Latest Odisha News

BREAKING NEWS

ଜାଣନ୍ତୁ, ଓଡ଼ିଶାର ଏହି ମୁସଲିମ ଦେବୀଭକ୍ତଙ୍କୁ ଯିଏକି ପ୍ରତିବର୍ଷ କରନ୍ତି ଦୁର୍ଗାପୂଜା !

ଭୁବନେଶ୍ୱର: କୋହିନୂର୍ ଇସଲାମ ମୁସଲମାନ ଧର୍ମାବଲମ୍ବୀ ହେଲେ ମଧ୍ୟ ଆଜକୁ ଦୀର୍ଘ ଏକତିରିଶ ବର୍ଷ ଧରି ନିଜ ଗାଁରେ ଦୁର୍ଗା ପୂଜୋତ୍ସବ ଆୟୋଜନ କରି ଆସୁଛନ୍ତି । ନମାଜ ପାଠ କରିବା ସହିତ ସେ ଘରେ ଗୀତା, ଭାଗବତ, ବେଦ ଉପନିିଷେଦ ତଥା ଶ୍ରୀଦୁର୍ଗାଙ୍କ ଚଣ୍ଡିତତ୍ତ୍ୱ ପଢିବାକୁ ଭୁଲନ୍ତି ନାହିଁ । ମୟୁରଭଞ୍ଜ ଜିଲ୍ଲାର ତେନ୍ତୁଳିଡ଼ିଙ୍ଗାର କୋହିନୂର୍ ଇସଲାମ୍ ଦୁଇଟି ଧର୍ମ ସମ୍ପ୍ରଦାୟ ମଧ୍ୟରେ ସାମ୍ପ୍ରଦାୟିକ ସଦ୍ଭାବ ଓ ସଂହତି ସ୍ଥାପନ କରି ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି । ସେ ଜଣେ ସଚ୍ଚା ମୁସଲମାନ ଭାବେ ଦୈନିକ ନମାଜ କରିବା ସହିତ ଗୀତା, ଭାଗବତ, ବେଦ ଓ ଉପନିଷେଦରେ ମଧ୍ୟ ପାରଦର୍ଶିତା ହାସଲ କରିଛନ୍ତି ।

କୋହିନୂର୍ ଇସଲାମ୍ ଶାରଦୀୟ ଦୁର୍ଗାପୂଜାର ମୁଖ୍ୟ ପୁରୋଧା

କୋହିନୂର୍ ଇସଲାମଙ୍କ ଜନ୍ମ ୧୯୪୯ ମସିହା ୧୪ ଏପ୍ରିଲ୍ ଅର୍ଥାତ୍ ପବିତ୍ର ପଣା ସଂକ୍ରାନ୍ତି ଦିନ । ୬୮ ବର୍ଷ ବୟସ୍କ କୋହିନୂର୍ ପିଲାଟି ବେଳୁ କୋରାନ୍ ପଢିବା ସହିତ ଗୀତା, ଭାଗବତ, ବେଦ, ଉପନିଷେଦ ଓ ବାଇବେଲ୍ ସଂପର୍କରେ ଜାଣିବାକୁ ଇଛା ରଖଥିଲେ । ସେ ସ୍ନାତୋକତ୍ତର ଉତ୍ତୀର୍ଣ୍ଣ ହେବା ପରେ ଏଲ୍.ଏଲ୍.ବି ଶିକ୍ଷା ମଧ୍ୟ ଶେଷ କଲେ । ଗାଁ’ରେ କୃଷିକାର୍ଯ୍ୟକୁ ନିଜର ପେସା ଭାବେ ଗ୍ରହଣ କରିଥିଲେ ବି ଆଧ୍ୟାତ୍ମିକତା ପ୍ରତି ବିଶେଷ ଭାବେ ଆକୃଷ୍ଟ ହୋଇ ପଡ଼ିଲେ । ତେନ୍ତୁଳିଡ଼ିଙ୍ଗା ଗ୍ରାମରେ ୩୧ ବର୍ଷ ଧରି ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା ଉତ୍ସବ ପାଳିତ ହୋଇ ଆସୁଛି । ଏହି ଦୁର୍ଗାପୂଜାର ମୁଖ୍ୟ ପୁରୋଧା, ତତ୍ତ୍ୱବଧାରକ ତଥା ସଂସ୍ଥାପକ ହେଲେ ସ୍ୱୟଂ କୋହିନୂର୍ ଇସ୍ଲାମ ।

