Latest Odisha News

BREAKING NEWS

ଆସନ୍ତୁ ନଜର ପକାଇବା ଚାମ୍ପିୟନ୍ସ ଟ୍ରଫିର ଇତିହାସ ଉପରେ

ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫିର ୨୦୨୫ ସଂସ୍କରଣ ଫେବୃୟାରୀ ୧୯ରୁ ପାକିସ୍ତାନରେ ଆରମ୍ଭ ହେବ । ଏହାର ଫାଇନାଲ ମ୍ୟାଚ ମାର୍ଚ୍ଚ ୯ରେ ଖେଳାଯିବ । ସୁରକ୍ଷା ଦୃଷ୍ଟିକୋଣରୁ ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ । ପ୍ରାୟ ୮ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫି ପୂନର୍ବାର ଆୟୋଜିତ ହେଉଛି ।

ପ୍ରଥମ ୨ ସଂସ୍କରଣରେ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ ବିଜୟୀ: ଚାମ୍ପିୟନ୍ସ ଟ୍ରଫି ୧୯୯୮ରେ ଆରମ୍ଭ ହୋଇଥିଲା । ସେ ସମୟରେ ଏହାର ଅଫିସିଆଲ ନାମ ଆଇସିସି ନକଆଉଟ ରହିଥିଲା । ଏହା ମିନି ବିଶ୍ୱକପ ଭାବେ ମଧ୍ୟ ପ୍ରଶଂସକଙ୍କ ନିକଟରେ ପରିଚିତ ଥିଲା । ବାଂଲାଦେଶରେ ଖେଳାଯାଇଥିବା ପ୍ରଥମ ସଂସ୍କରଣରେ ଦକ୍ଷିଣ ଆଫ୍ରିକା ଫାଇନାଲରେ ୱେଷ୍ଟଇଣ୍ଡିଜକୁ ହରାଇ ଚାମ୍ପିୟନ ହୋଇଥିଲା । ପରେ ଏହାକୁ ୨ ବର୍ଷ ବ୍ୟବଧାନରେ କରାଯିବ ବୋଲି ସ୍ଥିର ହୋଇଥିଲା । ଦ୍ୱିତୀୟ ସଂସ୍କରଣ କେନିୟାରେ ହୋଇଥିଲା ।

ନ୍ୟୁଜିଲାଣ୍ଡ ଫାଇନାଲରେ ଭାରତକୁ ହରାଇ ଟାଇଟଲ ହାସଲ କରିଥିଲା । ସବୁଠାରୁ ବଡ କଥା ଏହି ୨ ଟିମ ଦିନିକିଆ ବିଶ୍ୱକପ ଜିତି ନ ଥିବା ବେଳେ ମିନି ବିଶ୍ୱକପରେ ଚାମ୍ପିୟନ ହୋଇଥିଲା । ଦ୍ୱିତୀୟ ସଂସ୍କରଣ ପରେ ଏହାର ନାମ ଚାମ୍ପିୟନ୍ସ ଟ୍ରଫି ରଖା ଯାଇଥିଲା । ୨୦୦୨ରେ ଶ୍ରୀଲଙ୍କାରେ ଖେଳାଯାଇଥିବା ଏହି ସଂସ୍କରଣରେ ଭାରତ ଓ ଶ୍ରୀଲଙ୍କା ଯୁଗ୍ମ ବିଜେତା ହୋଇଥିଲେ । ୨୦୦୪ରେ ଇଂଲଣ୍ଡକୁ ହରାଇ ୱେଷ୍ଟଇଣ୍ଡିଜ ଓ ୨୦୦୬ରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା ।

ଆତଙ୍କବାଦୀ ଆକ୍ରମଣ: ୨୦୦୮ରେ ଦକ୍ଷିଣ ଆଫ୍ରିକାରେ ଏହା ଆୟୋଜିତ ହେବାକୁ ଥିଲା । ଆତଙ୍କବାଦୀ ଆକ୍ରମଣ ଯୋଗୁ ଏହାକୁ ଘୁଂଚାଇ ଦିଆ ଯାଇଥିଲା । ୨୦୦୮ରେ ପାକିସ୍ତାନ ଗସ୍ତରେ ଯାଇଥିବା ଶ୍ରୀଲଙ୍କା ଟିମ ଉପରେ ଏହି ଆକ୍ରମଣ ହୋଇଥିଲା । ୨୦୦୯ରେ ପୂନର୍ବାର ଚାମ୍ପିୟନ୍ସ ଟ୍ରଫି ଆୟୋଜିତ ହୋଇଥିଲା । ଏହା ପରେ ଆଇସିସି ୪ ବର୍ଷ ବ୍ୟବଧାନରେ ଏହାକୁ କରିବା ପାଇଁ ସ୍ଥିର କରିଥିଲା । ୨୦୦୯ରେ ଅଷ୍ଟ୍ରେଲିଆ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦ୍ୱିତୀୟ ଥର ପାଇଁ ଚାମ୍ପିୟ ହୋଇଥିଲା । ୨୦୧୩ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ଟାଇଟଲ ହାସଲ କରିଥିଲା ।

ବନ୍ଦ ହୋଇ ଯାଇଥାନ୍ତା ଚାମ୍ପିୟନ୍ସ ଟ୍ରଫି: ୨୦୧୩ ପରେ ଆଇସିସି ଚାମ୍ପିୟନ୍ସ ଟ୍ରଫିକୁ ବନ୍ଦ କରିବା ପାଇଁ ଯୋଜନା କରିଥିଲା । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଆୟୋଜନ ଏହାର ପ୍ରମୂଖ କାରଣ ରହିଥିଲା । ଟେଷ୍ଟ, ଟି୨୦ ଓ ଦିନିକିଆରେ ଆଇସିସି ଗୋଟିଏ ଲେଖାଏଁ ଗ୍ଲୋବାଲ ଇଭେଂଟ କରିବାକୁ ଚାହୁଁଥିଲା । ଚାମ୍ପିୟନ୍ସ ଟ୍ରଫି ପାଇଁ ସମୟ ମିଳୁ ନ ଥିଲା । ୨୦୧୭ ଡବ୍ଲ୍ୟୁଟିସି ଆରମ୍ଭ ନ ହେବାରୁ ପୂନର୍ବରେ ଚାମ୍ପିୟନ୍ସ ଟ୍ରଫି ହୋଇଥିଲା ।
କରୋନା ଯୋଗୁ ଘୁଂଚିଲା: ୨୦୧୩ ପରେ ୨୦୧୭ରେ ଏହା ଇଂଲଣ୍ଡରେ ଆୟୋଜିତ ହେବାକୁ ଥିଲା । ପାକିସ୍ତାନ ଏହି ସଂସ୍କରଣରେ ଚାମ୍ପିୟନ ହୋଇଥିଲା । କରୋନା ଯୋଗୁ ଏହା ପୂନର୍ବାର ବନ୍ଦ ହୋଇଥିଲା । ଏବେ ୮ ବର୍ଷ ପରେ ପୂନର୍ବାର ଆୟୋଜିତ ହେଉଛି ।

Comments are closed.