Latest Odisha News

BREAKING NEWS

ଚକ୍ରବ୍ୟୂହରେ ବିଦୀର୍ଣ୍ଣ ବିଶ୍ୱ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…

କାହିଁ କେଉଁ କାଳୁ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ପିତା ବାସୁଦେବ ଦେବକୀଙ୍କୁ ବାହାହୋଇଥିଲେ । ପାଣ୍ଡବଙ୍କ ମାମୁଶଲ୍ୟ ଦେବକୀଙ୍କୁ ଚାହୁଥିଲେ, କିନ୍ତୁ ପାଇଲେ ନାହିଁ । ସେହି ହିଂସାର ଅନଳରେ ଜଳିପୋଡି ଶଲ୍ୟ ବିଚଳିତ ଥିଲେ ଶଲ୍ୟ ମହାଯୋଦ୍ଧା । ମହାଭାରତ ଯୁଦ୍ଧରେ ଯେହେତୁ ଶ୍ରୀକୃଷ୍ଣ ପାଣ୍ଡବ ପକ୍ଷର ସାରଥି ହେଲେ ଶଲ୍ୟ କୌରବ ପକ୍ଷର କର୍ଣ୍ଣଧାର ଦୁର୍ଯ୍ୟୋଧନ ପାଖକୁ ଗଲେ । ଏ ଦେବକୀଙ୍କୁ ନ ପାଇବାରୁ ଅବଦମିତ ପ୍ରତିହିଂସାର ପ୍ରଜ୍ୱଳିତ ପରିପ୍ରକାଶ ।

ମହାଭାରତର ଚକ୍ରବ୍ୟୁହକୁ ବର୍ଣ୍ଣନା କରାଯାଇପାରେ, ମାତ୍ର ଆମ ସମୟର ଚକ୍ରବ୍ୟୁହ ଅବର୍ଣ୍ଣନୀୟ । କେବଳ ଅବର୍ଣ୍ଣନୀୟ ନୁହେଁ -ଅଦୃଶ୍ୟମାନ । ଏହି ଅଦୃଶ୍ୟମାନ ଚକ୍ରବ୍ୟୁହରେ ପ୍ରତିନିୟତ ଅଗଣିତ ଅଭିମନ୍ୟୁକୁ ନିଧନ କରାଯାଉଛି । ସାରା ପୃଥିବୀରେ ତାରୁଣ୍ୟ ଏହି ଚକ୍ରବ୍ୟୁହ ମଧ୍ୟରେ ତୀଳବିଦ୍ଧ, ଅଶିବିଦ୍ଧ ଅବସ୍ଥାରେ ଉର୍ଦ୍ଧ୍ୱଶ୍ୱାସ – ଅଥଚ ଏ ଅବସ୍ଥା ଦେଖିବାକୁ ଆଖି ନାହିଁ କି ସାକ୍ଷୀ ନାହିଁ । ଏହା ତେବେ କିଭଳି ଚକ୍ରବ୍ୟୁହ ? କେଉଁଠି ଯୁଦ୍ଧ ଚାଲିଛି ? କାହିଁକି ?

ପ୍ରଶ୍ନ ପ୍ରଚୁର । ମାତ୍ର ଉତ୍ତର ନାହିଁ । ଯୁଆଡେ ଅନେଇବେ କେବଳ କବନ୍ଧ । ଗୋଟିଏ ବି ମୁହଁ କେଉଁଠି ଦିଶୁ ନାହିଁ । ମୁହଁ ଥିଲେ ସିନା କଥା ଶୁଣିବା, ମୁଖାଗୁଡାକ କ’ଣ କହିବେ ? ଆମ ଆଗରେ ଏବେ ଖାଲି ମୁଖାପିନ୍ଧା କୋଳାହଳକାରୀ । ଆମରି ଆଖି ଆଗରେ ଦେଖାଘଟଣା । ଦୃର୍ଦ୍ଧାନ୍ତ ମହାଯୋଦ୍ଧା ସଦ୍ଦାମହୁସେନଙ୍କୁ ଯୁଦ୍ଧଖୋର ଆମେରିକାର ନିକସନ୍‌ ଟକ୍କର ଦେବାରେ ନାକେଦମ୍‌ ହେଇପଡିଲେ ।

