Latest Odisha News

BREAKING NEWS

ବିଜେଡିର କମାଲ୍ ନା ବିଜେପିର କମଲ୍

ଭୁବନେଶ୍ବର : କାହାର ହେବ କନ୍ଧମାଳ? ମୋଦି ମ୍ୟାଜିକ୍ ନା ନବୀନ ବିକାଶ, କାହାକୁ ଭରସା କରିବେ ଜନତା? ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ପୁଣି ପ୍ରାର୍ଥୀ କରିଛି ତ ବିଜେପି ସୁକାନ୍ତ ପାଣିଗ୍ରାହୀଙ୍କୁ ସୁଯୋଗ ଦେଇଛି । ପ୍ରଥମରୁ ଏକପାଖିଆ ଲାଗୁଥିବା କନ୍ଧମାଳ ଲଢେଇ ଏବେ କାଣ୍ଟେ କି ଟକ୍କରରେ ପରିଣତ ହୋଇଛି । ନବୀନ ବିକାଶର ନାଁ ନେଇ ବିରୋଧୀଙ୍କୁ ବାଣ ମାରିଛନ୍ତି ତ ମୋଦି ସଂକଳ୍ପ ସମାବେଶରେ ସିଧାସଳଖ ନବୀନଙ୍କୁ ଟାର୍ଗେଟ୍ କରିଚନ୍ତି । ହାଇଭୋଲଟେଜ୍ ପ୍ରଚାରରେ ବଦଳିଯିବ କି ଭୋଟରଙ୍କ ମୁଡ୍?

ମୋଡ଼ ବଦଳାଇବ ମୋଦି ହାଓ୍ବା !

କନ୍ଧମାଳ ଲଢେଇର ମୋଡ ବଦଳାଇଦେବ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମାବେଶ । ଫୁଲବାଣୀ ସଂକଳ୍ପ ସମାବେଶରେ ନବୀନଙ୍କ ନାଁ ନେଇ ସିଧା ଟାର୍ଗେଟ୍ କରିଥିଲେ ମୋଦି । କାଗଜ ନଦେଖି ରାଜ୍ୟର ୩୦ ଜିଲ୍ଲା ଓ ଏହାର ମୁଖ୍ୟାଳୟର ନାଁ କହିବାକୁ ଚ୍ୟାଲେଞ୍ଜ ଦେଇଥିଲେ । ଗୁଜରାଟ ମଡେଲ୍ କଥା କହି ରାଜ୍ୟ ସରକାରଙ୍କୁ ବାଣ ମାରିଥିଲେ । ଆୟୁଷ୍ମାନ ଭାରତ ହେଉ କି ହଳଦୀ ଚାଷୀ ଓ ପର୍ଯ୍ୟଟନ ବିକାଶ । ପଛୁଆ ଜିଲ୍ଲାକୁ ଆଗକୁ ନେବାକୁ ସ୍ବପ୍ନ ଦେଖାଇଥିଲେ ମୋଦି । ତେବେ ତାଙ୍କ କଥାର କେତେ ପ୍ରଭାବ ଜନତାଙ୍କ ଉପରେ ପଡିବ, ତାଉପରେ ନଜର ରହିଛି ।

ବିରୋଧୀଙ୍କୁ ନବୀନଙ୍କ ଟାର୍ଗେଟ୍

ମୋଦି ନବୀନଙ୍କୁ ସିଧା ଟାର୍ଗେଟ୍ କଲେ ତ ନବୀନ ବି ବିରୋଧୀଙ୍କ ଉପରେ କନ୍ଧମାଳରୁ ବର୍ଷିଛନ୍ତି । ବିଏସକେଓ୍ବାଇରୁ ଲକ୍ଷ୍ମୀବସ୍, ବିକାଶମୂଳକ ଯୋଜନା କଥା କହି ପୁଣି ଭରସା ମାଗିଛନ୍ତି ନବୀନ । ବିରୋଧୀ କେବଳ ମିଛ ପ୍ରତିଶ୍ରୁତି ଦେଉଛନ୍ତି, ନିର୍ବାଚନ ସରିଲେ ସେମାନଙ୍କ ପ୍ରତିଶ୍ରୁତି ପାଣିରେ ମିଳାଇଯାଏ । ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପାଇଁ ଭୋଟ୍ ମାଗିବା ସହ ବିଧାନସଭାରେ ବିଜେଡିକୁ ଜିତାଇ ନବୀନଙ୍କ ହାତମୁଠା ଟାଣ କରିବାକୁ କହିଛନ୍ତି ।

