Latest Odisha News

BREAKING NEWS

ସୃଷ୍ଟି ସର୍ଜନାକାରୀ ବିଶ୍ଵକର୍ମା, ଜାଣନ୍ତୁ ଦାରୁଦିଅଁଙ୍କୁ ଗଢିବାର ରହସ୍ୟ

ଭୁବନେଶ୍ଵର: ଆଜି ହେଉଛି ପବିତ୍ର ବିଶ୍ୱକର୍ମା ପୂଜା । ଶିଳ୍ପ ଓ କାରଖାନା ଜଗତର ମୁଖ୍ୟ ବିନ୍ଧାଣି ତଥା ଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀ । ପୁରାଣ କାଳରେ ଦେବତାଙ୍କ ପାଇଁ ଅସ୍ତ୍ରଶସ୍ତ୍ର ଓ ମହଲ ନିର୍ମାଣ କରୁଥିଲେ ବିଶ୍ୱକର୍ମା । ତେଣୁ ବିଶ୍ୱକର୍ମାଙ୍କୁ ଶିଳ୍ପୀ ମାନଙ୍କର ଦେବତା ବୋଲି ବିବେଚନା କରାଯାଏ । ବିଶ୍ୱକର୍ମାଙ୍କୁ ଶିଳ୍ପକଳାର ଜନକ ବୋଲି କୁହାଯାଏ । ସମସ୍ତ ବିଶ୍ୱର ସଂରଚନା ବିଶ୍ୱକର୍ମାଙ୍କ ହାତରେ ହୋଇଥିଲା । କୁହାଯାଏ ବଡଦେଉଳରେ ବିରାଜମାନ ହୋଇଥିବା ଦାରୁଦିଅଁଙ୍କୁ ସ୍ଵରୂପ ଦେଇଥିଲେ ସ୍ଵୟଂ ବିଶ୍ଵକର୍ମା । ବନ୍ଦ କୋଠରୀ ଭିତରେ ଗଢିଥିଲେ ଶ୍ରୀବିଗ୍ରହଙ୍କ ପ୍ରତିମା । ତେବେ ଆସନ୍ତୁ ଜାଣିବା ଶ୍ରୀଜିଉଙ୍କୁ ଗଢିବାର କହାଣୀକୁ ନେଇ କ’ଣ କହେ ଆମ ପୁରାଣ ଗାଥା ।

ପୁରାଣ ଅନୁଯାୟୀ, ରାଜା ଇନ୍ଦ୍ରଦ୍ୟୁମ୍ନ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ପରେ ବାଙ୍କି ମୂହାଣରୁ ସଂଗ୍ରହ କରାଯାଇଥିବା ଦାରୁରେ ଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ କରିବା ପାଇଁ ବଢେଇ ଖୋଜୁଥିଲେ । ଏହି ସମୟରେ ଜଣେ ବୁଢା ବଢେଇ ଆସି ପହଞ୍ଚି ଥିଲେ । ସେ ଯେ ମୂର୍ତ୍ତି ନିର୍ମାଣ କରିପାରିବେ ରାଜା ରାଣୀ ଏହା ବିଶ୍ଵାସ କରିପାରିଲେ ନାହିଁ । ପରିଶେଷରେ ବୁଢା ବଢେଇକୁ ନିର୍ମାଣର ଦାୟିତ୍ଵ ଦିଆଗଲା । ବୁଢା ବଢେଇ ସର୍ତ୍ତ ରଖିଲେ ୨୧ ଦିନ ପର୍ଯ୍ୟନ୍ତ ମନ୍ଦିର ଦ୍ଵାର ଫିଟିବ ନାହିଁ । ସେ ଉପବାସ କରି ମୂର୍ତ୍ତିନିର୍ମାଣ କରିବେ । ଏଥିରେ ରାଜା ରାଜି ହୋଇ ମନ୍ଦିର ଦ୍ଵାର ବନ୍ଦ ରଖିଲେ । ପ୍ରତ୍ୟେକ ଦିନ ରାଜା ଭିତରର ଠକ୍ ଠକ୍ ଶବ୍ଦ ଶୁଣିବାର ବ୍ୟବସ୍ଥା କରିଥାନ୍ତି । ହଠାତ୍ ଦିନେ ଆଉ ଶବ୍ଦ ନ ଶୁଭିଭାରୁ ଗୁଣ୍ଡିଚା ରାଣୀ ଧୈର୍ଯ୍ୟ ଧରି ରହିପାରିଲେ ନାହିଁ । ସେ ଭାବିଲେ ବୁଢା ବଢେଇ ବୋଧ ହୁଏ ମୃତ୍ୟୁ ବରଣ କରିଛନ୍ତି । ଗୁଣ୍ଡିଚାରାଣୀଙ୍କ ଅନୁରୋଧରୁ ଦ୍ଵାରଉନ୍ମୁକ୍ତ କଲେ ରାଜା ଇନ୍ଦ୍ରଦ୍ୟୁମ୍ନ । ଦେଖାଗଲା ଯେ ବୁଢା ବଢେଇ ନାହାନ୍ତି – ଅଛି କେବଳ ଅଧାଗଢା ଜଗନ୍ନାଥ ମୂର୍ତ୍ତି । ଏହା ଦେଖି ରାଜା ରାଣୀ ଘୋର ଚିନ୍ତାରେ ପଡିଗଲେ । ସେତେବେଳେ ହଠାତ୍ ଶୂନ୍ୟବାଣୀ ହେଲା ଯେ – “ମୁଁ ଯେଉଁ ରୂପରେ ଆବିର୍ଭାବ ହେବାକୁ ଇଚ୍ଛା କରିଥିଲି ସେହି ରୂପରେ ହିଁ ଆବିର୍ଭୂତ ହୋଇଛି । ତେଣୁ ଏଥିରେ ଶୋଚନା କରିବାର କିଛି ନାହିଁ । ଏହି ବୁଢା ବଢେଇ ଜଣଙ୍କ ହେଉଛନ୍ତି ସ୍ଵୟଂ ସ୍ଵର୍ଗ କାରିଗର “ବିଶ୍ଵକର୍ମା” ।

Leave A Reply

Your email address will not be published.