ପୁରୀ: ଶ୍ରୀମନ୍ଦିରର ଅନନ୍ୟ ପରମ୍ପରାରେ ସ୍ୱୟଂ ଶ୍ରୀଜଗନ୍ନାଥ ମହାପ୍ରଭୁ ନିତ୍ୟ ମାନବୀୟ ଲୀଳା କରୁଛନ୍ତି । ନିଜର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ମାର୍ଗଶୀର କୃଷ୍ଣ ଚତୁର୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ଏହି ୩ ଦିନ ଦୀପଦାନ କରିଥାନ୍ତି । ଏହି ପିତୃପୁରୁଷଙ୍କ ମଧ୍ୟରେ ଅଦିତି-କଚ୍ଛପ, ଦଶରଥ-କୋଶଲ୍ୟା-କୈକୟୀ-ସୁମିତ୍ରା, ନନ୍ଦ-ଯଶୋଦା, ବସୁଦେବ-ଦେବକୀ ଓ ରାଜା ଇନ୍ଦ୍ରଦ୍ୟୁମ୍ନ-ରାଣୀ ଗୁଣ୍ଡିଚାଙ୍କ ଉଦ୍ଦେଶ୍ୟରେ ଦୀପଦାନ କରାଯାଇଥାଏ ।
ଶ୍ରୀଜଗନ୍ନାଥ ମହାପ୍ରଭୁ ସ୍ୱୟଂ ଶ୍ରାଦ୍ଧବେଶରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି କରୁଥିବାରୁ ଏହା “ଦେବ ଦିପାବଳୀ” ଓ “ଶ୍ରାଦ୍ଧବେଶ” ନାମରେ ପ୍ରସିଦ୍ଧ । ପ୍ରଥମ ଦିନରୁ ଦୀପାବଳି ଉତ୍ସବ ଆରମ୍ଭ ହୋଇ ତୃତୀୟ ଓ ଶେଷ ଦିନରେ ଶେଷ ଦିପାବଳୀ ଉତ୍ସବ ପାଳନ କରାଯାଏ । ୩ ଦିନ ଧରି ମହାପ୍ରଭୁ ତାଙ୍କ ପିତୃ ପିତାମହ ଆଦିଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଉତ୍ସର୍ଗ କରନ୍ତି ।
ପ୍ରଥମ ଦିବସ– ମହାପ୍ରଭୁ ଅଦିତି ଓ କଶ୍ୟପଙ୍କୁ ଶ୍ରାଦ୍ଧ ଦେଇଥାନ୍ତି । ଅଦିତି ଦକ୍ଷ ପ୍ରଜାପତିଙ୍କ କନ୍ୟା । ମହର୍ଷି କଶ୍ୟପ ଏହାଙ୍କ ସ୍ଵାମୀ । ଇନ୍ଦ୍ରାଦି ଦେବତାମାନେ ଓ ବାମନ ଅବତାରରେ ବିଷ୍ଣୁ ଅଦିତି ଗର୍ଭରୁ ଜନ୍ମ ହୋଇଥିବାରୁ ଅଦିତି-କଶ୍ୟପ ଭଗବାନଙ୍କ ପିତାମାତା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏମାନଙ୍କୁ ଶ୍ରାଦ୍ଧ ଦିଅନ୍ତି ।ମାର୍ଗଶୀର କୃଷ୍ଣ ପକ୍ଷ ଚତୁର୍ଦଶୀ ରେ ସନ୍ଧ୍ୟା ଧୂପ ବଢ଼ିବା ପରେ ସୁଧୁସୁଆର ସିଂହାସନ ତଳେ ପାଣି ପକାଇ ସଫା କରିଥାନ୍ତି । ତତ୍ପରେ ପୋଛା ମାରିଥାନ୍ତି ।
ଏହାପରେ ଭଣ୍ଡାର ମେକାପ ଚାଉଳରେ ଗୋଟିଏ ଗଛ ସିଂହାସନ ତଳେ କରିଥାନ୍ତି । ପାଳିଆ ମେକାପ ବଇଠା ମାନଙ୍କରେ ଘିଅ ଦେଇ ଉକ୍ତ ଚାଉଳ ଗଛ ମାନଙ୍କରେ ବତୀ ଲଗାଇଥାନ୍ତି । ୩ ଗୋଟି ସୁନା ଆଳତି ଲଗାଇବା ପରେ ପୂଜାପଣ୍ଡା ସେବକ ଚାଉଳ ଗଛଗୁଡିକ ସଂସ୍କାର କରି ପାଣି ଛଡ଼ାଇବା ପରେ ପଣ୍ଡା, ପତି ମହାପାତ୍ର, ମୁଦିରସ୍ତ ପ୍ରମୁଖ ସେବକ ତ୍ରୟ ସିଂହାସନ ଉପରକୁ ଉଠି ତିନି ବାଡ଼ରେ ବନ୍ଦାପନା କରିଥାନ୍ତି । ତତ୍ପରେ ୩ ଗୋଟି ମହାଦୀପରେ ବନ୍ଦାପନା ହୋଇଥାଏ । ଏହି ସମୟରେ ତିନି