କୁଆଡେ ଯିବ ଆଦିବାସୀ, ଖ୍ରୀଷ୍ଟିଆନ୍ ଭୋଟ୍ ?

କନ୍ଧମାଳରେ ଉଭୟ ବିଜେପି ଓ ବିଜେଡି ଖେଳିଛନ୍ତି ଆଦିବାସୀ କାର୍ଡ । ବିଜେଡି ନେତାମାନେ ଆଦିବାସୀଙ୍କ ଜମି ହଡପ କରିଚାଲିଛନ୍ତି । ବିଜେପି ସରକାର ଆସିଲେ ଜମି ମାଫିଆଙ୍କ ଉପରେ ଆକ୍ସନ୍ ହେବ ବୋଲି ମୋଦି କହିଛନ୍ତି। ସେପଟେ ଜିଲ୍ଲାର ୫୦ହଜାର ଆଦିବାସୀଙ୍କ ଉପରୁ ମାମଲା ପ୍ରତ୍ୟାହାର କରାଯାଇଥିବା କହି ଭୋଟବ୍ୟାଙ୍କ ହାତେଇବାକୁ ଉଦ୍ୟମ କରିଛି ବିଜେଡି । ବର୍ଷ ବର୍ଷ ଧରି କନ୍ଧମାଳରେ ଆଦିବାସୀଙ୍କ ଜମି ହଡପ ଅଭିଯୋଗ ହୋଇଆସୁଛି। ସେପଟେ ପାରମ୍ପରିକ ଭାବେ ଖ୍ରୀଷ୍ଟିଆନ୍ ଭୋଟ ବିଜେଡି କିମ୍ବା କଂଗ୍ରେସକୁ ଯାଇଛି । ତେଣୁ ଆଦିବାସୀଙ୍କୁ ନିଜ ଆଡକୁ ଆଣିବାକୁ ଉଦ୍ୟମ କରୁଛି ବିଜେପି । ତେବେ ଆଦିବାସୀ ବହୁଳ କନ୍ଧମାଳରେ ଜିଲ୍ଲା ବାହାରୁ ପ୍ରାର୍ଥୀ କରିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ । ଏହାକୁ ନେଇ କୁଇ ସମାଜ ଅସନ୍ତୁଷ୍ଟ, କୁଇ ସମାଜ ଭୋଟ୍ ଲୋକସଭା ଲଢେଇରେ ପ୍ରଭାବ ପକାଇପାରେ ।

ଫେରିଲା ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା

କନ୍ଧମାଳରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲାକୁ ପୁଣି ଉଠାଇ ନିର୍ବାଚନୀ ପ୍ରସଙ୍ଗ କରୁଛି ବିଜେପି । ତାଙ୍କ ହତ୍ୟା ପଛରେ ବିଜେଡି ସରକାରର ହାତ ଥିବା କହି ସିଧାସଳଖ ଟାର୍ଗେଟ୍ କରିଛନ୍ତି ସାଂସଦ ପ୍ରତାପ ଷଡଙ୍ଗୀ । ଏପରିକି ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କୁ ହତ୍ୟା କରିବା ପାଇଁ ସୁଚିନ୍ତିତ ଷଡଯନ୍ତ୍ର କରାଯାଇଥିବା ଅଭିଯୋଗ କରିଛନ୍ତି । ହତ୍ୟା ମାମଲା ଉଠାଇ ହିନ୍ଦୁ ଭୋଟ୍ ହାତେଇବାକୁ ଉଦ୍ୟମ କରୁଛି ବିଜେପି ।