ଆମେରିକାବାଲା ଷଡଯନ୍ତ୍ର, ବିଶ୍ୱାସଘାତକତା କରି ଇରାକ୍‌ରେ ମହାଘାତକ ପରମାଣୁ ବୋମା ଅଛି ବୋଲି ପ୍ରଚାର କରାଇ ଜବରଦସ୍ତ ପଶିଲେ । ସଦ୍ଦାମ ଛାଡିବା ଲୋକ ନୁହଁନ୍ତି । ସେ ମାନିଲେ ନାହିଁ – ମୁକାବିଲା କରିବାକୁ ପ୍ରସ୍ତୁତ ହେଲେ । ଇରାକ-ଆମେରିକାର ଘମାଘୋଟ ଯୁଦ୍ଧ ଆରମ୍ଭ ହେଲା । ଇରାକ ଧ୍ୱଂସସ୍ତୁପରେ ପରିଣତ ହେଲା । ଶେଷରେ ସଦ୍ଦାମ ହୁସେନ୍‌ଙ୍କୁ ପାତାଳ ଭିତରୁ ଧରିଆଣି ମିଛ ବିଚାରରେ ଫାଶୀଦଣ୍ଡ ଦିଆଗଲା । ନିକସନ୍ କାହିଁକି ଏମିତି କଲେ ? ସଦ୍ଦାମହୁସେନ ଇରାକର ଏୟାରପୋର୍ଟ ରାସ୍ତା ଚଟାଣରେ ନିକସନ୍‌ଙ୍କ ବିରାଟକାୟ ଚିତ୍ର ସ୍ଥାପନ କଲେ । ସମସ୍ତେ ନିକ୍‌ସନ୍ ଛାତି ଉପରେ ଯୋତାମାଡି ଯିବେ । ଏହା ନିକସନ୍‌ଙ୍କୁ ବାଧିଥିଲା । ସେ ପ୍ରତିହିଂସାର ନିଆଁରେ ହୁତୁହୁତୁ ଜଳୁଥିଲେ – ତାର ଫଳ ଇରାକ ଜନଗଣ ଏପରିକି ଶିଶୁ, ନାରୀମାନଙ୍କଉପରେ ଅକଥନୀୟ ଅତ୍ୟାଚାର- ଗୁଳି ବୋମାରେ ଜୀବନ ନାଶ । ଇରାକର ଅର୍ଥନୀତିକୁ ଧ୍ୱଂସ ।

ସଭ୍ୟତାର କରୁଣ ସ୍ମୃତିସବୁ ଆମପାଇଁ ଅତିଷ୍ଠ ସମୟର ଉତ୍ପୀଡକ ଉପହାର । ଏ ଉପହାର ଆମ ମଣିଷ ସମାଜକୁ ଚକ୍ରବ୍ୟୁହର ଚରିତ୍ରମାନଙ୍କ ପକ୍ଷରୁ ଗୋଟିଏ ଗୋଟିଏ ପ୍ରଚଣ୍ଡ ପ୍ରହାର ! ସେ ପ୍ରହରର ମନପ୍ରାଣତ୍ରସ୍ତ – ଚୈତନ୍ୟରକ୍ତାକ୍ତ – ବିବେକକ୍ଷତାକ୍ତ । ଆମେ କ’ଣ ଏଯାବତ୍ ଭୁଲିପାରିଲୁନୁ ସେ ଅବିଶ୍ୱାସ ଦିବସର ବର୍ବରବୃତାନ୍ତ ନା ସେଇ ଅଚିନ୍ତନୀୟ ରାତ୍ରୀର ଜଘନ୍ୟ ଯୋଜନା ? ସେ ଦାରୁଣ ଦିବସ ଆସିଥିଲାଖ୍ରୀଷ୍ଟପୂର୍ବ ପ୍ରଥମ ଶତକରେ । ଜୁଲିଅସ୍ ସିଜରଙ୍କୁ ରୋମ୍‌ର ସିନେଟ୍‌ରେ ସଭ୍ୟମାନଙ୍କ ସମ୍ମିଳୀତ ଆକ୍ରମଣର ସାମ୍ନା କରିବାକୁ ପଡିଥିଲା ସେଦିନ । ସିଜର ଥିଲେ ଅନମନୀୟ ମହାବୀର । ଶେଷ ପର‌୍ୟ୍ୟନ୍ତ ଜାରି ରଖିଥିଲେ ନିଜସ୍ପର୍ଦ୍ଧିତ ପୌରୁଷର ପ୍ରତ୍ୟାଘାତ । ମାତ୍ର ଅନ୍ତିମ ମୁହୁର୍ତ ଆସିଥିଲା ଠିକ୍ ସେତିକି ବେଳେ, ଯେତେବେଳେ ତାଙ୍କ ପୃଷ୍ଠଭାଗ ସ୍ପର୍ଶକରେ ଶତ୍ରୃର ତରବାରୀ ନୁହେଁ – ପ୍ରିୟତମ ବନ୍ଧୁର ଶାଣିତ ଛୁରିକା । ପ୍ରିୟବନ୍ଧୁଙ୍କୁ ଏଭଳି ଭୂମିକାରେ ଦେଖିଦେଇ ସେ ଗଭୀର ଦୁଃଖରେ ତଳେ ଥୋଇଦେଲେ ଅସ୍ତ୍ର । ଶେଷ ଦୁଇ ତିନୋଟି ଶଦ୍ଦ ଥିଲା ସ୍ୱତଃସ୍ପୃର୍ତ – ଓଃ ! ୟୁ ‘ବ୍ରୁଟସ୍‌’ …ବ୍ରୁଟ୍‌…

