‘ଇନ୍ଦ୍ରଧନୁ’ର ନବରଙ୍ଗ ଚଳଚ୍ଚିତ୍ର ଅବୋଲକରା କାହାଣୀ

ଏହି ସ୍ତମ୍ଭ ସହ ସ୍ଥାନିତ ହୋଇଛି ଦୁଇଟି ଛବି: ଏକ: ‘ଇନ୍ଦ୍ରଧନୁ’ର ପ୍ରଚ୍ଛଦ, ଯାହା ପ୍ରମାଣିତ କରୁଛି ସେହି ସମୟରେ ଓଡ଼ିଆ ଚଳଚ୍ଚିତ୍ରକୁ ‘ଇନ୍ଦ୍ରଧନୁ’ ଗୁରୁତ୍ୱ ଦେଉଥିଲା ଏବଂ ଦୁଇ: ‘ଇନ୍ଦ୍ରଧନୁ’ରେ ପ୍ରକାଶ ପାଉଥିବା ରାଜନୀତିକ କାର୍ଟୁନର ପ୍ରତିଛବି ।

0
16

ଛାୟାଲିପି: ଭାଗ ଷୋହଳ 

‘ଇନ୍ଦ୍ରଧନୁ’ ଚଳଚ୍ଚିତ୍ର ପତ୍ରିକାରେ କେବଳ ଚଳଚ୍ଚିତ୍ର ଭିତ୍ତିକ ଖବର କି ଆଲୋଚନା କି ଭିତିରି କଥା ନଥିଲା, ଆହୁରି ଥିଲା ‘ସମୟ ସ୍ରୋତ’ ଶୀର୍ଷକରେ ରାଜନୀତି ଚର୍ଚ୍ଚା, ‘ଭାଗ୍ୟଲିପି’ ଶିରୋନାମାରେ ରାଶିଫଳ, ‘ସାମାନ୍ୟ ସମ୍ବାଦ ଓ ଅସାମାଡ଼୍ୟ ତଡ଼ିତ୍‌’ ନାମରେ ଖେଳ ଖବର, ରାଜନୀତିକୁ ନେଇ ଗୋଟିଏ କାର୍ଟୁନ ପୃଷ୍ଠା ଏବଂ ଗୋଟିଏ ବିଦେଶୀ ଗଳ୍ପର ଅନୁବାଦ ସହିତ ଗୋଟିଏ ମୌଳିକ ଓଡ଼ିଆ ଗଳ୍ପ । ବାଣୀଦୂତ ଛଦ୍ମନାମରେ ବମ୍ବେରୁ ଗଣେଶ ମହାପାତ୍ର ‘ମିସ୍ କାଦମ୍ବନୀ’ ଶର୍ଷକ ଉପନ୍ୟାସ ବି ଲେଖୁଥିଲେ ‘ଇନ୍ଦ୍ରଧନୁ’ରେ । ପତ୍ରିକାର ମୋଟାମୋଟି ଅଂଶ କିନ୍ତୁ ଚଳଚ୍ଚିତ୍ର ପାଇଁ ବିନିଯୋଗ ହେଉଥିଲା । ଯାହା ପୂର୍ବରୁ ଲେଖିଥିଲି, ଯେଣୁ ସେହି ସମୟରେ ଓଡ଼ିଆ ଚଳଚ୍ଚିତ୍ରର ସଂଖ୍ୟା କମ୍ ଥିଲା ଏଣୁ ପତ୍ରିକା ପୃଷ୍ଠାର ଅଧିକାଂଶ ପୃଷ୍ଠା ଥିଲା ହିନ୍ଦୀ ବା ବଙ୍ଗଳା ଚଳଚ୍ଚିତ୍ର ପାଇଁ । ଏହି ଧାରା କେବଳ ‘ଇନ୍ଦ୍ରଧନୁ’ରେ ନ ଥିଲା, ସେହି ସମୟରେ ପ୍ରକାଶିତ ଅଧିକାଂଶ ଚଳଚ୍ଚିତ୍ର ପତ୍ରିକା ସେୟା ହିଁ କରୁଥିଲେ ।

