Latest Odisha News

ଆଜାଦପୁର ପରିବା ମାର୍କେଟ ପହଞ୍ଚିଲେ, ବେପାରୀଙ୍କୁ ଭେଟି ଦରଦାମ୍ ସମ୍ପର୍କରେ ପଚାରି ବୁଝିଲେ ରାହୁଲ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ କେଉଁଠି କେତେବେଳେ ଅଚାନକ ପହଞ୍ଚିଯାଉଛନ୍ତି ଏବଂ କ’ଣ କରୁଛନ୍ତି ତାହା ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ। କେତେବେଳେ ଚାଷୀଙ୍କ ସହ ମିଶି ଚାଷ କରୁଛନ୍ତି ତ କେତେବେଳେ ମୋଟର ଗ୍ୟାରେଜ ପହଞ୍ଚି ମେକାନିକଙ୍କ ସହ ମିଶି ବାଇକ ସଜାଡୁଛନ୍ତି। ବର୍ତ୍ତମାନ ରାହୁଲଙ୍କ ଆଉ ଏକ ଫଟୋ ଭାଇରାଲ ହୋଇଛି। ଆଜି (ମଙ୍ଗଳବାର) ଅଚାନକ ଦିଲ୍ଲୀର ଆଜାଦପୁର ପରିବା ମାର୍କେଟରେ ପହଞ୍ଚି ପରିବା ବିକାଳିଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।

ଭୋର୍ ପ୍ରାୟ ୪ଟା ସମୟରେ ରାହୁଲ ଗାନ୍ଧୀ ଆଜାଦପୁର ହୋଲସେଲ୍ ପରିବା ହାଟରେ ପହଞ୍ଚି ବ୍ୟବସାୟୀ ଓ ଲୋକଙ୍କ ସହ ପନିପରିବାର ଆକାଶଛୁଆଁ ଦରଦମ୍ ସମ୍ପର୍କରେ କଥାବାର୍ତ୍ତା ହୋଇଛନ୍ତି। ରାହୁଲ ଗାନ୍ଧୀ ପରିବା ବଜାରରେ ପହଞ୍ଚିବା ମାତ୍ରେ ବହୁ ଲୋକ ଏକତ୍ରିତ ହୋଇଥିଲେ। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଟ୍ୱିଟ୍ ହୋଇଛି।

ଦେଶରେ ସମ୍ପ୍ରତି ପନିପରିବା ଦର ହୁ ହୁ ହୋଇ ବଢ଼ି ଚାଲିଛି। ଟମାଟୋ କିଲୋ ପିଛା ୨୦୦ ଟପିଥିବା ବେଳେ ଅନ୍ୟ ପନିପରିବା ଦାମ୍ ମଧ୍ୟ ୧୦୦ ଛୁଇଁଲାଣି। ନିକଟରେ ଦିଲ୍ଲୀର ଆଜାଦପୁର ହୋଲସେଲ ପରିବା ବଜାରରେ ଟମାଟୋର ଆକାଶଛୁଆଁ ଦର ନେଇ ଜଣେ ପରିବା ବ୍ୟବସାୟୀ କାନ୍ଦୁଥିବା ଭିଡ଼ିଓ ଭାଇରାଲ ହୋଇଥିଲା। ଏହି ଭାଇରାଲ ଭିଡିଓକୁ ରାହୁଲ ଗାନ୍ଧୀ ମଧ୍ୟ ସେୟାର କରିଥିଲେ।

ଏହାପୂର୍ବରୁ ରାହୁଲ ଗାନ୍ଧୀ ହରିୟାଣାର ସୋନିପଥରେ ଚାଷୀଙ୍କୁ ଭେଟିଥିବାର ନଜର ଆସିଥିଲେ। ସେ ନିଜେ ମଧ୍ୟ ନିଜ ଟ୍ୱିଟରରେ ଫଟୋ ସେୟାର କରିଥିଲେ। ଯେଉଁଥିରେ ସେ କ୍ଷେତରେ କାମ କରୁଥିବା, ଟ୍ରାକ୍ଟର ଚଳାଉଥିବା, ଚାଷୀଙ୍କ ସହ କଥାବାର୍ତ୍ତା କରୁଥିବା ଏବଂ ସେମାନଙ୍କ ସହ ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ଦିଲ୍ଲୀର କରୋଲ ବାଗରେ ମୋଟର ଗ୍ୟାରେଜରେ ବାଇକ ସଜାଡିବାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା।

Leave A Reply

Your email address will not be published.