ଜଣ ପାଳିଆ ପୂଜାପଣ୍ଡା ଉକ୍ତ ମହାଦୀପକୁ ହାତରେ ଧରି ଜୟ ବିଜୟ ଦ୍ୱାର ଭିତର ପାଖେ ଆସ୍ଥାନ ପଢ଼ିଆରୀ କରିଥିବା ଚାଉଳ ଗଛକୁ ଜଣେ ପୂଜାପଣ୍ଡା ସଂସ୍କାର କରି ପାଣି ଛଡ଼ାନ୍ତି । ଏହା ପରେ ମହାଦୀପ କଳସ ଧରି ପାଳିଆ ଚୁନରାଙ୍କୁ ପ୍ରଦାନ କରିଥାନ୍ତି । ଚୁନରା ସେବକ ବଡ଼ ଓଡ଼ିଆ ମଠ ପ୍ରଦତ୍ତ ତେଲ, ଘିଅ ନେଇ ଅଁଳା ବେଢ଼ା ଉପରେ ଦୀପମାନ ଜାଳନ୍ତି ଓ ଚନ୍ଦ୍ରଉଡ଼ିଆ ଜାଳି ଗଜପତି ମହାରାଜଙ୍କ ନାମ ଉଚ୍ଚାରଣ ପୂର୍ବକ ତାଙ୍କ ମଙ୍ଗଳ କାମନା କରିଥାନ୍ତି ।
ମହାପ୍ରଭୁଙ୍କ ଏହି ଦୀପ ଦାନ ସମୟରେ ଏକ ସ୍ୱତନ୍ତ୍ର ବେଶ ହୋଇଥାଏ । ଏହା ଶ୍ରାଦ୍ଧ ବେଶ ନାମରେ ପରିଚିତ । ପୁଷ୍ପାଳକ ସେବକ ମାନେ ଶ୍ରୀଜୀଉ ମାନଙ୍କୁ ନାଗପୁରୀ ଶାଢ଼ୀ ଚାଦରରେ ଶ୍ରାଦ୍ଧ ବେଶରେ ଭୂଷିତ କରିଥାନ୍ତି । ଏଥିରେ ଶ୍ରୀଜୀଉମାନେ ଧବଳ ବସ୍ତ୍ର ପରିହିତ ହୋଇଥାନ୍ତି । କିନ୍ତୁ ପ୍ରତ୍ୟକ ଠାକୁରଙ୍କ ଲୁଗାର ଧଡି ଗୁଡିକ ଭିନ୍ନ ରଙ୍ଗର ହୋଇଥାଏ ।
ପୁଷ୍ପାଳକ ସେବକମାନେ ଠାକୁରମାନଙ୍କୁ ଏହି ଶ୍ରାଦ୍ଧବେଶରେ ନାଗପୁରୀ ଶାଢ଼ି ଚାଦରରେ ଭୂଷିତ କରାଇବା ସହ ଶ୍ରୀବିଗ୍ରହମାନଙ୍କୁ ସାଧାବେଶରେ ସଜ୍ଜିତ କରାଇଥାନ୍ତି ।
ଶ୍ରୀଜଗନ୍ନାଥ:- ସୂତାଶାଢ଼ି (ନାଗପୁରୀ ଶାଢ଼ି) ଲମ୍ବା ୧୬ ହାତ କିମ୍ବା ୧୮ ହାତ, ଧଡ଼ି ଓସାର ଏକ ଫୁଟ ଅଟେ । ଉକ୍ତ ବସ୍ତ୍ରରେ କୁମ୍ଭ ଥାଇ ଧଡ଼ିର ବର୍ଣ୍ଣ ହେଉଛି ହଳଦୀଆ ।
ଶ୍ରୀବଳଭଦ୍ର:- ଲମ୍ବା ୧୪ ହାତ, ଓସାର ୪ ହାତ, ଧଡ଼ି ଓସାର ୧ ଫୁଟ, ଉକ୍ତ ବସ୍ତ୍ରର ଧଡ଼ି ବର୍ଣ୍ଣ ହେଉଛି କଳା ।
ଶ୍ରୀସୁଭଦ୍ରା:- ଲମ୍ବା ୧୨ ହାତ, ଓସାର ସାଢେ ୩ ଫୁଟ, ଧଡ଼ି ଓସାର ଏକ ଫୁଟ, ଉକ୍ତ ବସ୍ତ୍ର ଧଡ଼ି ବର୍ଣ୍ଣ ହେଉଛି ନାଲି…..
ଏହାବ୍ୟତୀତ ଶ୍ରୀବିଗ୍ରହମାନଙ୍କ କଳେବର ଗୋଟିଏ ଗୋଟିଏ ଚାଦରରେ ମଣ୍ଡନ ହୋଇଥାଏ । ଶିରଦେଶରେ ଶ୍ରୀକାପଡା ବସ୍ତ୍ର (ସୂତା ବସ୍ତ୍ର)ରେ ଆବୃତ କରାଯାଏ । ଚାଦରଟି ଶ୍ରୀଭୁଜରେ ପ୍ରସରି ଥାଏ । ଶ୍ରାଦ୍ଧବେଶରେ ବ୍ୟବହୃତ ହେଉଥିବା ବସ୍ତ୍ରକୁ କାଈଧଡ଼ିଆ (ନାଗପୁରୀ) ଲୁଗା କୁହାଯାଏ । ଏହି ବେଶରେ ଶ୍ରୀଜୀଉମାନେ ତଡକୀ, କୁଣ୍ଡଳ, ନଳି ଭୁଜ, ଚନ୍ଦ୍ର ସୂର୍ଯ୍ୟ, ଆଡ଼କାନି, କମରପଟି, ହରିଡ଼ା ମାଳି ଆଦି ସ୍ବର୍ଣ୍ଣ ଅଳଙ୍କାର ପରିଧାନ କରିଥାନ୍ତି। ଏହି ଦେବ ଦୀପବଳୀ ନୀତି ଉପଲକ୍ଷେ ଶ୍ରୀମନ୍ଦିର ଦୀପମାଳାରେ ସୁସଜିତ ହୋଇଥାଏ।
Comments are closed.