ବଲାଙ୍ଗୀର: ଉଚ୍ଚ ଶବ୍ଦ ବା ଧ୍ୱନୀ ପ୍ରଦୂଷଣ ମାନବ ସ୍ୱାସ୍ଥ୍ୟ ଏବଂ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। କାନ ପାଇଁ ସହନଶୀଳ ହୋଇନଥିବା ଅତ୍ୟଧିକ ଉଚ୍ଚ ଶବ୍ଦ ଶାରୀରିକ ଓ ମାନସିକ ସମସ୍ୟା ସୃଷ୍ଟି କରେ। ଉଚ୍ଚ ଶବ୍ଦ ବା ଧ୍ୱନୀ ସାଧାରଣ ବ୍ୟକ୍ତିଙ୍କ ଜୀବନ ନେଇ ପାରେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ପାଟଣାଗଡ଼ ବ୍ରହ୍ମପୁରା ଅଞ୍ଚଳରେ। ଡିଜେ ସାଉଣ୍ଡ ସହ୍ୟ କରିନପାରି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଲୋଚନା ବହୁକ୍।
ସୂଚନା ଅନୁସାରେ ସେ ଗାଁରେ ଏକ ନଳକୂଅ ନିକଟରେ ତାଙ୍କ ନାତୁଣୀକୁ ଗାଧୋଇ ଦେଉଥିବା ବେଳେ ସେହି ରାସ୍ତା ଦେଇ ଏକ ବିବାହ ଶୋଭାଯାତ୍ରା ଯାଉଥିଲା । ପ୍ରବଳ ଜୋରରେ ଡିଜେ ବାଜିବା ସହ ସମସ୍ତେ ନାଚଗୀତରେ ମସଗୁଲ ଥିଲେ । ମାତ୍ର ଡିଜେ ସାଉଣ୍ଡ ଯୋଗୁଁ ତାଙ୍କୁ ଅସୁସ୍ଥତା ଅନୁଭବ ହେଉଥିବା ମହିଳା ଜଣକ କହିଥିଲେ । ଡିଜେ ବନ୍ଦ କରିବାକୁ ନେହୁରା ହୋଇଥିଲେ । ମାତ୍ର କେହି ଶୁଣିନଥିଲେ ।
ପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ପାଟଣାଗଡ଼ ମେଡିକାଲ ଏବଂ ପରେ ବଲାଙ୍ଗୀର ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଡିଜେ ସାଉଣ୍ଡରେ ତାଙ୍କ ମସ୍ତିସ୍କରେ ଏକ ଭେନ୍ ଫାଟି ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମହିଳା ଜଣକ ରାସ୍ତା କଡ଼ରେ ଏକ ଛୋଟ ହୋଟେଲ କରି ପରିବାର ଚଳାଉଥିଲେ । ତାଙ୍କ ମୃତ୍ୟୁ ପରେ ପୂରା ପରିବାର ବେସାହାରା ହୋଇପଡ଼ିଛି ।