ଚକ୍ରବ୍ୟୁହ ! ହାୟ, ଏ ଚକ୍ରବ୍ୟୁହରେ କେବଳ ବୈରୀ ନୁହେଁ, ବନ୍ଧୁ ବି ହୋଇପାରେ ଚମକପ୍ରଦ ଚରିତ୍ରଟିଏ ! ସିଜରଙ୍କ ନିଧନ ଦିବସରେ ୧୦୦ ବର୍ଷ ପରେ ପୃଥିବୀକୁ ଆସିଥିଲା ଆଉ ଏକ ବିଚିତ୍ରରଙ୍ଗରରାତ୍ରୀ – ସେ ରାତ୍ରୀ ଯୀଶୁ ଖ୍ରୀଷ୍ଟଙ୍କର ଶେଷରାତ୍ରୀ । ସମବେତ ୧୨ ଜଣ ପ୍ରିୟଶିଷ୍ୟଙ୍କ ସହିତ ସେ ନିଜ ଜୀବନର ଅନ୍ତିମ ଭୋଜନ ଗ୍ରହଣ କରିବା ପରେ ତାଙ୍କୁ ଶତ୍ରୃମାନଙ୍କ ହାତରେ ଧରାଇ ଦେଇଥିଲେ ‘ଯୁଦାସ୍‌’ – ଖୋଦ୍ ଯିଏ ତାଙ୍କ ପ୍ରିୟତମ ଶିଷ୍ୟ । ଏହି ବିଶ୍ୱାସଘାତକାତର ବିନିମୟ ମୂଲ୍ୟ ଥିଲା ତିରିଶିଟି ରୌପ୍ୟମୁଦ୍ରା ମାତ୍ର !

