Latest Odisha News

BREAKING NEWS

ବିଦ୍ରୋହ… ବିପଦରେ ବିଜେଡି ଗଡ !

ଭୁବନେଶ୍ବର : ଖେଳ ବିଗାଡିବେ କି ବିଦ୍ରୋହୀ ? କୁହୁଳୁଛି ଅସନ୍ତୋଷ, ଭୋଟ୍ ବେଳେ ପଡିବ କି ଭାରି ? ବିଜେଡି ଗଡ ଖଲ୍ଲିକୋଟରେ ଏଥର ଅଲ୍ ଇଜ ନଟ୍ ୱେଲ୍ । ରାଣୀଙ୍କ ପରେ ମୁରବିବିହୀନ ଖଲ୍ଲିକୋଟ୍ । ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ବିରୋଧରେ ପ୍ରବଳ ଅସନ୍ତୋଷ ପରେ ବି ତାଙ୍କୁ ରିପିଟ୍ କରିଛି ବିଜେଡି । ସେପଟେ ବିଜେପିରୁ ଏଥର ପୂର୍ଣ୍ଣଚନ୍ଦ୍ର ଚ୍ୟାଲେଞ୍ଜ । ବିଜେଡି ଗୋଷ୍ଠୀ କନ୍ଦଳ ଗୋଳିଆ ପାଣିରୁ ଫାଇଦା ନେବାକୁ ଜୋର ଲଗାଇଛି ବିଜେପି । ପ୍ରଶ୍ନ ଉଠୁଛି, ଏଥର ବଦଳିବ କି ଖଲ୍ଲିକୋଟ ଫଳ ?

ରାଣୀଙ୍କ ପରେ ଖଲ୍ଲିକୋଟ ଲଢେଇ

ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ ପରେ ପ୍ରଥମ ଥର ବିଜେଡି ଲଢିବ ଖଲ୍ଲିକୋଟ ଲଢେଇ । ୧୯୮୫ରୁ ବିଜେଡି କବଜାରେ ରହିଛି ଖଲ୍ଲିକୋଟ । ଏଠାରେ ପତିଆରା ଜାହିର କରି ଆସୁଥିବା ବିଜେଡିର ନେତୃତ୍ୱ ନେଇଥିଲେ ରାଣୀ । ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରୁ ସେ ୭ଥର ନିର୍ବାଚିତ ହୋଇଛନ୍ତି । ବିଜେଡିରୁ ୨୦୦୦ ଓ ୨୦୦୪ରେ ସେ ନିର୍ବାଚିତ ହୋଇଥିଲେ । ଏହାପରେ ଖଲ୍ଲିକୋଟ ଆସନ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ହେବାରୁ ସେ କବିସୂର୍ଯ୍ୟନଗରରୁ ଲଢୁଥିଲେ । ତେବେ ଖଲ୍ଲିକୋଟରେ ରାଣୀଙ୍କ ନିଷ୍ପତ୍ତି ହିଁ ଥିଲା ନିର୍ଦ୍ଦେଶ । ତାଙ୍କ ଆଶୀର୍ବାଦ ପାଉଥିବା ବ୍ୟକ୍ତି ହିଁ ବିଜେଡି ଟିକେଟରେ ବିଧାୟକ ହେଉଥିଲେ । ହେଲେ ଏଥର ବିଜେଡିର ସବୁଠୁ ବଡ ବଳ ସୁଜ୍ଞାନ ଦେଓ ନାହାନ୍ତି ।

ବିଜେଡିରେ ବିଦ୍ରୋହ ଅସମ୍ଭାଳ !

ଟିକେଟ୍ ଘୋଷଣା ପୂର୍ବରୁ ହିଁ ଖଲ୍ଲିକୋଟ ବିଜେଡିରେ ଅସମ୍ଭାଳ ବିଦ୍ରୋହ ଦେଖିବାକୁ ମିଳିଥିଲା । ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କୁ ଖୋଲା ବିରୋଧ କରୁଥିଲେ ବିଜେଡିର ଏକ ଗୋଷ୍ଠୀ । ସୁଜ୍ଞାନ ଲିଗାସିଙ୍କ ବିଦ୍ରୋହ ତେଜୁଥିଲା । ଏପରିକି ଟିକେଟ୍ ରିପିଟ୍ କଲେ ଅସହଯୋଗ କରିବାକୁ ଖୋଲା ଚେତାବନୀ ଦେଇଥିଲେ ନିର୍ବାଚନମଣ୍ଡଳୀର ପୁରୁଖା ନେତା ଓ କର୍ମୀ । ପ୍ରବଳ ଅସନ୍ତୋଷ ସତ୍ତ୍ୱେ ସୂର୍ଯ୍ୟମଣିଙ୍କୁ ପୁଣି ଟିକେଟ ଦେଇଛି ବିଜେଡି । ଏହାପରେ ଅନେକ ଦଳୀୟ କର୍ମୀ ଓ ନେତା ବିଜେଡି ଛାଡୁଛନ୍ତି । କିଛି ଦଳରେ ରହି ବି ବିଧାୟିକାଙ୍କୁ ସମର୍ଥନ କରିବେନି କହୁଛନ୍ତି । ତେଣୁ ଖଲ୍ଲିକୋଟରେ ବିଜେଡିର ଅଭେଦ୍ୟ ଦୁର୍ଗ ପ୍ରତି ବିପଦ ବଢିଥିବା କୁହାଯାଉଛି ।

