Latest Odisha News

ପଶ୍ଚିମ ଓଡ଼ିଶା ଯିବାକୁ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଛତିଶଗଡ଼କୁ ଲାଗି ରହିଥିବା ଓଡ଼ିଶାର ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ମୁଖ୍ୟତଃ କରୋନା ସଂକ୍ରମଣ ମାମଲା ବଢ଼ିଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତାବ୍ୟକ୍ତ କରିଛନ୍ତି । ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରମଣ ମାମଲା ବଢ଼ୁଥିବାରୁ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ଜିଲ୍ଲା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆଜି ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣ ମାମଲାର ସମୀକ୍ଷା କରିଥିଲେ । ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ମାମଲା ବଢ଼ୁଥିବାରୁ ଗ୍ରାଉଣ୍ଡରେ ସ୍ଥିତି ପରଖି ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ତୁରନ୍ତ ଆବଶ୍ୟକୀୟ ଡାକ୍ତର, ପାରାମେଡିକାଲ ଷ୍ଟାଫ ଓ ଲାବ୍ ଟେକ୍ନସିଆନଙ୍କୁ ପଶ୍ଚିମ ଓଡ଼ିଶାରେ ପୁନଃ ମୁତୟନ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସଂକ୍ରମଣକୁ ଦେଖି ହସ୍ପିଟାଲ ସଂଖ୍ୟା ବୃଦ୍ଧି ଏବଂ ପର୍ଯ୍ୟାପ୍ତ ପରିମାଣର ଆମ୍ବୁଲାନ୍ସ, ଅକ୍ସିଜେନ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ପରିସ୍ଥିତିରେ ମଧ୍ୟ ଆମ୍ବୁଲାନ୍ସ ବିରୋଧରେ ଅଭିଯୋଗ କିମ୍ବା କୋଭିଡ୍ ହସ୍ପିଟାଲରେ ବେଡର ଅଭାବକୁ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ସଂକ୍ରମଣରେ ରୋକ ଦେବାକୁ କୋଭିଡ୍ ଗାଇଡଲାଇନ୍ ମାନିବାକୁ କହିଛନ୍ତି । ରାଜ୍ୟରେ କୋଭିଡ୍ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପୋଲିସ କର୍ମଚାରୀଙ୍କୁ ମୁତୟନ କରିବା ଲାଗି ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଲୋକସମ୍ପର୍କ ବିଭାଗ, ମିଶନ ଶକ୍ତି ଗୋଷ୍ଠୀ କୋଭିଡ୍ ସଚେତନତା ସୃଷ୍ଟି କରିବେ । ପ୍ରଥମ ଲହର ଅପେକ୍ଷା କୋଭିଡର ଦ୍ୱିତୀୟ ଲହର ଅଧିକ ସଂକ୍ରାମକ । ଏହାକୁ ଖାମଖିଆଲିରେ ନନେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନୁଷ୍ଠାନ ଓ ବ୍ୟକ୍ତିଗତ ସ୍ତରରେ କୋଭିଡ୍ କଟକଣାକୁ କଡ଼ାକଡ଼ି ପାଳନ ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

 

Leave A Reply

Your email address will not be published.