କ୍ରୁଶବିଦ୍ଧ ଯୀଶୁ କ୍ଷମା କରିଯାଇଛନ୍ତି ଆମର ଏ ଚକ୍ରବ୍ୟୁହବଦ୍ଧ ସଭ୍ୟତାକୁ । ଚକ୍ରବ୍ୟୁହ ! ହାୟ, ଏ ଚଚକ୍ରବ୍ୟୁହର ଚରିତ୍ର ଏଠି କେବଳ ସତର୍କ ଶତ୍ରୁ ନହେଁ, ପ୍ରିୟତମ ଶିଷ୍ୟ ମଧ୍ୟ ! ପ୍ରତାରଣାର ପ୍ରଚୁର ପର‌୍ୟ୍ୟାୟ ଅତିକ୍ରମ କରିଆସିଛନ୍ତି ଚକ୍ରବ୍ୟୁହ – ଚଳ୍ରବ୍ୟୁହ କବଳିତ କରୁଣ ଶିକାରମାନେ ।
ଆପଣମାନେ ସକ୍ରେଟିସଙ୍କ ନାଁଶୁଣିଥିଲେ । ଖ୍ରୀଷ୍ଟପୂର୍ବ ୪୭୦ରେ ଜନ୍ମ ନେଇଥିଲେ ବିଶ୍ୱପ୍ରସିଦ୍ଧ ଦାର୍ଶନିଳ, ମହକାଶବିଜ୍ଞାନୀ, ପଣ୍ଡିତଶାସ୍ତ୍ରବିଦ୍‌, ପ୍ରକୃତିବିଜ୍ଞାନୀ, ନୀତିଶାସ୍ତ୍ରଜ୍ଞଲେଖକ, କବି, ରାଜନୈତିକ ସକ୍ରେଟିସ୍ ତାଙ୍କର ଅନେକ ଗବେଷଣାରେ ପ୍ରମାଣସିଦ୍ଧ ତଥ୍ୟ ଓ ତତ୍ତ୍ୱକୁ ସେ ଶୁଣାଉଥିଲେ ଗ୍ରୀକ୍ ଅଧିବାସୀଙ୍କୁ । ତାଙ୍କର ସବୁଠାରୁ ବଡତତ୍ତ୍ୱ ଥିଲା – ଅନ୍ଧ ଭାବେ ଈଶ୍ୱର ବିଶ୍ୱାସକୁ ପରିତ୍ୟାଗ କରି ଯୁକ୍ତି ଓ ଅଭିଜ୍ଞତାସିଦ୍ଧ ଜ୍ଞାନକୁ ପ୍ରୟୋଗ କରି ସତ୍ୟକୁ ଜାଣି ନେଲେ – ସବୁସମସ୍ୟାରସମାଧାନ ହୋଇଯିବ । ଏହି ସିଦ୍ଧାନ୍ତକୁ ଗ୍ରୀକ୍‌ର ଅଧିକାଂଶ ଶିକ୍ଷିତ ଯୁବଗୋଷ୍ଠୀ ଗ୍ରହଣ କଲେ । ହେଲେ ସେ ସମୟର ମୁଣ୍ଡିଆଳମାନେ ପ୍ରବଳ ପ୍ରତିହିଂସା ବହ୍ନିରେ ଜଳିଲେ । ତାଙ୍କୁ ବନ୍ଦୂ କରି ମିଥ୍ୟାମକଦ୍ଦମାର ରାୟରେ ମୃତ୍ୟୁଦଣ୍ଡ ଦେଲେ । ନାଁ ସେ କ୍ଷମା ପ୍ରାର୍ଥନା କଲେ ନା ସେ ଦେଶ ଛାଡି ପଳାୟନ କଲେ । ତାକୁ ବିଷ ପିଆଇ ମାରି ଦିଆଗଲା । ସେହି ସକ୍ରେଟିସ୍ ଦିନେ ବତି ଜଳାଇ ରାଜରାସ୍ତାରେ ଖୋଜୁଥିଲେ ଭଲ ମଣିଷ, କିନ୍ତୁ ଜଣକୁବି ପାଇଲେନାହିଁ ।

