Latest Odisha News

BREAKING NEWS

ପ୍ରାର୍ଥୀ ବଦଳାଇବାକୁ ନେଇ ବିଜେଡିକୁ ଅପରାଜିତାଙ୍କ କଟାକ୍ଷ; କହିଲେ, ‘ଯୋ ଡରଗୟା, ୱ ମରଗୟା’

ଭୁବନେଶ୍ୱର: ଭୁବନେଶ୍ୱର ଲୋକ ସଭା ଆସନରୁ ପ୍ରାର୍ଥୀଭାବେ ଟିକେଟ ଘୋଷଣା ପରେ ଆଜି ଦିଲ୍ଲୀରୁ ଫେରିଛନ୍ତି ଅପରାଜିତା ଷଡଙ୍ଗୀ । ବିମାନବନ୍ଦରରେ ବିଜେପିର ନେତା ଓ କର୍ମୀମାନେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ପାଛୋଟି ଆଣିଥିଲେ । ଏହାପରେ ବିରାଟ ଶୋଭାଯାତ୍ରାରେ ଆସି ଅପରାଜିତା ବାବା ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ ।

ଏହି ଅବସରରେ ଅପରାଜିତା କହିଛନ୍ତି, ବିଗତ ୫ ବର୍ଷ ଧରି ମୁଁ ନିଷ୍ଠାପର ଭାବେ ସମସ୍ତଙ୍କ ସେବା କରିଛି । ମୋଦିଙ୍କ ବିକଶିତ ଭାରତ ସ୍ୱପ୍ନରେ ଭୁବନେଶ୍ୱର ପ୍ରମୁଖ ସ୍ଥାନ ନେବ । ମୋଦିଙ୍କୁ ଆଣିବାକୁ ହେଲେ ଅପରାଜିତାଙ୍କୁ ଜିତାଇବାକୁ ପଡ଼ିବ । ଏହାସହ ପ୍ରାର୍ଥୀ ବଦଳାଇବାକୁ ନେଇ ସେ ବିଜେଡିକୁ କଟାକ୍ଷ କରିଛନ୍ତି ।

ଅପରାଜିତା ଆହୁରି କହିଛନ୍ତି, କିଛି ଦିନ ହେବ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ଜଣେ ମହିଳା ପ୍ରାର୍ଥୀଙ୍କୁ ବିଜେଡି ଚୟନ କରିଥିବା ଚର୍ଚ୍ଚା ହେଉଥିଲା । ଏମିତିକି ସଂପୃକ୍ତ ମହିଳା ମଧ୍ୟ ବିଭିନ୍ନ ଅଞ୍ଚଳରେ ବୁଲାବୁଲି ଆରମ୍ଭ କରିଥିଲେ । ଏବେ ସଂପୃକ୍ତ ମହିଳାଙ୍କୁ ହଟାଇ ଆଉ ଜଣଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ଚର୍ଚ୍ଚା ହେଉଛି । ହେଲେ ଜଣେ ମହିଳାଙ୍କୁ ହଟାଇ ଆଉ ଜଣଙ୍କୁ ପ୍ରାର୍ଥୀ କରିବା ଏହା କେତେଦୂର ଠିକ୍ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହା ସହ ଅପରାଜିତା ବିଜେଡିକୁ କଟାକ୍ଷ କରି ଚର୍ଚ୍ଚିତ ସୋଲେ ଫିଲ୍ମର ଭିଲେନ ଗବର ସିଂ ଡାଏଲଗ ବି କହିଛନ୍ତି । ସେ କହିଛନ୍ତି ‘ଯୋ ଡରଗୟା, ୱ ମରଗୟା’ । ତେବେ ଅପରାଜିତାଙ୍କ ଏହି ମନ୍ତବ୍ୟ ନେଇ ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ।

 

Leave A Reply

Your email address will not be published.