ଅଚ୍ୟୁତ Vs ସୁକାନ୍ତ

କନ୍ଧମାଳ ଲୋକସଭାରେ ମୁଖ୍ୟତଃ ବିଜେଡିର ଅଚ୍ୟୁତ ସାମନ୍ତ ଓ ବିଜେପିର ସୁକାନ୍ତ ପାଣିଗ୍ରାହୀଙ୍କ ମଧ୍ୟରେ ଟକ୍କର ହେବ । ଭାରତରେ ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାମ କରିଛନ୍ତି ଅଚ୍ୟୁତ । ମୋବାଇଲ୍ ଟାଓ୍ବାର ହେଉ କି କନ୍ଧମାଳ ରେଳପଥ ସଂଯୋଗ ପାଇଁ ମଂଜୁରୀ । ଗତ ୫ବର୍ଷରେ କନ୍ଧମାଳରେ କରିଥିବା ବିକାଶ କାମର ଚିଠାକୁ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି ଅଚ୍ୟୁତ । ସେପଟେ କନ୍ଧମାଳର ବିଭିନ୍ନ ସମସ୍ୟାକୁ ପ୍ରସଙ୍ଗ କରିଛନ୍ତି ବିଜେପି ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ । ମୋଦି ଲହର ସାଙ୍ଗକୁ କେନ୍ଦ୍ରର ବିଭିନ୍ନ ଜନକଲ୍ୟାଣକାରୀ କାମକୁ ସେ ଅସ୍ତ୍ର କରି ପ୍ରଚାର କରୁଛନ୍ତି । ସେପଟେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଅମୀର ଚାନ୍ଦ ନାୟକ ।

ନିର୍ବାଚନମଣ୍ଡଳୀ ଗଠନ ପରଠୁ ବିଜେଡିର ଗଡ ରହିଛି କନ୍ଧମାଳ। ପ୍ରତିଥର ନୂଆ ସିପାହୀ ଓହ୍ଲାଉଥିବା ବିଜେଡି ଏଥର ଅଚ୍ୟୁତ ସାମନ୍ତଙ୍କୁ ରିପିଟ୍ କରିଛି। ୨୦୦୯ରେ ରୁଦ୍ରମାଧବ ରାୟ, ୨୦୧୪ରେ ହେମେନ୍ଦ୍ର ସିଂ, ହେମେନ୍ଦ୍ରଙ୍କ ଦେହାନ୍ତ ପରେ ଉପନିର୍ବାଚନରେ ତାଙ୍କ ପତ୍ନୀ ପ୍ରତ୍ୟୁଷା ରାଜେଶ୍ୱରୀ ଜିତିଥିଲେ । ୨୦୧୯ରେ ଅଚ୍ୟୁତ ସାମନ୍ତ କନ୍ଧମାଳ କବଜା ତ କରିଥିଲେ ତେବେ ଶେଷ ମୁହୁର୍ତ୍ତରେ ପ୍ରାର୍ଥୀ ହୋଇଥିବା ଐର ଖାରବେଳ ସ୍ୱାଇଁଙ୍କୁ ୩ଲକ୍ଷରୁ ଅଧିକ ଭୋଟ୍ ମିଳିଥିଲା।  ବାଲିଗୁଡା, ଜି.ଉଦୟଗିରି, ଫୁଲବାଣୀ, କଂଟାମାଲ, ବୌଦ୍ଧ, ଦଶପଲ୍ଲା, ଭଞ୍ଜନଗର ବିଧାନସଭା କ୍ଷେତ୍ରକୁ ନେଇ ରହିଛି କନ୍ଧମାଳ ଲୋକସଭା ଆସନ । ଗତଥର ସବୁ ଆସନ ଜିତିଥିଲା ବିଜେଡି ।

Leave A Reply

Your email address will not be published.