‘ଇନ୍ଦ୍ରଧନୁ’ ସେହି ଧାରାରେ ଆଉ ଏକ ନୂଆ ସ୍ତମ୍ଭ ଯୋଡ଼ିଲା ଏବଂ ତାହା ହେଉଛି କାର୍ଟୁନର ପ୍ରକାଶନ । ଅବଶ୍ୟ ସେତେବେଳେ କାର୍ଟୁନ ଅନ୍ୟାନ୍ୟ ପତ୍ରପତ୍ରିକାରେ ପ୍ରକାଶିତ ହେଉଥିଲା ଓ ବିଶେଷ କରି ସାହିତ୍ୟ ପତ୍ରିକା ‘ଆସନ୍ତାକାଲି’ ଏହି ଦିଗରେ ଅଗ୍ରଣୀ ଥିଲା । କିନ୍ତୁ କୌଣସି ଚଳଚ୍ଚିତ୍ର ପତ୍ରିକାରେ ରାଜନୀତିକ ବ୍ୟଙ୍ଗ ଓ କାର୍ଟୁନ ପ୍ରକାଶିତ ହେବା ଥିଲା ପ୍ରଥମ । ସୁରେଶ ନାମକ ଶିଳ୍ପୀ ଏହି କାର୍ଟୁନ ଆଙ୍କୁଥିଲେ । ‘ସମୟ ସ୍ରୋତ’ ଶୀର୍ଷକରେ ରାଜନୀତି ଚର୍ଚ୍ଚା ‘ଇନ୍ଦ୍ରଧନୁ’ରେ ପ୍ରକାଶିତ ହେଉଥିଲା ଓ ତାହାର ଶେଷ ପୃଷ୍ଠାରେ ସ୍ଥାନିତ ହେଉଥିଲା କାର୍ଟୁନ୍ ।

ପଚାଶ ଓ ଷାଠିଏ ଦଶକର ଚଳଚ୍ଚିତ୍ର ପତ୍ରିକାରେ ଗୋଟିଏ ସାଧାରଣ ସ୍ତମ୍ଭ ନିହାତି ରହୁଥିଲା । ଆପଣ ସେହି ପ୍ରଶ୍ନୋତ୍ତରୀ ସ୍ତମ୍ଭକୁ ‘ସିନେ ଓଡ଼ିଶା’, ‘କଳାଶ୍ରୀ’, ‘ଚିତ୍ରଲେଖା’, ‘ସିନେମା’ ଓ ‘ଚିତ୍ରପୁରୀ’ ପତ୍ରିକାରେ ନିଶ୍ଚୟ ଭିନ୍ନ ଭିନ୍ନ ନାମରେ ଭେଟିବେ ଏବଂ ଏହି ସମ୍ବନ୍ଧରେ ଗତ ସଂଖ୍ୟାସବୁରେ ଚର୍ଚ୍ଚା ବି ହୋଇଛି । ଇନ୍ଦ୍ରଧନୁର ପ୍ରଶ୍ନୋତ୍ତରୀ ସ୍ତମ୍ଭର ନାମ ଥିଲା ‘ପ୍ରଶ୍ନଶାୟକ’ । ଅନ୍ୟାନ୍ୟ ପତ୍ରିକା ପ୍ରଶ୍ନୋତ୍ତରୀ ସ୍ତମ୍ଭ ପାଇଁ ପାଠକଙ୍କ ପାଖରୁ ଅବ୍ୟବହୃତ ପୋଷ୍ଟକାର୍ଡ ବା ଦୁଇ ପଇସାର ଡାକଟକଟ ଦାବୀ କରୁଥିବାବେଳେ ‘ଇନ୍ଦ୍ରଧନୁ’ ପତ୍ରିକା ପୃଷ୍ଠାରେ ପ୍ରକାଶିତ କୁପନ୍ ପୂରଣ କରି ପଠାଇବାକୁ ପାଠକବର୍ଗଙ୍କୁ ଅନୁରୋଧ କରୁଥିଲା । ଇନ୍ଦ୍ରଧନୁରେ ହସ କଥା ବି ପ୍ରକାଶିତ ହେଉଥିଲା ‘ମୁଖରେ ହସ ମନ ସରସ’ ନାମରେ ।

