ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଖୋର୍ଦ୍ଧା ଜିଲ୍ଲାର ହଳଦିଆ କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚସି)ର ପୁରୁଷ ସ୍ୱାସ୍ଥ୍ୟ କର୍ମୀ (ଏମଏଚଡବ୍ଲୁ) ବିଭୂତି ଭୂଷଣ ସାହୁଙ୍କୁ ୧୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଛନ୍ତି।
ରିପୋର୍ଟ ଅନୁଯାୟୀ, ଅଭିଯୋଗକାରୀ ତାଙ୍କ ମୃତ ପିତାମାତାଙ୍କ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ପାଇଁ ଖୋର୍ଦ୍ଧାର ସବ-କଲେକ୍ଟରଙ୍କ ନିକଟରେ ଆବେଦନ କରିଥିଲେ। ସବ-କଲେକ୍ଟର ହଳଦିଆ ସିଚସିର ଜନ୍ମ ଏବଂ ମୃତ୍ୟୁ ରେଜିଷ୍ଟ୍ରାର-କମ-ଚିକିତ୍ସା ଅଧିକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେ ଅଭିଯୋଗକାରୀଙ୍କଠାରୁ ୧୦୦୦ ଟଙ୍କା ଲାଞ୍ଚ ଦାବି କରିବା ସହ ଟଙ୍କା ନପାଇଲେ ଫାଇଲ୍ ପ୍ରକ୍ରିୟାକରଣ କରିବାକୁ ମନା କରିଦେଇଥିଲେ। ଯାହାପରେ ଅଭିଯୋଗକାରୀ ଓଡ଼ିଶା ଭିଜିଲାନ୍ସ ନିକଟରେ ପହଞ୍ଚିଥିଲେ।
ପରେ ଭିଜିଲାନ୍ସର ଏକ ଟିମ୍ ପୂର୍ବ ଯୋଜନା ମୁତାବକ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ବିଭୂତି ଭୂଷଣ ସାହୁଙ୍କୁ ଧରିଥିଲେ। ତାଙ୍କ ନିକଟରୁ ୧୦୦୦ ଟଙ୍କା ଜବତ କରାଯାଇଥିଲା। ପରେ ଅଭିଯୁକ୍ତଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ କରିବା ପାଇଁ ତାଙ୍କ ସହିତ ଜଡିତ ଦୁଇଟି ସ୍ଥାନରେ ଏକକାଳୀନ ତଲାସ କରାଯାଉଛି।
ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।
Comments are closed.