ବିଜେଡିକୁ ‘ପୂର୍ଣ୍ଣଚନ୍ଦ୍ରଚ୍ୟାଲେଞ୍ଜ

ବିଜେଡିରୁ ଦୁଇ ଦୁଇ ଥର ବିଧାୟକ ହୋଇଥିବା ପୂର୍ଣ୍ଣଚନ୍ଦ୍ର ସେଠୀ ଏଥର ବିଜେପିର ଖଲ୍ଲିକୋଟ ଚେହେରା । ୨୦୦୯ ଓ ୨୦୧୪ରେ ବିଜେଡିରୁ ନିର୍ବାଚିତ ହୋଇଥିଲେ ପୂର୍ଣ୍ଣଚନ୍ଦ୍ର । ନିଜ ଲୋକପ୍ରିୟତା ଓ ସଂଗଠନ ସାଙ୍ଗକୁ ମୋଦି ଲହରକୁ ନେଇ ମଇଦାନରେ ଆକ୍ଟିଭ ରହିଛନ୍ତି ପୂର୍ଣ୍ଣଚନ୍ଦ୍ର । ସୂର୍ଯ୍ୟମଣି ବୈଦ୍ୟଙ୍କୁ ବିରୋଧ କରୁଥିବା ନେତା ଓ କର୍ମୀ ବି ପୂର୍ଣ୍ଣଚନ୍ଦ୍ରଙ୍କ ଆଡକୁ ଢଳୁଛନ୍ତି । ଗତଥର ସୂର୍ଯ୍ୟମଣି ପ୍ରାର୍ଥୀ ହୋଇଥିବା ବେଳେ ଆଶାତୀତ ଭାବେ ବଢିଥିଲା ବିଜେପି ଭୋଟ୍ । ତେଣୁ ସୂର୍ଯ୍ୟମଣିଙ୍କ ପାଇଁ ଏବେ ସବୁଠୁ ବଡ ଚ୍ୟାଲେଞ୍ଜ ସାଜିଛନ୍ତି ପୂର୍ଣ୍ଣଚନ୍ଦ୍ର ।

ରାଣୀଙ୍କ ନାଁରେ କାହାକୁ ଭୋଟ୍

ରାଣୀ ସୁଜ୍ଞାନ ଦେବୀଙ୍କ ଅନୁଗତ ରହିଛନ୍ତି ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀ । ରାଣୀଙ୍କ ନିର୍ଦ୍ଦେଶରେ ପୂର୍ଣ୍ଣଚନ୍ଦ୍ର ସେଠୀ ୨୦୦୯ରୁ ୨୦୧୯ ବିଧାୟକ ରହିଥିଲେ । ସେହିପରି ୨୦୧୯ରେ ପୂର୍ଣ୍ଣଚନ୍ଦ୍ରଙ୍କ ଜାଗାରେ ସୂର୍ଯ୍ୟମଣିଙ୍କୁ ପ୍ରାର୍ଥୀ କରିଥିଲେ ରାଣୀ । ଚବିଶ ମଇଦାନରେ ଦୁଇ ପ୍ରାର୍ଥୀ ରାଣୀଙ୍କ ଅନୁଗତ ରହିଥିବାରୁ କାହାକୁ ଭୋଟ୍ ଦେବେ ଭୋଟର ? ସେନେଇ ଗୋଳିଆ ହୋଇଛି ଖଲ୍ଲିକୋଟ୍ ରାଜନୀତି । ସେପଟେ ଉଭୟ ବିଜେପି ଓ ବିଜେଡିକୁ ଟକ୍କର ଦେବାକୁ ଚିତ୍ରସେନ ବେହେରାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ତେବେ ଟକ୍କର ପୂର୍ଣ୍ଣଚନ୍ଦ୍ର ସେଠୀ ଓ ସୂର୍ଯ୍ୟମଣି ବୈଦ୍ୟଙ୍କ ମଧ୍ୟରେ ହେବ ବୋଲି କୁହାଯାଉଛି । ବିଜେଡି ଗୋଷ୍ଠୀ କନ୍ଦଳର ଫାଇଦା ନେବ କି ବିଜେପି ? ନା ଗଡ ରକ୍ଷା କରିପାରିବ ବିଜେଡି ?

Leave A Reply

Your email address will not be published.