ଗାଲିଲିଓ  ୧୫୬୪ରେ ଇଟାଲିରେ ଜନ୍ମଗ୍ରହଣ କରିଥିଲେ । ସେ ଥିଲେ ପଦାର୍ଥ ବିଜ୍ଞାନୀ ଓ ଗଣିତଜ୍ଞ । ସେ କହୁଥିଲେ – କେବଳ ବିଶ୍ୱାସ ବଦଳରେ ନୁହେଁ ବରଂ ଉପଯୁକ୍ତ ପରୀକ୍ଷା ନିରୀକ୍ଷାଏବଂଗାଣିତିକ ପ୍ରମାଣ ଦ୍ୱାରା ପ୍ରକୃତିର ଘଟଣାବଳୀକୁ ଠିକ୍‌ଭାବେ ବୁଝାଯାଇ ପାରିବ । ୧୯୦୭ ମସିହାରେ ଏକ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର ତିଆରି କରି ସେ ଗ୍ରହ ଓ ନକ୍ଷତ୍ରମାନଙ୍କୁ ଅନୁଧ୍ୟାନ କରିବା ସହିତ ବୈଜ୍ଞାନିକ କୋପର ନିକସଙ୍କ ସୂର‌୍ୟ୍ୟ କେନ୍ଦ୍ରିକ ବ୍ରହ୍ମାଣ୍ଡ ତତ୍ତ୍ୱର ସମର୍ଥନ କରିଥିଲେ । ଫଳରେ ସେ ସମୟର ଧର୍ମାଧିକାରୀମାନେ ଅଭିଯୋଗ ଆଣିଲେ – ଗାଲିଲିଓ ଈଶ୍ୱର ଓ ଧର୍ମକୁ ଅବମାନନା କରି ସମାଜରେ ବିଶୃଙ୍ଖଳା ସୃଷ୍ଟି କରାଇଛନ୍ତି । ତାକୁ ଗିରଫ କରି କାରାଗାର ଅନ୍ଧକାର ମଧ୍ୟେ ନିକ୍ଷେପ କରାଗଲା । କୁହାଗଲା–ସେ ଭୁଲ ସ୍ୱୀକାର କରି ନିଜର ତତ୍‌୍ୱ ଜ୍ଞାନକୁ ପ୍ରତ୍ୟାଖ୍ୟାନ କଲେ ଦଣ୍ଡ କୋହଳକରାଯାଇପାରେ । ସତ୍ୟନିଷ୍ଠ ଗାଲିଲିଓ ସତ୍ୟରୁ ଓହରି ନଯାଇ କହିଲେ – ‘ଯାହା ସତ୍ୟତାକୁ ହିଁ ଗ୍ରହଣ କରିବା ଛଡା ବିକଳ୍ପ ନାହିଁ । ଇଟାଲିର ଶାସକ ଶ୍ରେଣୀ, ଧର୍ମାନ୍ଧିବ୍ୟକ୍ତିମାନେ ପ୍ରତିହିଂସାର ଚରମ ସୀମାକୁ ଯାଇ ଗାଲିଲିଓଙ୍କୁ ଅତ୍ୟନ୍ତ ଅପମାନଜନକଭାବେ ଅମାନବୀୟ ନିର‌୍ୟାତନା ଦେଇ ବର୍ଷବର୍ଷ ଧରି କାରାଦଣ୍ଡରେ ଦଣ୍ଡିତକଲେ । ସତ୍ୟ ପ୍ରତିଷ୍ଠାଲାଗି ପ୍ରାଣହରାଇଥିଲେ ୧୬୪୨ ମସିହାରେ ।

ଚକ୍ରବ୍ୟୁହ ରଚନା କରି ଚାଲୁଥିବା ଚରିତ୍ରଗୁଡାକୁ ଆମେ ଚେତନାସ୍ତ୍ର୍ର ସହାୟତାରେ ଭୁଲୁଣ୍ଠିତ କରିପାରିବା । ଏହି ଚେତନାସ୍ତ୍ର୍ରର ଅଧିକାରୀ ହୋଇପାରିଲେ ହିଁ ଆଜିର ‘ଅବର୍ଣ୍ଣନୀୟ’ ଓ ‘ଅଦୃଶ୍ୟମାନ’ ଚକ୍ରବ୍ୟୁହର ଚରିତ୍ର ଅନାୟାସରେ ଚିହ୍ନଟ ହୋଇପାରିବ । ଜଳଜଳ ଦିଶିବ ଛଦ୍ମବେଶର ଛଳନା ସବୁ ।

ଫୁଲପତ୍ରର ଏହି ପୃଥିବୀରେ ପ୍ରତିହିଂସା ନିଜ ବିଶ୍ୱବୃକ୍ଷର କଂଟା ବିଛାଇ କେତେ ଯେ ଅଘଟଣ ଘଟାଇଯାଇଛି-କେବଳ ଇତିହାସ ହିଁ ତା’ର ମୂକସାକ୍ଷୀ । ଆମ ଭାରତ ବର୍ଷରେ ମଧ୍ୟ ବହୁମହାମନୁଷ୍ୟ, ସତ୍ୟନିଷ୍ଠ ମଣିଷଙ୍କୁ କମ୍ ନିର‌୍ୟାତନା ଭୋଗିବାକୁ ପଡିନି । ସବୁଠି କ୍ଷମତା ଓ ସମ୍ପତ୍ତି ଲୋଭରେ ରକ୍ତପାତ । ଏସବୁ ଇତିହାସ ରାମାୟଣ, ମହାଭାରତକୁ ବଳିଯିବ ।

ଯାଜପୁର ରୋଡ, ଯାଜପୁର, ମୋ : ୯୮୬୧୦୩୪୧୬୩
(ଲେଖକ ଜଣେ ବରିଷ୍ଠ ଶ୍ରମିକ ନେତା ଓ ସ୍ତମ୍ଭକାର)
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।
Leave A Reply

Your email address will not be published.