Latest Odisha News

CBSE ନବମ ଶ୍ରେଣୀ ବହିରେ ତ୍ରୁଟି, ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର: ସିବିଏସଇ ନିଜର ସ୍କୁଲରେ ପଢ଼ାଉଛି ଭୁଲ ପାଠ । ଏନସିଇଆରଟି ତରଫରୁ ପ୍ରଣୀତ ନବମ ଶ୍ରେଣୀ ସାମାଜିକ ବିଜ୍ଞାନ ବହି “ସୋସିଆଲ ସାଇନ୍ସ କଣ୍ଟେମ୍ପରାରି ଇଣ୍ଡିଆ-୧ ‘ ବହିରେ ପଞ୍ଚମ ଅଧ୍ୟାୟରେ ପୃଷ୍ଠା ନମ୍ବର ୪୯ ରେ ଦିଆଯାଇଥିବା ୱାଇଲଡ ଲାଇଫ ରିଜର୍ଭ ମ୍ୟାପରେ ଭୁଲ ତଥ୍ୟ ଦିଆ ଯାଇଛି । ଭାରତ ମ୍ୟାପରେ ଓଡ଼ିଶାର ଏକମାତ୍ର ନ୍ୟାସନାଲ ପାର୍କ ଭିତରକନିକା ନାଁ ନାହିଁ । କେବଳ ଚନ୍ଦକା-ଡମପଡାକୁ ୱାଇଲଡ ଲାଇଫ ସାଙ୍କଚୁଆରୀ ଏବଂ ଶିମିଳିପାଳକୁ ନ୍ୟାସନାଲ ପାର୍କ ବୋଲି ଚିହ୍ନ ଦିଆଯାଇଛି ।

୧୯୯୮ ମସିହାରୁ କେନ୍ଦ୍ର ସରକାରଙ୍କ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ତରଫରୁ ଏନେଇ ନୋଟିଫିକେସନ ଜାରି କରାଯାଇଥିଲା । ହେଲେ ୨୪ ବର୍ଷ ପରେ ଏନସିଇଆରଟି ତରଫରୁ ଭାରତ ମ୍ୟାପରେ ଓଡ଼ିଶାର ଭିତରକନିକା ନ୍ୟାସନାଲ ପାର୍କ ସ୍ଥାନ ନ ପାଇବା ନିଶ୍ଚୟ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟ ପ୍ରାଣୀ ତତ୍ତ୍ଵାବଧାରକ ଶୁଭେନ୍ଦୁ ମଲ୍ଲିକ । ଏହି ବହିର ତ୍ରୁଟିକୁ ତୁରନ୍ତ ସୁଧାରିବା ପାଇଁ ଉପଯୁକ୍ତ ସ୍ତରରେ ପଦକ୍ଷେପ ନେବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଇମେଲ ମାଧ୍ୟମରେ ପତ୍ର ଲେଖିଛନ୍ତି । ଏହାର ନକଲ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜ୍ୟର ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ଵାବଧାରକ, ଏବଂ ସିବିଏସଇ ଚେୟାରମ୍ୟାନଙ୍କୁ ଦେଇଛନ୍ତି ।

ସୂଚନାଯୋଗ୍ୟ, ସିବିଏସଇ ସ୍କୁଲମାନଙ୍କରେ ଏନସିଇଆରଟି ବହି ପଢିବା ପାଇଁ ଜୋର ଦିଆଯାଇଥାଏ । ତେଣୁ, ଓଡିଶା ମ୍ୟାପରେ ଭିତରକନିକା ନ୍ୟାସନାଲ ପାର୍କକୁ କାଟି ଦେବା କେବେ ହେଲେ ଗ୍ରହଣୀୟ ନୁହେଁ ।

ସେହିପରି, ଶିମିଳିପାଳକୁ ନ୍ୟାସନାଲ ପାର୍କ କହିବା ମଧ୍ୟ ଅନ୍ୟ ଏକ ଭୁଲ । କାରଣ ନ୍ୟାସନାଲ ପାର୍କ ଘୋଷଣା ହେବା ପାଇଁ ପ୍ରଥମ ଯୋଗ୍ୟତା ହେଉଛି, ପାର୍କ ପରିସୀମା ଭିତରେ କୌଣସି ଜନବସତି ରହିବ ନାହିଁ । ଶିମିଳିପାଳରେ କିଛି ଗାଁ ଏଯାଏଁ ମଧ୍ୟ ରହିଅଛି । ଖାସ ସେଇ କାରଣରୁ ଶିମିଳିପାଳକୁ ନ୍ୟାସନାଲ ପାର୍କ ମାନ୍ୟତା ଦେବା ପାଇଁ ଦୀର୍ଘରୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ, ଏଯାଏଁ ମାନ୍ୟତା ପାଇନାହିଁ । ଯେ ପର୍ୟ୍ୟନ୍ତ ଗୋଟିଏ ବି ପରିବାର ଶିମିଳିପାଳ ଅଭୟାରଣ୍ୟରେ ବାସ କରୁଥିବେ, ସେ ପର୍ୟ୍ୟନ୍ତ ଶିମିଳିପାଳ ନ୍ୟାସନାଲ ପାର୍କ ମାନ୍ୟତା ପାଇବ ନାହିଁ। ତେବେ, ଶିମିଳିପାଳକୁ ବାୟୋସ୍ଫିୟର ରିଜର୍ଭ ହିସାବରେ ମାନ୍ୟତା ଦିଅ ଯାଇଛି ।

Comments are closed, but trackbacks and pingbacks are open.