Latest Odisha News

BREAKING NEWS

ବିଜେପିର ସଙ୍କଳ୍ପପତ୍ରକୁ ‘ମିଛ ମାନିଫେଷ୍ଟୋ’ କହି ବର୍ଷିଲା ବିଜେଡି

ଭୁବନେଶ୍ଵର: ବିଜେପିର ସଙ୍କଳ୍ପପତ୍ର ଘୋଷଣାକୁ ‘ମିଛ ମାନିଫେଷ୍ଟୋ’ କହିଛି ବିଜେଡି । ଏଥି ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ନେତା । ‘ନା କାମ କରିବି, ନା କାମ କରେଇ ଦେବି’ ବୋଲି କହି ବର୍ଷିଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ଓ ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର । ବିଜେଡି କହିଛି ଯେ, ବିଜେପି ପୂର୍ବରୁ ଭୂଆଁ ବୁଲେଇ ଆସିଛି, ଆଜି ବି ଭୂଆଁ ବୁଲାଉଛି । ସଙ୍କଳ୍ପ ପତ୍ରରେ ବିଜେପି ଯାହା ଯାହା ସବୁ ପ୍ରତିଶ୍ରୁତି ଦେଇଛି, ସେ ସବୁ ମିଛ ପ୍ରତିଶ୍ରୁତି ବୋଲି କହିଛି ବିଜେଡି ।

୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା କରିବା ସହ ଏମଏସପି ଦେଢଗୁଣା କରିବେ ବୋଲି କଥା ଦେଇଥିଲେ । ହେଲେ ଆଜି ଯାଏ ନକରି ଏବେ ୩୧୦୦ ଟଙ୍କା ଦେବାର ପ୍ରତିଶୃତି ଦେଉଛନ୍ତି । ଫସଲ ବୀମା ଉପରେ ୬୦ କୋଟି ଟଙ୍କା ମିଳିମିଶି ଖାଇଗଲେ । ୨୦୧୪ରେ ବର୍ଷକୁ ୨ କୋଟି ଚାକିରି ଦେବାକୁ ପ୍ରତିଶୃତି ଦେଇଥିଲେ କିନ୍ତୁ ୧୦ ବର୍ଷରେ ଓଡ଼ିଶାକୁ ୮୦ ହଜାର ଚାକିରି ବି ଦେଲେନି । ଓଡ଼ିଆଙ୍କର ୧୪ ଲକ୍ଷ ଆବାସ କାଟିଦେଲେ । ଏନଏଚ ୫୫ରେ ଜୀବନ ଯାଉଥିବାବେଳେ ପାରାଦ୍ୱୀପ ହରିଦାସପୁରକୁ ରେଳ ଗଡ଼ିଲାନି । ପ୍ରତି ଗାଁରେ ନେଟୱର୍କ ଓ ୫ଜି ପ୍ରତିଶୃତି ଦେଇଥିଲା ବିଜେପି । ହେଲେ ଗାଁରେ ପାହାଡ଼ ଓ ଗଛ ଉପରେ ନଚଢିଲେ ଫୋନ ଲାଗୁନି ବୋଲି କହିଛନ୍ତି ବିଜେଡି ।

ସେହିପରି କେନ୍ଦୁପତ୍ର ଉପରେ କେନ୍ଦ୍ର ସରକାର ୧୮ ପ୍ରତିଶତ ଜିଏସଟି ନେଇ, ନିଜ ଇସ୍ତାହାରରେ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ସୁବିଧା କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି । ଅପରାଧ ମୁକ୍ତ ନିର୍ବାଚନ କରିବାକୁ କହି, ଅପରାଧୀଙ୍କୁ ଟିକେଟ୍ ଦେଉଛନ୍ତି । ଏମିତି କି ଯେଉଁ ନେତାମାନେ ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇଥିଲେ, ସେହି ନେତାଙ୍କୁ ଦଳକୁ ଆଣି, ଟିକେଟ୍ ଦେଉଛି ବିଜେପି । ତା ସହ ରେଳ ସଂଯୋଗୀକରଣ, ମନ୍ଦିର ରୂପାନ୍ତରୀକରଣ, ବ୍ୟାଙ୍କ ସେବା, ହୋ, ମୁଣ୍ଡାରୀ ଏବଂ କୋଷଳୀ ଭାଷାକୁ ମାନ୍ୟତା ଦେବା ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରି ବର୍ଷିଛି ବିଜେଡି।

ଲକ୍ଷ୍ମୀ ଯୋଜନା ଓ  ସାମ୍ବାଦିକ ବୀମା, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସମଲେଇ ପ୍ରକଳ୍ପକୁ ବି ବନ୍ଦ କରିବାକୁ ଷଡ଼ଯନ୍ତ୍ର ଚାଲିଛି । ପ୍ରକଳ୍ପ ବନ୍ଦହେଲେ ନିର୍ମାଣ ଭାଙ୍ଗି ବିଜେପିର ନେତାମାନେ ହୋଟେଲ, ଲଜ୍ ତିଆରି କରିବେ ବୋଲି କହିଛି ବିଜେଡି । ସେହିପରି ମମତା ଯୋଜନା, ମେଡିକାଲର ରୂପାନ୍ତରଣ, ଆମ ଓଡିଶା ନବୀନ ଓଡିଶା ବନ୍ଦ କରିବାକୁ ବିଜେପି ଚକ୍ରାନ୍ତ କରୁଛି ।  ମେକ ଇନ ଓଡ଼ିଶା ବନ୍ଦ କରି ଗଳାବାଟରେ ଶିଳ୍ପ ସଂସ୍ଥାଠୁ ଚାନ୍ଦା ଆଣିବାକୁ ଯୋଜନା କରୁଛନ୍ତି । ଶିଳ୍ପ ପ୍ରତିଷ୍ଠା ହେଲେ ଓଡ଼ିଆଙ୍କୁ ଚାକିରି ନଦେଇ ଅଣଓଡ଼ିଆଙ୍କୁ ନିଯୁକ୍ତି ଦେବେ । ଆବାସ କାଟି ଲୋକଙ୍କୁ ହନ୍ତସନ୍ତ କରିବା ସହ ଓଡ଼ିଶାର ସର୍ବନାଶ ପାଇଁ ବିଜେପି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିବା ବିଜେଡି ଅଭିଯୋଗ କରିଛି ।

Leave A Reply

Your email address will not be published.