‘ଇନ୍ଦ୍ରଧନୁ’ର ଅନ୍ୟ ଏକ ଲୋକପ୍ରିୟ ସ୍ତମ୍ଭଥିଲା ‘ଗଲି ଅଇଲି ଯାହା ଦେଖିଲି’ । ଶ୍ରୀ ବମ୍ବେୟା ଏହାକୁ ଲେଖୁଥିଲେ ଓ ଅନୁମିତ ହୁଏ ଗଣେଶ ମହାପାତ୍ର ହିଁ ଛଦ୍ମନାମରେ ଲେଖୁଥିଲେ । ହିନ୍ଦୀ ଚଳଚ୍ଚିତ୍ର ଜଗତର ଗୋଟିଏ ଉଡ଼ାଖବର ‘ଗପ’ ହୋଇ ଏହି ସ୍ତମ୍ଭରେ ପ୍ରକାଶିତ ହେଉଥିଲା । ଏହାଛଡ଼ା ‘ତାଜା ଖବର’ ସ୍ତମ୍ଭ ବି ଥିଲା, ନାୟକ ନାୟିକାଙ୍କ ପ୍ରେମ କାହାଣୀ ଓ ବ୍ୟକ୍ତିଗତ ଜୀବନ ଚର୍ଯ୍ୟାକୁ ନେଇ ‘ପ୍ରହେଳିକା’ ନାମରେ ସ୍ତମ୍ଭ ବି ରହିଥିଲା । ‘ନବରଙ୍ଗ’ ନାମିତ ସ୍ତମ୍ଭରେ ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ରର ଆଗାମୀ ଚିତ୍ର ସମାଚାର ସ୍ଥାନିତ ହେଉଥିଲା । ଓଡ଼ିଆ ଚଳଚ୍ଚ୍ରିତ ପତ୍ରିକା ପ୍ରବାହକୁ ‘ଇନ୍ଦ୍ରଧନୁ’ର ଅନ୍ୟତମ ଅବଦାନ ହେଲା ‘କଟାକ୍ଷ’ ଆଉ ଏହି ‘କଟାକ୍ଷ’ ପାଇଁ ଏକ ସ୍ୱତନ୍ତ୍ର ସ୍ତମ୍ଭ ରହିଥିଲା : ‘ପକା କମ୍ବଳ ପୋତ ଛତା’ ।

‘ପକା କମ୍ବଳ ପୋତ ଛତା’ର ପ୍ରଥମ ପ୍ରକାଶନର ଅଗ୍ରଲେଖରେ ଯାହା ଲେଖାଥିଲା, ତହିଁରୁ ଉଦ୍ଦେଶ୍ୟଟି ସ୍ପଷ୍ଟ ହୋଇଯାଏ । ଲେଖାଥିଲା: ଓଡ଼ିଶାରେ ପ୍ରଚଳିତ କଥାମାଳା ଭିତରେ ‘ପକା କମ୍ବଳ ପୋତ ଛତା’ର ପ୍ରଚଳନ ବେଶି ‘ଅବୋଲକରା’ କଥାମାଳାରେ । ଆଜିର ଏହି ଅବୋଲକରା କାହାଣୀ କିନ୍ତୁ ଆଧୁନିକ ସିନେମା ଜଗତର କେତେକ କୌତୁହଳପ୍ରଦ ଘଟଣାକୁ ନେଇ ରଚିତ । କୌଣସି ବ୍ୟକ୍ତିଗତ ଆକ୍ରୋଶ ଏତିରେ ଜଡ଼ିତ ନୁହେଁ । ବିଷୟ ବସ୍ତୁ ଲେଖକଙ୍କର ଏକ କଳ୍ପନା ମାତ୍ର ।