“ସେ ସ୍ୱୟଂ ମା’ଦୁର୍ଗା ଭାବରେ ମୋତେ କହୁଥିଲେ, ଆରେ ଇସ୍ଲାମ ! ତୁ ମୋତେ ପୂଜା କରିବାକୁ ଖୁବ୍ ଇଚ୍ଛା କରୁଛୁ ନା ?”

ସେ ମୁସଲମାନ ଧର୍ମାବଲମ୍ବୀ ହୋଇ ମଧ୍ୟ ଦେବୀ ଦୁର୍ଗାଙ୍କର ପୂଜା ଉତ୍ସବ ଆୟୋଜନ ସଂପର୍କରେ ଅତୀତର ସ୍ମୃତିକୁ ମନେ ପକାଇ ସେ କହନ୍ତି, ଏହା ହେଉଛି ୧୯୮୫ ମସିହାର କଥା । ମୁଁ ଥରେ ଗାଁ ମୁଣ୍ଡରେ ଥିବା ଚା’ ଦୋକାନରେ ବସିଥାଏ । ଏହି ସମୟରେ ଦୁର୍ଗାଙ୍କ ପୂଜା ପାଇଁ ଗାଁ’ର କିଛି ମହିଳା ଓ ଯୁବତୀ ଭୋଗ-ଡ଼ାଲା ଧରି ବାରିପଦାର ମନ୍ଦିରକୁ ପୂଜା ପାଇଁ ଯାଉଥିଲେ । ହଠାତ୍ ଏହି ସମୟରେ ମୋ କାନପାଖରେ ଶୂନ୍ୟରୁ ଏକ ମହିଳାର ସ୍ୱର ଶୁଭିଲା । ସେ ସ୍ୱୟଂ ମା’ଦୁର୍ଗା ଭାବରେ ମୋତେ କହୁଥିଲେ, ଆରେ ଇସ୍ଲାମ ! ତୁ ମୋତେ ପୂଜା କରିବାକୁ ଖୁବ୍ ଇଚ୍ଛା କରୁଛୁ ନା? ତୁ ଏହି ଗାଁ’ରେ ଦୁର୍ଗାପୂଜାର ଆୟୋଜନ କର । ତୁ ସଫଳ ହେବୁ । ମୁଁ ଏହି ଶୂନ୍ୟବାଣୀକୁ ଏକ ଦୈବୀଶକ୍ତି ବା ଐଶୀ ଶକ୍ତି ସମ୍ପନ୍ନ ମା’ଙ୍କ ଆଦେଶ ଓ ଉପଦେଶ ଭାବି ଗାଁ’ରେ ଦୁର୍ଗାପୂଜା ଆୟୋଜନ କରିବାକୁ ମନସ୍ଥ କଲି । ତା’ ପରବର୍ଷ ଅର୍ଥାତ୍ ୧୯୮୬ ମସିହାର ଗଣେଶ ପୂଜା ଦିନ ଗ୍ରାମବାସୀଙ୍କ ସହିତ ଦୁର୍ଗାପୂଜା ସଂମ୍ପର୍କିତ ଏକ ବୈଠକ କଲି । ସେହିଦିନ ହିଁ ‘ତେନ୍ତୁଳିଡ଼ିଙ୍ଗା ସାର୍ବଜନୀନ ଦୁର୍ଗାପୂଜା କମିଟି’ ମୋ ସଭାପତିତ୍ୱରେ ଗଠନ କରାଗଲା । ମୁଁ ଏହି ପୂଜା କମିଟିର ମୁଖ୍ୟ ପରିଚାଳକ ବା ପ୍ରମୁଖ ତତ୍ତ୍ୱବଧାରକ ରୂପେ ଦାୟିତ୍ୱ ନେଲି । ମା’ ଦୁର୍ଗାଙ୍କର ମାଟି ଉଠାରୁ ବେଲବରଣୀ, ମହାସପ୍ତମୀ ଠାରୁ ନବମୀ ଓ ମହାଷ୍ଟମୀ ତଥା ଦଶହରା ପର୍ଯ୍ୟନ୍ତ ସମସ୍ତ ପ୍ରକାର ପୂଜା, ହୋମ, ଚଣ୍ଡିପାଠ ତଥା ମାଆଙ୍କର ମୃଣ୍ମୟ ପ୍ରତିମୁର୍ତ୍ତିର ଭସାଣୀ ପର୍ଯ୍ୟନ୍ତ ତତ୍ତ୍ୱାବଧାନ କରୁଥାଏ । ନବରାତ୍ରୀଠାରୁ ଦଶହରା ପର୍ଯ୍ୟନ୍ତ ମୋତେ ସମସ୍ତେ ଭଲମନ୍ଦ ପଚାରି ନିଜ ନିଜ ଦାୟିତ୍ୱ ସଂପାଦନା କରିଥାନ୍ତି ।

