Latest Odisha News

BREAKING NEWS

ବିଜେପି ସହ ଆପ୍ କରିପାରିବ ଫାଇଟ୍ ? କ’ଣ କହୁଛି ଟ୍ରାକ ରେକର୍ଡ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୦୧୩ଠୁ ଦିଲ୍ଲୀ ରାଜନୀତିର ବେତାଜ ବାଦଶାହ ଅରବିନ୍ଦ କେଜ୍ରିଓ୍ୱାଲ। କଂଗ୍ରେସର ଶୀଲା ଦୀକ୍ଷିତ ସରକାରକୁ ହଟାଇ ସରକାର ଗଢିଛନ୍ତି କେଜ୍ରିଓ୍ଲାଲ। କେନ୍ଦ୍ରରେ ବିଜେପି କ୍ଷମତାରେ ରହିଛି । କିନ୍ତୁ ଏଯାବତ କେଜ୍ରିଓ୍ୱାଲକୁ ବିଧାନସଭା ନିର୍ବାଚନରେ  ମାତ୍ ଦେବାରେ ସଫଳ ହୋଇନାହିଁ। ଏହାରି ଭିତରେ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଦଳ ପଞ୍ଜାବରେ କଂଗ୍ରେସକୁ କ୍ଷମତାରୁ ହଟାଇ ସରକାର ଗଢ଼ିଛି। ଏବେ ୨୦୨୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପିକୁ କଡା ଚ୍ୟାଲେଞ୍ଜ ଦେବ ବୋଲି ଆପ୍ କହିଛି। ଆଉ କେଜ୍ରିଓ୍ୱାଲଙ୍କୁ ଦଳ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କହିଛି।

କିନ୍ତୁ କଂଗ୍ରେସକୁ କ୍ଷମତାରୁ ହଟାଇ ସରକାର ଗଢିସାରିଥିବା ଆମ୍ ଆଦମୀ ପାର୍ଟି ବିଜେପି ସହିତ ଲଢେଇ କରି ବିଜୟର ଟିକା ପିନ୍ଧିବାରେ ସଫଳ ହୋଇପାରିବ ତାହା ଏବେ ବଡ଼ ପ୍ରଶ୍ନ। ଯଦିଓ ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ ରହିଛି। ଦୁର୍ବଳ କଂଗ୍ରେସର ଫାଇଦା ଏବଂ ଦୀର୍ଘ ଦିନ ଧରି ବିଜେପି ଏଠାରେ କ୍ଷମତାରେ ଥିବାରୁ ଲୋକଙ୍କ ସରକାର ବିରୋଧୀ ହାଓ୍ୱାର ଫାଇଦା ନେବାକୁ ଲକ୍ଷ୍ୟ ରଖିଛି ଆମ ଆଦମୀ ପାର୍ଟି। ଗୁଜରାଟରେ ସରକାର ଗଢ଼ିଲେ ଅନେକ ଲୋକଙ୍କ ସ୍ୱପ୍ନ ପୂରଣ ହେବ ବୋଲି କହିଛନ୍ତି। କେଜ୍ରିଓ୍ୱାଲ ଏବଂ ତାଙ୍କ ଦଳର କର୍ମୀ ଯଦିଓ ଉତ୍ସାହିତ ଏବଂ ଅନେକ ବିଜେପି ବିରୋଧୀ ସମାଲୋଚକ ମଧ୍ୟ ବିଜେପିକୁ କ୍ଷମତାରୁ ଯିବାକୁ ଅପେକ୍ଷା କରିଛନ୍ତି।

କ’ଣ କହୁଛି ଆପ୍ ବନାମ ବିଜେପିର ମୁକାବିଲାର ଫଳାଫଳ?

ନିକଟରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହୋଇଥିଲା। ଗୋଆ, ଉତ୍ତରାଖଣ୍ଡ, ମଣିପୁର ଏବଂ ଉତ୍ତର ପ୍ରଦେଶରେ ନିର୍ବାଚନ ହୋଇଥିଲା। ଏହି ସମୟରେ ଗୋଆରେ ବିଜେପିର ପ୍ରଦୀପ ସାଓ୍ୱନ୍ତ ସରକାରକୁ କ୍ଷମତାରୁ ହଟାଇବାକୁ ଆମ୍ ଆଦମୀ ପାର୍ଟି ଟାର୍ଗେଟ କରିିଥିଲା। ମନୋହର ପାରିକରଙ୍କ ଦେହାନ୍ତ ପରେ ବିଜେପି ଦୁର୍ବଳ ହୋଇଛି ବୋଲି ଚିନ୍ତା କରି ଅରବିନ୍ଦ କେଜ୍ରିଓ୍ୱାଲ ଏଠାରେ ନିଜର ସମସ୍ତ ଶକ୍ତି ଲଗାଇଥିଲେ। ହେଲେ ୪୦ଟି ଆସନରୁ ଆମ୍ ଆଦମୀ ପାର୍ଟି ୩୯ଟି ଆସନରେ ପ୍ରାର୍ଥୀ ଦେଇ ୨ଟି ଆସନ ଜିତିବାରେ ସକ୍ଷମ ହୋଇପାରିଛି। ବିଜେପିର ଭୋଟ୍ ପ୍ରତିଶତ ୩୩.୩ ପ୍ରତିଶତ ରହିଥିବା ବେଳେ ଆପର ୦.୫ ପ୍ରତିଶତ ରହିଛି। ଉତ୍ତର ପ୍ରଦେଶରେ ଯୋଗୀ ସରକାରକୁ ଚ୍ୟାଲେଞ୍ଜ କରି ଲଢେଇ କରିଥିଲା ଆପ୍ । ଏଠାରେ ଆପ୍ ୪୦୩ ଆସନରେ ପ୍ରାର୍ଥୀ ଦେଇଥିଲା। କୌଣସି ଆସନରେ କିନ୍ତୁ ଦଳ ବିଜୟୀ ହୋଇପାରିନି। ଏଠାରେ ବିଜେପି ଏକାକୀ ୨୫୫ ଆସନରେ ବିଜୟୀ ହୋଇଥିଲା । ବିଜେପିର ଭୋଟ୍ ପ୍ରତିଶତ ଏଠାରେ ୪୧.୨୯ ପ୍ରତିଶତ ରହିଥିବା ବେଳେ ଆପର ୦.୩୮ ପ୍ରତିଶତ ରହିଛି। ସେହିଭଳି ଉତ୍ତରାଖଣ୍ଡରେ ଆପ୍ ୭୦ ଆସନରେ ଲଢି କୌଣସି ଆସନରେ ବିଜୟୀ ହୋଇପାରିନଥିଲା। ଏଠାରେ ୦.୦୪ ପ୍ରତିଶତ ଭୋଟ୍ ପାଇଥିଲା। ମଣିପୁରରେ ଆମ୍ ଆଦମୀ ପାର୍ଟି ନିର୍ବାଚନ ଲଢିନାହିଁ।

ଆପ୍ ବିଜେପି ସହ ଲଢ଼ିବା କଂଗ୍ରେସ ଭଳି ସହଜ ନୁହଁ !

ମୋଦୀ ୨୦୧୪ରେ କଂଗ୍ରେସକୁ ପରାଜିତ କରି କ୍ଷମତାରେ ବସିଛନ୍ତି। ଆଉ ଏହି ଚେହେରା ବିଜେପି ପାଇଁ ବଡ ଫାଇଦା ଦେଇଛି। ୨୦୧୯ ସୁଦ୍ଧା ବିଜେପିର ସଦସ୍ୟ ସଂଖ୍ୟା ୧୮ କୋଟି ଥିଲା। ଯାହାକି ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳ ଭାବେ ଉଭା ହୋଇଛି। ୨୦୧୪ ବେଳେ ଯେଉଁ ଦଳର ବାର୍ଷିକ ଆୟ ୨୦୦-୩୦୦ କୋଟି ଭିତରେ ଥିଲା ଏବେ ୪ ହଜାର କୋଟିରୁ ଅଧିକ ଆୟ କରୁଛି। ସେହିପରି ଦେଶର ସର୍ବାଧିକ ରାଜ୍ୟରେ ବିଜେପିର ସରକାର ରହିଛି।

