Latest Odisha News

BREAKING NEWS

ହ୍ୟାଟ୍ରିକ କରିବେ କି କ୍ୟାପଟେନ୍ ?

ଭୁବନେଶ୍ବର : କିଏ ଜିତିବ ଜୁନାଗଡ? ବିଜେଡିରୁ ତୃତୀୟ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ମମିତା ମେହେର ହତ୍ୟା ମାମଲାରେ ବିରୋଧୀଙ୍କ ଟାର୍ଗେଟକୁ ଆସିଥିଲେ ଦିବ୍ୟଶଙ୍କର । ହେଲେ ବିବାଦ ସତ୍ତ୍ବେ ତାଙ୍କୁ ପୁଣି ଭରସା କରିଛି ବିଜେଡି । ବିଜେପିର ପାରମ୍ପରିକ ଗଡ କୁହାଯାଉଥିବା ଜୁନାଗଡକୁ ୧୦ବର୍ଷ ହେଲା କବଜା କରିଛି ବିଜେଡି । ଏଥର ବିଜୟର ହ୍ୟାଟ୍ରିକ ଲଗାଇବାକୁ ଗୋଟି ଚଳାଉଛନ୍ତି ଦିବ୍ୟଶଙ୍କର । ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ୧୦ବର୍ଷର ପରଫର୍ମାନ୍ସ ରିପୋର୍ଟ ଧରି ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ଦିବ୍ୟଶଙ୍କର ।

୨୦୧୯ରେ ୨୭ହଜାରରୁ ଅଧିକ ଭୋଟରେ ବିଜେପି ପ୍ରାର୍ଥୀ ମନୋଜ ମେହେରଙ୍କୁ ହରାଇଥିଲେ ଦିବ୍ୟଶଙ୍କର। ସେହିପରି ୨୦୧୪ରେ ପାଖାପାଖି ୧୦ହଜାର ଭୋଟରେ ବିଜେପିର ଅନିଲ କୁମାର ସିଂହଦେଓଙ୍କୁ ପରାସ୍ତ କରିଥିଲେ । ଏଥର ବିଜେପି ମନୋଜ ମେହେରଙ୍କୁ ରିପିଟ୍ କରିଛି । ତେବେ ଗତ ୫ବର୍ଷ ହେଲା ଗ୍ରାଉଣ୍ଡରେ ସଂଗଠନ ସଜାଡିଛନ୍ତି । ମୋଦି ଲହରକୁ ନେଇ ନିର୍ବାଚନ ବୈତରଣୀ ପାର ହେବାକୁ ଉଦ୍ୟମ କରୁଛନ୍ତି ମନୋଜ ମେହେର ।

ଭକ୍ତଦାସଙ୍କ ଘନିଷ୍ଠ ଅନୁଗତ ତୁଲେଶ୍ବର ନାୟକ କଂଗ୍ରେରୁ ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସର ପାରଂପରିକ ଆଦିବାସୀ ଭୋଟ୍ ହାତେଇବା ସହ ମହିଳା, ଯୁବକ, ଚାଷୀ ବର୍ଗଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି । ଜୁନାଗଡ ବିଧାନସଭା ମଇଦାନରେ ଏଥର ଦୁଇ ପୁରୁଣା ପ୍ରାର୍ଥୀଙ୍କ ସହ କଂଗ୍ରେସର ନୂଆ ମୁହଁଙ୍କ ଟକ୍କର ଦେଖିବାକୁ ମିଳିବ । ପ୍ରଚାର ମଇଦାନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ବେଶ୍ ଆକ୍ଟିଭ୍ । ଦିବ୍ୟଶଙ୍କର ବିକାଶର ବାର୍ତ୍ତା ନେଇ ଭୋଟରଙ୍କ ପାଖକୁ ଯାଉଛନ୍ତି ତ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନିର୍ବାଚନମଣ୍ଡଳୀର ବିଭିନ୍ନ ସମସ୍ୟାକୁ ଅସ୍ତ୍ର କରିଛନ୍ତି ।

Leave A Reply

Your email address will not be published.