ସମ୍ବଲପୁର: ବୁର୍ଲା କିର୍ବା ଛକରେ ଗତ ୨୯ ତାରିଖ ଦିନ ମାଂସ ଦୋକାନୀ ମହମ୍ମଦ ଅନିଶଙ୍କୁ ଗୁଳି କରି ହତ୍ୟା ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଗୁଳି କରିଥିବା ରାଜା ସ୍ୱାମୀକୁ ବନ୍ଧୁକ ଯୋଗାଇଥିବା ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ସେହି କିର୍ବାର ପ୍ରଭାତ ରଞ୍ଜନ ଧଳ ଓରଫ ଟିଟୁ (୩୮) ବୋଲି ଜଣାପଡିଛି। ମୁଖ୍ୟ ଅଭିଯୁକ୍ତ ରାଜାକୁ ପୋଲିସ୍ ୫ ଦିନିଆ ରିମାଣ୍ଡରେ ନେଇ ବୁଧବାର ପ୍ରଥମ ଦିନରେ ପଚରାଉଚରା ବେଳେ ମିଳିଥିବା ତଥ୍ୟ ଆଧାରରେ ପ୍ରଭାତ ରଞ୍ଜନକୁ ଗିରଫ କରିଛି। ତାକୁ କୋର୍ଟଚାଲାଣ କରାଯାଇଛି।
ପୋଲିସ୍ ସୂଚନା ଅନୁସାରେ କିର୍ବା ନିକଟ ମଣ୍ଡପ ଅଞ୍ଚଳର ପିତାମ୍ୱର ଧଳଙ୍କ ପୁଅ ପ୍ରଭାତ ମୁଖ୍ୟ ଅଭିଯୁକ୍ତ ରାଜାକୁ ବନ୍ଧୁକ ଓ ଗୁଳି ଯୋଗାଇଥିଲା । ପ୍ରଭାତ ନିକଟରୁ ୭.୬୫ ଏମ୍ଏମ୍ର ୨ଟି ଜୀବନ୍ତ ଗୁଳି ଜବତ ହୋଇଛି । ଏଥିସହ ତା’ ଠାରୁ ମୋବାଇଲ୍ ଜବତ ହୋଇଛି। ପୋଲିସ୍ ରେକର୍ଡ ଅନୁଯାୟୀ ଅଭିଯୁକ୍ତ ପ୍ରଭାତ ରଞ୍ଜନ ବିରୋଧରେ ବୁର୍ଲା ଥାନାରେ ପୂର୍ବରୁ ୮ଟି ଅପରାଧିକ ମାମଲା ରହିଛି। ୨୦୦୬ରୁ ୨୦୨୨ ମଧ୍ୟରେ ତା’ ବିରୋଧରେ ବିଭିନ୍ନ ଦଫାରେ ମାମଲାଗୁଡ଼ିକ ରୁଜୁ ହୋଇଛି।
ପ୍ରଭାତର ଗିରଫ ପରେ ଅନିଶ ହତ୍ୟାକାଣ୍ଡର ତଦନ୍ତ ଆହୁରି ଗଭୀର ହୋଇଛି । ହତ୍ୟାରେ ବ୍ୟବହୃତ ଦେଶୀ ବନ୍ଧୁକ କେଉଁଠାରୁ ଆସିଥିଲା, ପ୍ରଭାତ ନିଜେ ଏହା ଯୋଗାଡ଼ କରିଥିଲା କି ଅନ୍ୟ କାହାଠାରୁ ଆଣି ରାଜାକୁ ଦେଇଥିଲା ଏବଂ ଏହି ଅସ୍ତ୍ର କାରବାରରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ୍ ତଦନ୍ତ ଚଳାଇଛି ।


Comments are closed.