ଶକ୍ତିମୟୀ ମା’ଦୁର୍ଗାଙ୍କ ଏହି ଶାରଦୀୟ ପୂଜା ଉତ୍ସବରେ ଗ୍ରାମରେ ଥିବା ସମସ୍ତ ହିନ୍ଦୁ ଧର୍ମାବଲମ୍ବୀଙ୍କ ସମେତ ଆମର କିଛି ମୁସଲମାନ ପରିବାର ମଧ୍ୟ ପୂଜା କରିଥାନ୍ତି । ସେ ପୁଣି କହନ୍ତି, ମା’ଙ୍କର ଭସାଣୀ ଦିନ ମୋତେ ଖୁବ୍ ଦୁଃଖ ଲାଗିଥାଏ । ମୋତେ ଅନୁଭବ ହୁଏ, ସତେ ଯେପରି ମୋ ମାଆ ମୋତେ ଛାଡ଼ି ଦୂରକୁ ଚାଲିଯାଉଛି ” । କୋହିନୂର୍ କହନ୍ତି, “ମୋତେ ଆଜି ଠିକ୍ ୬୯ ବର୍ଷ ବୟସ, ଶକ୍ତିମୟୀ ମା’ଦୁର୍ଗାଙ୍କ ଅପାର କରୁଣାରୁ ମୋତେ କୌଣସି ପ୍ରକାର ରୋଗ ଛୁଇଁ ପାରିନାହିଁ ବା ମୁଁ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ଔଷଧ ମଧ୍ୟ ସେବନ କରିନାହିଁ । ମୁଁ ଭାବେ ଏହା ମୋ ମା’ଙ୍କର ମୋ ପ୍ରତି ଥିବା ଆଶୀର୍ବାଦ ସ୍ୱରୂପ” ।

