Latest Odisha News

BREAKING NEWS

ମୋଦୀଙ୍କୁ ନବୀନଙ୍କ କଟାକ୍ଷ, ବିଜେଡ଼ି ସରକାରର ଶପଥ ଗ୍ରହଣ ଉତ୍ସବକୁ କଲେ ନିମନ୍ତ୍ରଣ

ବାଲେଶ୍ୱର: ବିଜେଡ଼ି ସରକାର ବିଦା ହେଲା ପରେ ପୁଣି ଓଡ଼ିଶା ଆସିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ମନ୍ତବ୍ୟର ଜବାବ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦୀଙ୍କୁ କଟାକ୍ଷ କରିଛନ୍ତି ।

“ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ବିଜେଡ଼ି ସରକାର ଓଡ଼ିଶାରୁ ବିଦା ହେଲା ପରେ ସେ ପୁଣି ଥରେ ଓଡ଼ିଶାକୁ ଆସିବେ । ରାଜ୍ୟର ଜନସାଧାରଣଙ୍କ ଆଶୀର୍ବାଦରୁ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମଧ୍ୟ ବିଜେଡ଼ିକୁ ବହୁ ସଂଖ୍ୟାରେ ଭୋଟଦେଇ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ପ୍ରଦାନ କରିଛନ୍ତି । ମୁଁ ମୋଦୀଜୀଙ୍କ୍ୁ ବିନମ୍ରତାର ସହିତ କହୁଛି, ବିଜେଡ଼ି ପୁଣି ସରକାରର ଶପଥ ଗ୍ରହଣ ଉତ୍ସବରେ ଜଣେ ସମ୍ମାନିତ ଅତିଥି ରୂପେ ମୁଁ ତାଙ୍କୁ ନିମନ୍ତ୍ରଣ କରୁଛି,” ବୋଲି ମୁଖ୍ୟମନ୍ତ୍ରୀ ରେମୁଣାରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇ କହିଛନ୍ତି ।

ଏଠାକାର ଜନସାଧାରଣଙ୍କ ଦାବି ତଥା ଆବଶ୍ୟକତାକୁ ସମ୍ମାନ ଜଣାଇ ତାଙ୍କ ସରକାରଙ୍କ ଦ୍ୱାରା ଏଠାରେ ମେଡ଼ିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ କରାଗଲା । ଏନେଇ ନବୀନ କହିଛନ୍ତି, ଏଥିଲାଗି ରାଜ୍ୟ ସରକାର ୨୦୦ କୋଟି ଟଙ୍କା ଆର୍ଥିକ ଖର୍ଚ୍ଚ ବହନ କରିଥିବା ବେଳେ ଏଥିରେ କେନ୍ଦ୍ର ସରକାରଙ୍କ ଅନୁଦାନ ୧୦୦ କୋଟି ଟଙ୍କା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାର ଜଣେ କେନ୍ଦ୍ରମନ୍ତ୍ରୀ ଏଠାରେ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା କରିବାକୁ ଦୃଢ ଭାବେ ବିରୋଧ କରୁଥିଲେ । “ କେନ୍ଦ୍ରମନ୍ତ୍ରୀ ଏଥିରେ ସଫଳ ହୋଇପାରିନଥିଲେ, ମାତ୍ର ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଅନୁମତି ମିଳିବା ପରେ ଏଠାରେ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା କରିବା ସମ୍ଭବ ହୋଇଥିଲା,” ବୋଲି ନବୀନ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ଏଠାରେ କେନ୍ଦ୍ରମନ୍ତ୍ରୀ ଆହାର ଯୋଜନା ବନ୍ଦ କରିଦେବାକୁ ପ୍ରଚେଷ୍ଟା କରିଥିଲେ । ଏହି ଯୋଜନା ଦ୍ୱାରା ସହରାଞ୍ଚଳରେ ରହୁଥିବା ଲକ୍ଷାଧିକ ଗରିବ ଲୋକ ଆହାର ପାଇପାରୁଛନ୍ତି । “ଏହା କେଉଁ ପ୍ରକାର ରାଜନୀତି ? ବ୍ୟକ୍ତିଗତ ସ୍ୱାର୍ଥରେ କ’ଣ ଲୋକଙ୍କ ହିତସାଧନ ହୋଇପାରେ କି ? କିମ୍ବଦନ୍ତୀ ପୁରୁଷ ଫକିରମୋହନ ସେନାପତିଙ୍କ ମାଟି ଏହାର ଦୃଢ ଜବାବ ଦେବ,” ବୋଲି ଏହି ସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.