୍ତି । ଦୁଃଖ ଓ ପରିତାପର ବିଷୟ, ବିଜେଡିର ମନ୍ତ୍ରୀମାନେ କହୁଛନ୍ତି ଯାହା ଦାବି ଅଛି ୫-ଟି କୁହନ୍ତୁ ।

ମୁଖ୍ୟମନ୍ତ୍ରୀଙ୍କ ବଦଳରେ ୫ଟି ଲୋକଙ୍କ ପାଖକୁ ଯାଉଛନ୍ତି । ଲୋକଙ୍କର ସମସ୍ୟା ଓ ସୁବିଧା ଅସୁବିଧାକୁ ଜାଣିବା ପରିବର୍ତେ ୫ଟି ନିଜର ଆତ୍ମପ୍ରଚାର ଅଧିକ କରୁଛନ୍ତି । ଏପରିକି ଅନେକ ଆତ୍ମରକ୍ଷୀମାନଙ୍କ ସୁରକ୍ଷା ବଳୟ ଘେରରେ ରହୁଛନ୍ତି । ମୁଖ୍ୟମନ୍ତ୍ରୀ ଯଦି ଗଣତନ୍ତ୍ରରେ ବିଶ୍ୱାସ ରଖନ୍ତି ତାହାଲେ ୫-ଟି କିଏ ତାହା ସ୍ପଷ୍ଟ କରନ୍ତୁ । ଏହାଛଡା ଯଦି ୫-ଟି ସବୁ କାର୍ଯ୍ୟ କରୁଛନ୍ତି ତାହାଲେ ଟାଟା ପାୱାର ଏଗ୍ରିମେଂଟ ରଦ୍ଦ କରିବା ଓ ଫୌଜଦାରୀ ମକୋଦମା କରିବା ଦାୟିତ୍ୱ ୫-ଟି ନେଉ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Leave A Reply

Your email address will not be published.