ମୁହଁରେ ମୁଖସ୍ଥ ଗୀତାର ଶ୍ଳୋକ ଓ କୋରାନ୍ ବ୍ୟାଖ୍ୟା

ମଣିଷ ପରି ମଣିଷଟିଏ ବୋଲି ସ୍ୱତଃପ୍ରବୃତ୍ତ ଜାଣିହୁଏ, ଯଦି ତାଙ୍କ ସହିତ ବସି ଦି’ପଦ କେହି କଥାହୁଏ । ସଂମ୍ପୂର୍ଣ୍ଣ ଭାବେ ସରଳ ତଥା ନିରାଡ଼ମ୍ବର ଭାବେ ଜୀବନଯାପନ କରୁଥିବା କୋହିନୂର୍ ମଣିଷକୁ ଭଲପାଇବା ହିଁ ଯେପରି ଏକ ମହାମନ୍ତ୍ର ତାହାକୁ ପ୍ରାଞ୍ଜଳ ଭାବେ ବୁଝାଇ କହି ଦିଅନ୍ତି ।

“ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଖୁବ୍ ଇଚ୍ଛା କରିଥାଏ । କିନ୍ତୁ ସିଂହଦ୍ୱାର ନିକଟରେ ମୁଁ ମନସ୍ଥ କଲି ଯେ, ମୁଁ ମହାପ୍ରଭୁଙ୍କ ନିୟମ ଭାଙ୍ଗିବି ନାହିଁ । ସେଉଠୁ ଅଟକି ଗଲି”

ଧର୍ମ କଥା ପଡ଼ିଲେ ସେ କହନ୍ତି, ସେ ମୁସଲମାନ ହୁଅନ୍ତୁ କି ହିନ୍ଦୁ ଯଦି ମଣିଷ ପ୍ରତି ଭଲ ପାଇବା ନାହିଁ ତା’ହେଲେ ତାହା ମୂଲ୍ୟହୀନ । ନମାଜ ହେଉ ବା ମନ୍ତ୍ର ପୂଜା, ଯେଉଁମାନେ ପୂଜା-ନମାଜ କରୁଛନ୍ତି ଠିକ୍ ରୂପେ ଏବଂ ଦୃଢ ବିଶ୍ୱାସର ସହିତ ଉପାସନା କରିବା ଆବଶ୍ୟକ । ସେ ପୂରୁଣା ସ୍ମୃତିକୁ ମନେ ପକାଇ କହିଲେ, “ମୁଁ ସେତେବେଳେ ବାଣୀବିହାରରେ ପଢୁଥାଏ । ମୋ ବାପା ଥରେ ମୋତେ ପୁରୀ ବୁଲି ଆସିବାକୁ କହିଲେ । ମୋର ଜଣେ ସହପାଠୀ ମୋତେ କହିଲେ ଯଦି ତୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଇଛା କରୁଛୁ ତୁ ଭିତରକୁ ଯିବୁ? ଇଚ୍ଛା ହେଉଛି କି? ମୁଁ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଖୁବ୍ ଇଚ୍ଛା କରିଥାଏ । କିନ୍ତୁ ସିଂହଦ୍ୱାର ନିକଟରେ ମୁଁ ମନସ୍ଥ କଲି ଯେ, ମୁଁ ମହାପ୍ରଭୁଙ୍କ ନିୟମ ଭାଙ୍ଗିବି ନାହିଁ । ସେଉଠୁ ଅଟକି ଗଲି । ହଁ ବହୁବାର ଶ୍ରୀକ୍ଷେତ୍ରର ରଥଯାତ୍ରା ଯାଇଛି । ମହାପ୍ରଭୁଙ୍କୁ ରଥରେ ଦେଖି ଆନନ୍ଦିତ ହୋଇଛି” । ପ୍ରକୃତରେ ନିଜ ଧର୍ମକୁ ନୈଷ୍ଠିକ ଭାବେ ପାଳନ କରି ଅନ୍ୟ ଧର୍ମର ଉପାସନାକୁ ସମ୍ମାନ ଦେଉଥିବା ଏହି ବିରଳ ଦେବୀଭକ୍ତ କୋହିନୂର୍ ଇସ୍ଲାମ ପ୍ରକୃତରେ ସଂହତି ଓ ସଦ୍ଭାବର ପ୍ରତୀକ ।

 

Leave A Reply

Your email address will not be published.