‘ପକା କମ୍ବଳ ପୋତ ଛତା’ ସ୍ତମ୍ଭରେ ଯାହାଯାହା ପ୍ରକାଶିତ ହୋଇଥିଲା ନାମକରଣରୁ ସେହି ଲେଖା ସମ୍ବନ୍ଧରେ ଆଭାସ ମିଳିଯିବ । ସବ୍ ଜାନତା ନିର୍ମାତା, ହିରୋଙ୍କ ହରକତ୍‌, ନାୟିକା ମହଲର ସୋପାନ ଏସବୁ ଥିଲା ‘ପକା କମ୍ବଳ ପୋତ ଛତା’ ସ୍ତମ୍ଭର ଭିନ୍ନ ଭିନ୍ନ ବିଷୟ । ଏଥିରେ ଲଘୁ ଓ ଚଟୁଳ କଟାକ୍ଷ ଯେମିତି ପ୍ରକାଶିତ ହେଉଥିଲା, ସେହି ସମୟର ଅନ୍ୟ କୌଣସି ଚଳଚ୍ଚିତ୍ର ପତ୍ରିକା ସେମିତି ସାହସ କରିନାହାନ୍ତି ।

‘ଇନ୍ଦଧନୁ’ ସବୁଠାରୁ ଗାମ୍ଭୀର୍ଯ୍ୟପୂର୍ଣର୍ ପୃଷ୍ଠା ଥିଲା ଏହାର ସମ୍ପାଦକୀୟ । ‘ପ୍ରଥମ ପୃଷ୍ଠା’ ଶୀର୍ଷକରେ ଓ ସମ୍ପାଦକ ବଂଶୀଧର ଭୁୟାଁଙ୍କ ଦସ୍ତଖତ ସହ ପତ୍ରିକାରେ ଆରମ୍ଭ ପ୍ରକାଶିତ ଏହି ପୃଷ୍ଠାରେ କେବେ ଓଡ଼ିଆ ଚଳଚ୍ଚିତ୍ର ବିତରଣ ଓ ପ୍ରଦର୍ଶନ ସମସ୍ୟା କଥା ରହୁଥିଲା ତ କେବେ ସୀମାନ୍ତରେ ପାକିସ୍ତାନର ନିର୍ଲଜ୍ଜ ଆକ୍ରମଣ ଚର୍ଚ୍ଚା ଓ ସ୍ୱାଧୀନତା ଲାଭ ଓ ସ୍ୱାଧୀନତା ରକ୍ଷା ସମ୍ବନ୍ଧରେ ଅନୁଶୀଳନ ରହୁଥିଲା । ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାରକୁ ନେଇ ବିତର୍କର ସୂତ୍ରପାତ ‘ଇନ୍ଦ୍ରଧନୁ’ର ପ୍ରଥମ ପୃଷ୍ଠାରେ ହୋଇଥିଲା ଆଉ ‘ଚଳଚ୍ଚିତ୍ରରେ କଳାଧନ’ ସମ୍ବନ୍ଧରେ ବିମର୍ଶ ବି ରହିଥିଲା । ‘ଇନ୍ଦ୍ରଧନୁ’ର ଆୟୁଷ ଦୀର୍ଘ ନ ଥିଲା, ୧୯୬୩ ମସିହା ସେପ୍‌ଟେମ୍ବର ମାସରୁ ଆତ୍ମପ୍ରକାଶ କରିଥିବା ଓଡ଼ିଶାର ଏକମାତ୍ର ସଚିତ୍ର ମନୋରଞ୍ଜନ ପାକ୍ଷକ ବାରଟି ସଂଖ୍ୟା ପରେ ମାସିକକୁ ପରିବର୍ତ୍ତନ ହେଲା ଏବଂ ଦ୍ୱିତୀୟ ଭାଗର ବାରତମ ସଂଖ୍ୟା ପରେ ବନ୍ଦ ହୋଇଗଲା । ସ୍ୱଳ୍ପ ଆୟୁରେ ବି ଓଡ଼ିଆ ଚଳଚ୍ଚିତ୍ର ପତ୍ରିକାଧାରାକୁ ଦୀର୍ଘ ଅବଦାନ ଦେଇଥିଲା ‘ଇନ୍ଦ୍ରଧନୁ’ ।