Latest Odisha News

BREAKING NEWS

୨୫% ମାଗଣା ନାମଲେଖା ସୁଧାର ପାଇଁ ଏକ ପଲିସି ସହ ତୁରନ୍ତ ପଦକ୍ଷେପ ନେବା ପାଇଁ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ

କଟକ: ଗଣଶିକ୍ଷା ବିଭାଗର ଅଧିକାରୀ ମାନଙ୍କ ତ୍ରୁଟି, ଦାୟିତ୍ୱ ହୀନତା ଓ ଅଯୋଗ୍ୟତା ପାଇଁ ରାଜ୍ୟରେ ୨୦ ହଜାରରୁ ଉର୍ଦ୍ଧ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀ ଚଳିତ ବର୍ଷ ଶିକ୍ଷା ଅଧିକାର ଆଇନ ଅନୁସାରେ ୨୫% ମାଗଣା ସିଟରେ ପ୍ରାଇଭେଟ ସ୍କୁଲରେ ନାମ ଲେଖାରୁ ବଞ୍ଚିଚ ହେବେ। ଅଭିଭାବକ ମାନେ ଚାଁହୁଥିବା ସ୍କୁଲ ପୋର୍ଟାଲରେ ନଥିବା ଆଦି ସମସ୍ୟାକୁ ନେଇ ଓଡିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟଙ୍କ ତରଫରୁ ଆଡ଼ଭୋକେଟ ଆଦିଶା ମହାନ୍ତି ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ଗତକାଲି ମାମଲାର ଶୁଣାଣି ସମୟରେ ଯେହେତୁ ଏହା ପିଲାମାନଙ୍କ ପାଠ ପଢ଼ା ଭଳି ଏକ ଜରୁରୀ ଓ ଅତ୍ୟାବଶ୍ୟକ ସମସ୍ୟା ତେଣୁ ଆଜି ବିଭାଗର ମୁଖ୍ୟ ହାଜର ହୋଇ ଜବାବ ରଖିବାକୁ କହିଥିଲେ।

ଶୁଣାଣି ବେଳେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦେଶକ ତଥା ଆରଟିଇର ନୋଡାଲ ଅଫିସର ଜ୍ୟୋତି ରଞ୍ଜନ ମିଶ୍ର ହାଜର ହୋଇ ଜବାବ ରଖିଥିଲେ। ଶୁଣାଣି ବେଳେ ଗତବର୍ଷ ୨୦୨୩-୨୪ ବର୍ଷରେ ୪୪୪୨ ବେସରକାରୀ ସ୍କୁଲ୍ ପଞ୍ଜିକରଣ କରିଥିଲେ। ଏହାର ସିଟ୍ ସଂଖ୍ୟା ପ୍ରାୟ ୬ ହଜାରରୁ ଉର୍ଦ୍ଧ ଥିଲା । ତଳିତ ବର୍ଷ ପ୍ରଥମ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ଆରମ୍ଭ ବେଳେ ପ୍ରାଥମିକ ପର୍ଯ୍ୟାୟରେ ୪୨୦୦ ସ୍କୁଲ ପୋର୍ଟାଲରେ ଦୃଶ୍ୟମାନ ଥିବା ବେଳେ ପ୍ରତିଦିନ ସ୍କୁଲ ସଂଖ୍ୟା ବଢ଼ି ଶେଷ ତାରିଖ ପର୍ଯ୍ୟନ୍ତ ୨୭୦୦ ସ୍କୁଲ ପଞ୍ଜିକରଣ କରିଥିଲେ । ଆଶ୍ଚର୍ଯ୍ୟ କଥା ପିଲାଙ୍କ ପଞ୍ଜିକରଣ ପରେ ଏହା ୩୩୩୧ରେ ପହଞ୍ଚିଥିଲା । ଯାହାର ସିଟ୍ ସଂଖ୍ୟା ମାତ୍ର ୩୩୦୦୦, ଏହାର ଅର୍ଥ ଗତ ବର୍ଷ ଠାରୁ ଏହା ୨୭୦୦୦ ସିଟ କମ । ତେଣୁ ପଦକ୍ଷେପ ନେବା ସହ ସବୁ ସ୍କୁଲ ପଞ୍ଜିକରଣ ପାଇଁ ନିର୍ଦେଶ ଦେଇଥିଲେ।

