ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଆସନ୍ତା ସୋମବାର ଦିନ ବିଧାନସଭା ପରିସରରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଅଧ୍ୟକ୍ଷତା କରିବେ ବାଚସ୍ପତି। ଏନେଇ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ।
ସପ୍ତଦଶ ବିଧାନସଭା ସପ୍ତମ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ବିଧାନସଭା ଚାଲୁଥିବା ସମୟରେ ଯାନବାହାନ ଚଳାଚଳ ଓ ଜନସାଧାରଣଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି, ବିଧାନସଭା ନିକଟବର୍ତ୍ତୀ ଅଞ୍ଚଳରେ ଟ୍ରାଫିକ୍ ନିୟନ୍ତ୍ରଣ ଆଦେଶନାମା ଜାରି ହୋଇଛି। ଗାଡ଼ି ଚଳାଚଳ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ୍ କଟକଣା ଜାରି କରିଛି। ହାଉସିଂ ବୋର୍ଡରୁ ରବୀନ୍ଦ୍ର ମଣ୍ଡପ ରାସ୍ତା କେଶରୀ ଟକିଜ୍ ନିକଟରୁ ବଦଳିବ। ଏଜି ଛକରୁ ପିଏମଜି ଯିବାକୁ ହେଲେ ଆଇଜି ପାର୍କ ରାସ୍ତାରେ ଯିବାକୁ ହେବ। ମାଷ୍ଟର କ୍ୟାଣ୍ଟିନରୁ ପିଏମଜି ଯିବାକୁ ହେଲେ ପାର୍ଶ୍ୱ ଗଳି ବାଟ ଦେଇ ଯାଇହେବ। ୧୨୦ ବ୍ୟାଟାଲିୟନରୁ ରବୀନ୍ଦ୍ର ମଣ୍ଡପ ରାସ୍ତାରେ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ। ପାୱାର ହାଉସ୍ ସ୍କୋୟାର ଆଡ଼କୁ ବାଟ ବଦଳାଇ ଯିବା ଆସିବା କରିପାରିବେ। ଲୋକ ଭବନରୁ ରବୀନ୍ଦ୍ର ମଣ୍ଡପ ଯିବାକୁ ଗାଡ଼ି ଶାସ୍ତ୍ରୀ ନଗର ଛକ ଦେଇ ଯିବେ। ଏହି କଟକଟଣା ବିଧାନସଭା ଅଧିବେଶନ ଚାଲୁଥିବା ସମୟରେ ବଦଳବତ୍ତର ରହିବ।
ସେପଟେ ଚଳିତ ମୌସୁମୀ ଅଧିବେଶନ ବେଶ୍ ସରଗରମ ହେବ ବୋଲି ଆଶା କରାଯାଉଛି । ବିରୋଧୀଙ୍କ ପାଖରେ ମାଳ ମାଳ ପ୍ରସଙ୍ଗ ରହିଛି । ଯେଭଳି କି, ଡିଜିପି ନିଯୁକ୍ତି, ବନ୍ୟା ପରିଚାଳନା, ରାଜଧାନୀରେ କୃତ୍ରିମ ବନ୍ୟା ପ୍ରସଙ୍ଗ ନେଇ ବିରୋଧୀ ସରକାରଙ୍କୁ ଘେରିପାରନ୍ତି । ସେପଟେ ଏସବୁ ପ୍ରସଙ୍ଗରେ ବିଧାନସଭାରେ କିଭଳି ଶାସକ ଦଳ ଜବାବ ରଖିବେ ତାହା ସମୟ କହିବ । ଏସବୁ ପ୍ରସଙ୍ଗ ଭିତରେ ବଡ଼ ପ୍ରସଙ୍ଗ ରହିଛି ବାଲେଶ୍ୱର ଭୋଗରାଇରୁ ୫ ବିରଳ ପ୍ରଜାତିର ଓରାଂଉଟାନ ଜବତ । ଏହାପଛରେ ଏକ ରାକେଟ୍ ଥିବା ସନ୍ଦେହ କରାଯାଉଥିଲେ ବି ଏସଟିଏଫ୍ କିନ୍ତୁ କିଛି ସୁରାଗ ପାଇପାରୁ ନାହିଁ । ଏହାକୁ ନେଇ ବିରୋଧୀ ମଧ୍ୟ ସରକାରଙ୍କୁ ଘେରିପାରନ୍ତି।