ମୋଦୀ ୨୦୧୪ ପୂର୍ବରୁ ବିଭିନ୍ନ ରାଜ୍ୟର ଲୋକଙ୍କ ନିକଟରେ ନିଜର ପରିଚୟ ସୃଷ୍ଟି କରିଥିଲେ। ତେଣୁ ବିଜେପି ସହ ଆମ୍ ଆଦମୀ ପାର୍ଟି ଏକାକୀ ଲଢେଇ କରିବା ମୁସକିଲ। ଦିଲ୍ଲୀ ହେଉ ଅବା ପଞ୍ଜାବରେ କଂଗ୍ରେସକୁ କ୍ଷମତାରୁ ହଟାଇବାର ମୂଳ କାରଣ ହେଲା କଂଗ୍ରେସ ନିଜେ ଦୁର୍ବଳ ହେବା ଏବଂ ଦୁର୍ନୀତିରେ ବୁଡିଥିଲା। ସେହିପରି କଂଗ୍ରେସର ଲୋକପ୍ରିୟ ନେତା ଦଳ ଛାଡିବା ଆପକୁ ସୁହାଇଥିଲା।

ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରି ବିରୋଧୀଙ୍କ ଆକ୍ରୋଶର ଶିକାର ହେବେ କେଜ୍ରିଓ୍ୱାଲ?

୨୦୨୪ ମସିହା ସାଧାରଣ ନିର୍ବାଚନରେ କିଏ କିଏ ଜିତିବ ଏବଂ କାହାର ପରାଜୟ ହେବ ତାହା ୨ ବର୍ଷ ପରେ ସ୍ଥିର ହେବ । କିନ୍ତୁ ବର୍ତ୍ତମାନ ସମୟରେ ଏହା ସ୍ପଷ୍ଟ ଯେ ମୋଦୀଙ୍କୁ ପରାସ୍ତ କରିବାକୁ କୁହାଯାଉଥିବା ବିରୋଧୀ ଏକାଠି ହେବା ପୂର୍ବରୁ ଭାଗ ଭାଗ ହୋଇଥିବାର ଦେଖାଯାଉଛି। ରାଜନୀତିକ ବିଶ୍ଳେଷକମାନେ କହିଛନ୍ତି ଯେ ଆପର ଘୋଷଣା ବିଜେପି ପାଇଁ ଆରାମଦାୟକ ହେବ। କଂଗ୍ରେସ ରାହୁଲ ଗାନ୍ଧୀ, ଟିଏମସି ମମତା ବାନାର୍ଜୀ, ଜେଡିୟୁ, ଆରଜେଡି ନୀତୀଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରତିଦ୍ୱନ୍ଦ୍ୱୀ ବୋଲି ବିବେଚନା କରୁଥିବାବେଳେ ଏହି ପ୍ରତିଯୋଗିତା ତ୍ରିକୋଣୀୟ ହୋଇଥିବାରୁ ଏଥିରୁ ମୁକ୍ତି ମିଳିପାରିବ। ଯଦିଓ ମମତା, ନୀତୀଶଙ୍କ ଭଳି ଦାବିଦାରମାନେ କଂଗ୍ରେସର ନେତୃତ୍ୱରେ ଏକଜୁଟ ହୁଅନ୍ତି, ତେବେ ବିରୋଧୀଙ୍କ ସହ କୌଣସି ପରାମର୍ଶ ନକରି ‘ଆପ’ ର ଏକପାଖିଆ ଘୋଷଣା ଏହି ପ୍ରତିଯୋଗିତାରେ ଅତି କମରେ ତିନିଟି ଫ୍ରଣ୍ଟ ହେବ ବୋଲି କୁହାଯାଉଛି।

Leave A Reply

Your email address will not be published.