Latest Odisha News

ମୃତ୍ୟୁମୁଖରେ ପଡିଥିଲେ ବାପା, ଝିଅ ଦେଲେ ନୂଆ ଜୀବନଦାନ

ଭୁବନେଶ୍ୱର: ବାପା ଓ ଝିଅର ନିବିଡ ସମ୍ପର୍କକୁ ଯଥାର୍ଥ କରିଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁର ୨୨ ବର୍ଷୀୟା ସଲୋନୀ ଗର୍ଗ । ବାପାଙ୍କୁ ନୂଆ ଜୀବନ ଦେବା ପାଇଁ ଅବିଳମ୍ବେ କରିଥିଲେ ନିଜ କିଡନୀ ଦାନ । ଏଭଳି ଏକ ଘଟଣା ଅଗଣିତ ଲୋକଙ୍କୁ ଦେଇଛି ଆତ୍ମ ପ୍ରସନ୍ନତା ।

ଲଡୁଗାଁର ୪୭ ବର୍ଷୀୟ ସୁନୀଲ ଗର୍ଗ କିଛି ବର୍ଷ ଧରି କିଡନୀ ରୋଗରେ ପୀଡିତ ଥିଲେ । କିଛି ମାସ ତଳେ ଡାକ୍ତରୀ ରିପୋର୍ଟରେ ତାଙ୍କର ଦୁଇଟି କିଡନୀ ଖରାପ ହୋଇଥିବା ସେ ଜାଣିବାକୁ ପାଇଥିଲେ । କିଡନୀ ପ୍ରତିରୋପଣ ପାଇଁ ଡାକ୍ତର ପରାମର୍ଶ ଦେବା ପରେ ସୁନୀଲ ମାନସିକ ସ୍ତରରେ ଭାଙ୍ଗିପଡିଥିଲେ ।

ସୁନୀଲଙ୍କ ପାଇଁ ପରିବାର ଲୋକେ ଚିନ୍ତାରେ ପଡିଥିବାବଳେ କିଡନୀ ଦାନ କରିବାକୁ ଆଗେଇ ଆସିଥିଲେ ୨୨ ବର୍ଷୀୟ ଝିଅ ସଲୋନୀ । ଏ ନେଇ ପରିବାର ଲୋକେ ମନା କରିଥିଲେ ହେଁ ସଲୋନୀ କିନ୍ତୁ ନିଜ ଜିଦରେ ଅଡି ବସିଥିଲେ । ଶେଷରେ କିଡନୀ ପ୍ରତିରୋପଣ ପାଇଁ ଗତ ୮ ତାରିଖରେ ସୁନୀଲ ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏଥିପାଇଁ ତାଙ୍କୁ ସହାୟତା କରିଥିଲେ ରାୟପୁରର ବିଶିଷ୍ଟ ସମାଜସେବୀ ତଥା ଡାକ୍ତର ସୁନୀଲ ଅଗ୍ରୱାଲ୍ ।

ସମସ୍ତ ଡାକ୍ତରୀ ପରୀକ୍ଷଣ ପରେ ସୁନୀଲଙ୍କଠାରେ କିଡନୀ ପ୍ରତିରୋପଣ ହୋଇଛି । ଉଭୟ ବାପ ଓ ଝିଅ ଏବେ ସୁସ୍ଥ ଥିବା ଜଣାପଡିଛି । ନିଜ ଭବିଷ୍ୟତକୁ ଆଡେଇ ଅଙ୍ଗଦାନ କରିଥିବାରୁ ସୁନୀଲ ଛଳଛଳ ଆଖିରେ କହିଥିଲେ, ଏମିତି ଝିଅ ଭାଗ୍ୟରେ ଥିଲେ ମିଳେ । ସଲୋନୀଙ୍କ ଏପରି ତ୍ୟାଗ ଓ ବଳିଦାନକୁ ନେଇ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି ।

Leave A Reply

Your email address will not be published.