ନୂଆଦିଲ୍ଲୀ: ହେବ କି ନେପାଳ ଅବସ୍ଥା?
GenZଙ୍କ ହାତକୁ ଯିବ କି ଭାରତ ଶାସନ?
ସୋସିଆଲ ମିଡିଆରେ ଟ୍ରେଣ୍ଡରେ କକ୍ରୋଚ୍ ଜନତା ପାର୍ଟି!
ଦେଶର ପ୍ରଧାନ ବିଚାରପତିଙ୍କ ଗୋଟିଏ ବୟାନ ଏବେ ସୋସିଆଲ ମିଡିଆରେ ଝଡ ସୃଷ୍ଟି କରିଛି । ଦେଶର ମୋଦି ସରକାରଙ୍କ ଉପରେ ପୂର୍ବରୁ ଖପ୍ପା ଥିବା ଯୁବପିଢି ଏବେ ମେଳି ବାନ୍ଧିଲେଣି । ଦେଶର ସବୁଠୁ ବଡ ଦଳ ବିଜେପିକୁ କଡା ଟକ୍କର ଦେବାକୁ ଲାଗିଲାଣି । ୨୦୨୬ରେ ଏହିପରି ଏକ ଝଡ ପଡୋଶୀ ରାଷ୍ଟ୍ର ନେପାଳର ରାଜନୀତିକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି । ଏବେ ଭାରତରେ ତାହାର ଝଲକ ଦେଖାଯିବ କି ବୋଲି ଆରମ୍ଭ ହୋଇଗଲାଣି ଚର୍ଚ୍ଚା ।
ତେବେ ଚର୍ଚ୍ଚାର କେନ୍ଦ୍ର ହେଉଛି ‘କକ୍ରୋଚ ଜନତା ପାର୍ଟି’ । “କକ୍ରୋଚ୍ ଜନତା ପାର୍ଟି” ନାମକ ଏକ ଯୁବଗୋଷ୍ଠୀଙ୍କ ଦଳ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ପ୍ରତିବାଦ ସ୍ବରରେ ଉଭା ହୋଇଥିବା ଏହି ଦଳ ଏବେ ମୋଦି ସରକାରଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ । ମାତ୍ର ୫ ଦିନ ହେବ ଖୋଲା ହୋଇଥିବା ଏହାର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ବର୍ତ୍ତମାନ ୧ କୋଟି ୩୩ ଲକ୍ଷରୁ ଅଧିକ ଫଲୋଅର୍ସ ହେଲେଣି, ଆଉ ଏହା ନିରନ୍ତର ବଢିଚାଲିଛି । ଯାହା ଦେଶର ସବୁଠୁ ବଡ ଦଳ ବିଜେପିକୁ ପଛରେ ପକାଇଛି । ଇନଷ୍ଟାଗ୍ରାମରେ ବିଜେପିର ୮୮ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି, ଯେତେବେଳେ କଂଗ୍ରେସର ୧ କୋଟି ୩୨ ଲକ୍ଷ ଫଲୋଅର୍ସ ରହିଛନ୍ତି ।
କକ୍ରୋଚ୍ ଜନତା ପାର୍ଟି କ’ଣ?
ମହାରାଷ୍ଟ୍ରର ଜଣେ ଯୁବକ ଅଭିଜିତ ଦିପକେ, ଯିଏ ପୂର୍ବରୁ ଆପ୍ ଦଳ ପାଇଁ କାମ କରିସାରିଛନ୍ତି, ତାଙ୍କ ଦ୍ୱାରା କୋକ୍ରୋଚ୍ ଜନତା ପାର୍ଟି ଗଢାଯାଇଛି । ଯାହାର ସ୍ଲୋଗାନ ପ୍ରଥମେ, “ଧର୍ମନିରପେକ୍ଷ, ସମାଜବାଦୀ, ଗଣତାନ୍ତ୍ରିକ, ଅଳସୁଆ” ରହିଥିବା ବେଳେ ପରେ ଏହା ଯୁବ ପିଢିଙ୍କ ଏକ ରାଜନୈତିକ ଦଳ, ଯାହା ଯୁବପିଢିଙ୍କ ଦ୍ବାରା ଏବଂ ଯୁବପିଢିଙ୍କ ପାଇଁ … ରହିଛି । ଦଳ କେବଳ ଗୋଟିଏ ଦିନରେ ୪୦ ଲକ୍ଷରୁ ଅଧିକ ଫଲୋଅର୍ସ ହାସଲ କରିଛି। ଯାହାର କ୍ରେଜ୍ ଏବେ ବଢିବାରେ ଲାଗିଛି ।
