Latest Odisha News

BREAKING NEWS

କେସିଆରଙ୍କୁ ଫସାଇଦେଲା କଂଗ୍ରେସ ଗ୍ୟାରେଣ୍ଟି, ରାହୁଲଙ୍କ ଉପରେ ରାଗିଲେ କବିତା !

ଭୁବନେଶ୍ୱର: ରାତି ପାହିଲେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ। ପ୍ରଚାର ଶେଷ ହେବା ପରେ ବିଭିନ୍ନ ରାଜନୈତିକ ଦଳ ପାର୍ଟି କ୍ୟାଡ଼ର ମାନଙ୍କୁ ଆକ୍ଟିଭ କରୁଛନ୍ତି। ସେପଟେ ପ୍ରମୁଖ ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ବୟାନବାଜି ତୀଵ୍ର ହେବାରେ ଲାଗିଛି।

ତେଲେଙ୍ଗାନାରେ ଶାସକ ବିଆରଏସକୁ ସତ୍ତାରୁ ହଟାଇବା ପାଇଁ କଂଗ୍ରେସ ନିଜର ସବୁ ଶକ୍ତି ଖଟାଇଛି। ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ଲଗାତର ତେଲେଙ୍ଗାନାରେ ବ୍ୟାପକ ପ୍ରଚାର କରିଛନ୍ତି। ଯାହାକି ବିଆରଏସକୁ ଚିନ୍ତାରେ ପକାଇଛି।

ସେ ଭିତରେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା ଏମଏଲସି କେ କବିତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ତେଲେଙ୍ଗାନାରେ ଦୁର୍ନୀତି, ନିଯୁକ୍ତି ଆଦି ପ୍ରସଙ୍ଗକୁ ନେଇ କଂଗ୍ରେସ କେସିଆରଙ୍କୁ ଘେରିଥିବା ବେଳେ କବିତା ଏହାକୁ ନେଇ କଂଗ୍ରେସକୁ କାଉଣ୍ଟର କରିଛନ୍ତି।

ତେଲେଙ୍ଗାନା ଠାରୁ ଅନ୍ୟ କଂଗ୍ରେସ ଶାସିତ ରାଜ୍ୟରେ ଯଦି ଗୋଟିଏ ବି ଅଧିକ ଚାକିରୀ ଦିଆଯାଇଥାଏ ତାହେଲେ ସେ ରାଜନୀତି ଛାଡ଼ିଦେବେ ବୋଲି କହିଛନ୍ତି।

ତେଲେଙ୍ଗାନା କଂଗ୍ରେସ ବିଧାୟକ ଦଳ ନେତା ଭାଟ୍ଟି ବିକ୍ରମାରକା ମନ୍ଦିରରେ କଂଗ୍ରେସର ଗ୍ୟାରେଣ୍ଟିକୁ ନେଇ ସତ୍ୟପାଠ ଓ ଶପଥ ନେବା ପରେ ଏହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛନ୍ତି କବିତା।

କଂଗ୍ରେସର ଗ୍ୟାରେଣ୍ଟି ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ଏଥିସହିତ କୌଣସି କଂଗ୍ରେସ ଶାସିତ ରାଜ୍ୟରେ ତେଲେଙ୍ଗାନା ଠାରୁ ଅଧିକ ଚାକିରୀ ଦିଆଯାଇନାହିଁ ବୋଲି ସେ ଚ୍ୟାଲେଞ୍ଜ କରି କହିଛନ୍ତି। ଏପରିକି ଏ ନେଇ ରାହୁଲ ପ୍ରମାଣ କରିଦେଲେ ସେ ରାଜନୀତି ଛାଡ଼ିଦେବେ ବୋଲି କହିବା ସହ ଯଦି ରାହୁଲ ପ୍ରମାଣ ନ କରିପାରନ୍ତି ତାହେଲେ ସେ ରାଜନୀତି ଛାଡିବେ କି ବୋଲି ପ୍ରଶ୍ନ କରିଛନ୍ତି କବିତା।

ତେଣୁ ତେଲେଙ୍ଗାନାର ବେକାର ଯୁବବର୍ଗଙ୍କୁ ମିଛ ପ୍ରତିଶ୍ରୁତି ଦେବା କିମ୍ବା ଠକିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। କର୍ଣ୍ଣାଟକ ଉଦାହରଣ ଦେଇ କବିତା କହିଛନ୍ତି କି କଂଗ୍ରେସ ସେଠାରେ କିଛି ହି ପ୍ରତିଶ୍ରୁତି ପୂରଣ କରିନାହିଁ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ରାଜ୍ୟର ଖାଲି ଥିବା ୨ ଲକ୍ଷ ୬୦ ହଜାର ନିଯୁକ୍ତି ସରକାର ଗଢିବାର ୧୦୦ ଦିନ ମଧ୍ୟରେ ପୂରଣ କରିବାକୁ କହିଥିଲା। କିନ୍ତୁ ଏହା ଏ ଯାଏ ହୋଇନାହିଁ ବୋଲି କୁହାଯାଇଛି।

କିନ୍ତୁ ତେଲେଙ୍ଗାନାର ବିଆରଏସ ସରକାର ୨ ଲକ୍ଷ ୩୨ ହଜାର ଚାକିରୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିବା ବେଳେ ୧ ଲକ୍ଷ ୬୦ ହଜାର ପଦବୀ ପୂରଣ ହୋଇଛି ବୋଲି କବିତା କହିଛନ୍ତି।

ଗୋଟିଏ ପଟେ ତେଲେଙ୍ଗାନାରେ ବଡ଼ ମାହୋଲ ତିଆରି କରି କଂଗ୍ରେସ ବିଆରଏସକୁ ହରଡ଼ଘଣାରେ ପକାଇଛି। ଦଳର ଗ୍ୟାରେଣ୍ଟିକୁ ନେଇ ଜୋରଦାର ପ୍ରଚାର କରାଯାଇଥିବା ବେଳେ ଏହାକୁ ନେଇ ତେଲେଙ୍ଗାନାବାସୀ ବେଶ ଉତ୍ସାହିତ ଥିବା ଆଲୋଚନା ହେଉଛି।

ତେଣୁ ଏହାକୁ କାଉଣ୍ଟର କରିବାକୁ କେ କବିତା ଓ ମନ୍ତ୍ରୀ କେଟିଆର ଜୋରଦାର ଉଦ୍ୟମ କରିଥିଲେ ମଧ୍ୟ ଲୋକେ କଂଗ୍ରେସର ଗ୍ୟାରେଣ୍ଟି ପ୍ରତି ଆକର୍ଷିତ ହେବେ ନା ବିଆରଏସ ନେତାଙ୍କ କଥାକୁ ବିଶ୍ୱାସ କରିବେ ତା ଉପରେ ନଜର।

Leave A Reply

Your email address will not be published.