ସେପଟେ ଗତବର୍ଷ ପ୍ରି ପ୍ରାଇମେରୀ ବା ନର୍ସରୀ ଶ୍ରେଣୀରେ ମଧ୍ୟ ଆଡ଼ମିସନ ପାଇଁ ସୁବିଧା ଥିବା ବେଳେ ଏବର୍ଷ ବହୁ ସ୍କୁଲରେ ସେ ସୁବିଧା ନଥିବା ଏବଂ ସମାନ ସ୍କୁଲରେ ଗତବର୍ଷ ଯେତିକି ସିଟ ଥିଲା ଏବର୍ଷ ସିଟ ସଂଖ୍ୟା କମ ଦେଖାଉଥିଲା। ତାକୁ ସୁଧାର କରିବା ପାଇଁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ଯୋଜନାରେ ତିନୋଟି ପର୍ଯ୍ୟାୟରେ ଆବେଦନ ଗ୍ରହଣ ସହ ଆଡ଼ମିସନ ସୁବିଧା ଥିବାରୁ ଏବର୍ଷ ତୃତୀୟ ପର୍ଯ୍ୟାୟ ଆଡ଼ମିସନ କରିବା ପାଇଁ ମାନ୍ୟବର କୋର୍ଟଙ୍କୁ ଆବେଦନ କରାଯାଇଥିଲା। ଶୁଣାଣି ସମୟରେ ସ୍ୱୀକୃତି ପ୍ରାପ୍ତି ସ୍କୁଲ ସଂଖ୍ୟା ଓ ପାରଦର୍ଶୀ ପୋର୍ଟାଲରେ ରେଜିଷ୍ଟ୍ରିଭୁକ୍ତ ସ୍କୁଲ ସଂଖ୍ୟା ଯେଉଁ ଦ୍ୱନ୍ଦ୍ୱ ଆସୁଛି ସେଥିପାଇଁ ବିଭାଗରେ ଏକ ସ୍ୱତନ୍ତ୍ର ପଲିସୀ ବା ଫର୍ମାଟ ଆଣି ସମସ୍ୟା ଦୂର କରିବାକୁ କୋର୍ଟ ନିର୍ଦେଶ ଦେଇଥିଲେ।

ଯେହେତୁ ଆଡ଼ମିସନ ପ୍ରକ୍ରିୟା ଜୁନ ପର୍ଯନ୍ତ ଚାଲିବ ତେଣୁ ମାମଲା ଚାଲୁ ରହିବ ଓ ଆସନ୍ତା ମେ ୧୬ରେ ପରବର୍ତ୍ତୀ ଶୁଣାଣି ହେବ । ଯୋଜନାର ଶତ ପ୍ରତିଶତ ରୂପାୟନ ସହ ପିଲାମାନେ ଯେପରି ପାଠ ପଢିବାରେ ସମ୍ପୂର୍ଣ୍ଣ ସୁବିଧା ପାଇବେ ତାକୁ ଯୋଗାଇ ପରବର୍ତ୍ତୀ ଶୁଣାଣିରେ ନେଇଥିବା ପଦକ୍ଷେପ ଉପରେ ନିର୍ଦ୍ଦେଶକଙ୍କୁ ଜବାବ ଦାଖଲ ପାଇଁ କୋର୍ଟ କହିଥିଲେ। ଆଗକୁ କିଛି ଅଭିଯୋଗ ଆସିଲେ ଓ ଓଡିଶା ଅଭିଭାବକ ମହାସଂଘର ଅଭଯୋଗ ସବୁ ତୁରନ୍ତ ସମାଧାନ ପାଇଁ ନିର୍ଦେଶକ ଜ୍ୟୋତି ମିଶ୍ର ଦାଇତ୍ୱ ନେଇଥିଲେ। ରାଜ୍ୟରେ ଆରଟିଇରେ ଆର୍ଥିକ ଅନଗ୍ରସର ଶ୍ରେଣୀ ପିଲାଙ୍କ ପାଠ ପଢା କ୍ଷେତ୍ରରେ କୋର୍ଟଙ୍କ ଆଜିର ନିର୍ଦ୍ଦେଶ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି ମହାସଚିବ ଅଶୋକ ପାଇକରାୟ ଓ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ କହିଛନ୍ତି।

Leave A Reply

Your email address will not be published.