ତେବେ ଏହି ପୂରା ଘଟଣା ସେଇଠୁ ଆରମ୍ଭ ହୋଇଥିଲା ଯେତେବେଳେ, ମେ ୧୫ ତାରିଖରେ କିଛି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ ସିଜେଆଇ ସୂର୍ଯ୍ୟକାନ୍ତ ଏକ ମାମଲାର ଶୁଣାଣି ସମୟରେ କିଛି ବେକାର ଯୁବକଙ୍କୁ କକ୍ରୋଚ୍ ବା ଅସରପା ସହିତ ତୁଳନା କରିଥିଲେ। ସିଜେଆଇ ଗୋଟିଏ ଦିନ ପରେ ସ୍ପଷ୍ଟ କରିଥିଲେ ଯେ ତାଙ୍କର ଉଦ୍ଦେଶ୍ୟକୁ ଭୁଲ୍ ଭାବେ ଉପସ୍ଥାପିତ କରାଯାଇଛି । ପରେ କକ୍ରୋଚ୍ ସମ୍ବୋଧନ କରୁଥିବାର ତାଙ୍କର ଭିଡିଓ ଭାଇରାଲ ହୋଇଥିଲା । ସେଠୁ ଜନ୍ମ ନେଇଥିଲା ଏହି ଦଳ “କକ୍ରୋଚ୍ ଜନତା ପାର୍ଟି (CJP)” । ଆଉ ଏହି ଦଳର ସଦସ୍ୟତା ହାସଲ କରିବା ପାଇଁ କିଛି ନିୟମ ବି ରଖାଯାଇଛି, ପ୍ରଥମ ଆପଣ ଜଣେ ବେକାରୀ ଏବଂ ଅଳସୁଆ ହୋଇଥିବା ଆବଶ୍ୟକ । ଅନଲାଇନ୍ ରହିବାର ନିଶା ଥିବା ଆବଶ୍ୟକ। ବୃତ୍ତିଗତ କ୍ରୋଧ ପ୍ରକାଶ କରିବାର କ୍ଷମତା ଥିବ।
କ’ଣ ୨୦୨୯ରେ ନିର୍ବାଚନ ଲଢିବ CJP?
ତେବେ ଏନେଇ କୌଣସି ଘୋଷଣା କରାଯାଇନାହିଁ । ତଥାପି ଏହାର ପ୍ରତିଷ୍ଠାତା ଅଭିଜିତ୍ ଯୁବପିଢିଙ୍କ ସହ କଥା ହୋଇ ଏନେଇ ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ଆଉ ଏହି ସମୟରେ କକ୍ରୋଚ୍ ପାର୍ଟି ଏହାର ଘୋଷଣାପତ୍ର ପ୍ରକାଶ କରିଛି। ଯଦି CJP (କକ୍ରୋଚ୍ ଜନତା ପାର୍ଟି) କ୍ଷମତାକୁ ଆସେ, ତେବେ ଅବସର ପରେ କୌଣସି CJIଙ୍କୁ ରାଜ୍ୟସଭା ପୁଣି ପଠାଯିବ ନାହିଁ । ଯଦି କୌଣସି ବୈଧ ଭୋଟ୍ ଡିଲିଟ୍ କରାଯାଏ, ତେବେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ UAPA ଅଧୀନରେ ଗିରଫ କରାଯିବ, କାରଣ କାହାର ଭୋଟ୍ ଅଧିକାର ଛଡ଼ାଇ ନେବା ଆତଙ୍କବାଦଠାରୁ କମ୍ ନୁହେଁ। ମନ୍ତ୍ରିମଣ୍ଡଳରେ ମହିଳାମାନଙ୍କ ପାଇଁ ୩୩% ନୁହେଁ ୫୦% ସଂରକ୍ଷଣ ରହିବ। ଏଥିପାଇଁ ସାଂସଦଙ୍କ ସଂଖ୍ୟା ବୃଦ୍ଧି କରାଯିବ ନାହିଁ। ଅମ୍ବାନୀ ଏବଂ ଆଦାନୀଙ୍କ ମାଲିକାନାରେ ଥିବା ସମସ୍ତ ଗଣମାଧ୍ୟମ ସଂଗଠନର ଲାଇସେନ୍ସକୁ ରଦ୍ଦ କରାଯିବ ଯାହା ଦ୍ୱାରା ପ୍ରକୃତରେ ସ୍ୱାଧୀନ ଗଣମାଧ୍ୟମ ଆଗକୁ ବଢିବ । ଲାପଡଗ୍ ମିଡିଆ ଆଙ୍କରମାନଙ୍କ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକର ତଦନ୍ତ କରାଯିବ। ଯଦି କୌଣସି ବିଧାୟକ କିମ୍ବା ସାଂସଦ ଅନ୍ୟ ଦଳକୁ ତ୍ୟାଗ କରନ୍ତି, ତେବେ ସେମାନଙ୍କୁ ନିର୍ବାଚନ ଲଢ଼ିବାରୁ ବାରଣ କରାଯିବା ସହ ତାଙ୍କୁ ଆଗାମୀ ୨୦ ବର୍ଷ ପାଇଁ କୌଣସି ସରକାରୀ ପଦବୀରେ ରହିବାକୁ ଅନୁମତି ଦିଆଯିବ ନାହିଁ। ଯାହା ଏବେ ଭାରତରେ ପଡୋଶୀ ଦେଶ ନେପାଳ ଛବି ଚିତ୍ରିତ ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।