Latest Odisha News

BREAKING NEWS

ଓଡ଼ିଶା ହେବ ସେମି କଣ୍ଡକ୍ଟର ହବ: ସୃଷ୍ଟି ହେବ ୨୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ଓଡ଼ିଶାକୁ ଏକ ପ୍ରମୁଖ ସେମିକଣ୍ଡକ୍ଟର ହବ୍ (Semiconductor Hub) ଭାବରେ ଗଢ଼ିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ସେମିକଣ୍ଡକ୍ଟର ମିଶନ ଅଧୀନରେ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରୁ ଓଡ଼ିଶାକୁ ୨ଟି ଚିପ୍ ପ୍ରକଳ୍ପ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ରାଜ୍ୟରେ ୨୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ରାଜ୍ୟରେ ଆଇଆଇଟି (IIT) ଏବଂ ଅନ୍ୟାନ୍ୟ ବୈଷୟିକ ପ୍ରତିଷ୍ଠାନ ଥିବାରୁ ଏହି କ୍ଷେତ୍ର ପାଇଁ ଉପଯୁକ୍ତ ପରିବେଶ ଓ ପ୍ରତିଭା ରହିଛି।

ଦିଲ୍ଲୀରେ ଆୟୋଜିତ SEMICON India 2026 କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଓଡ଼ିଶାରେ ସେମିକଣ୍ଡକ୍ଟର କ୍ଷେତ୍ରର ବିକାଶ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି। ସେଠାରେ ଓଡ଼ିଶା ଷ୍ଟଲ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ମୁଖ୍ୟ ଶାସନ ସଚିବଙ୍କ ସମେତ ଓଡ଼ିଶା ପ୍ରତିନିଧିମଣ୍ଡଳୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ସେମିକଣ୍ଡକ୍ଟର କ୍ଷେତ୍ରରେ ଆଗକୁ ବଢ଼ୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଶ୍ବସ୍ତରୀୟ କମ୍ପାନୀ ଇଣ୍ଟେଲ ଓ 3DGS ମଧ୍ୟରେ ଯେଉଁ ଏମଓୟୁ ସ୍ବାକ୍ଷର ହୋଇଛି, ତାହା ଜରିଆରେ ଓଡ଼ିଶାରେ ବ୍ୟାପକ ନିବେଶ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଏହା ଦ୍ବାରା ପ୍ରାୟ ୩୦ ହଜାର ୫୫୦ କୋଟି ଟଙ୍କାର ନିବେଶ ଆସିବା ସହ ୧୮୦୦ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ । ନରାଜରେ ହେବ ସିଲିକନ ଭ୍ୟାଲି । ଏଥିପାଇଁ ରାଜ୍ୟ ସରକାର ୮୭୦ ଏକର ଜମି ଯୋଗାଇଦେବେ । ୨ଟି ପ୍ରକଳ୍ପ ସହ ଓଡ଼ିଶା ସରକାର ପ୍ରାୟ ୧୧ ହଜାର କୋଟି ଟଙ୍କାର ୫ଟି ସେମି କଣ୍ଡକ୍ଟର ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି । ଏହା ଦ୍ବାରା ପ୍ରାୟ ୪ ହଜାର ୫ଶହ ପ୍ରତ୍ୟକ୍ଷ ଏବଂ ୧୬ ହଜାର ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ । ମୁଖ୍ୟମନ୍ତ୍ରୀଙ୍କ କହିବାନୁସାରେ, ସେମିକଣ୍ଡକ୍ଟର ମିଶନ ଅଧୀନରେ ଦେଶରେ ୧୨ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ବେଳେ ଏଥିରୁ ଦୁଇଟି ପ୍ରକଳ୍ପ ଓଡ଼ିଶାକୁ ମିଳିଛି। ଏହି ଦୁଇ ପ୍ରକଳ୍ପ ଅଧୀନରେ ରାଜ୍ୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି।

ଭୁବନେଶ୍ବରରେ ସ୍ଥାପିତ ସିଲିକନ କାର୍ବାଇଡ ୱେଫର ମାନୁଫାକଚରିଂ କାମ ପ୍ରାୟ ସରିଆସିଲାଣି । ଖୁବଶୀଘ୍ର ଉତ୍ପାଦନ ହେବ ବୋଲି କୁହାଯାଇଛି । ସେମିକଣ୍ଡକ୍ଟର କ୍ଷେତ୍ରରେ ରାଜ୍ୟରେ ପୁଞ୍ଜି ନିବେଶ ନେଇ ବିଭିନ୍ନ ଶିଳ୍ପପତିଙ୍କୁ ଭେଟୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଗାମୀ ଦିନରେ ଓଡିଶାକୁ ସେମି କଣ୍ଡକ୍ଟର କ୍ଷେତ୍ରରେ ଫୋକସ କରାଯାଉଛି । କେନ୍ଦ୍ର ସରକାର ଏଥିପାଇଁ ଓଡ଼ିଶାକୁ ସହଯୋଗ ଯୋଗାଇ ଦେଉଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଓଡ଼ିଶାରେ ସେମିକଣ୍ଡକ୍ଟର କ୍ଷେତ୍ରକୁ ବଢାଯାଉଛି ।

Leave A Reply

Your email address will not be published.