ଭୁବନେଶ୍ବର: ଆର୍ଥିକବର୍ଷ ୨୦୨୫/୨୦୨୬ରେ ବଢିବ ଓଡିଶା ବଜେଟର ଆକାର । ଗତ ଆର୍ଥିକବର୍ଷ ତୁଳନାରେ ବଜେଟ୍ ପରିମାଣ ବଢ଼େଇବା ସହ ନିଯୁକ୍ତି ଓ ଉତ୍ପାଦନ ଉପରେ ଗୁରୁତ୍ୱ ଦେବେ ସରକାର । ଗାଁ’ରେ ଆର୍ଥିକ ସ୍ରୋତ ସୃଷ୍ଟି କରିବା ପାଇଁ ମୋହନ ସରକାର ଆଣିବେ ନୂଆ ଯୋଜନା । ପ୍ରାକ୍ ବଜେଟ ପରାମର୍ଶ ସଭା ପରେ ଏଭଳି କିଛି ଆଭାସ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଲୋକାଭିମୁଖୀ ହେବ ଲୋକଙ୍କ ବଜେଟ :-
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “ଫେବ୍ରୁଆରୀ ୧୩ ତାରିଖରୁ ବିଧାନସଭା ଆରମ୍ଭ ହେଉଛି । ୧୭ ତାରିଖରେ ଆସିବ ଓଡିଶା ବଜେଟ୍ । ସେଥିପାଇଁ ଲୋକମତ ସଂଗ୍ରହ ଓ ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଅର୍ଥନୀତି ବିଶେଷଜ୍ଞ, ପୂର୍ବତନ ଅର୍ଥମନ୍ତ୍ରୀ, ପୂର୍ବତନ ଅର୍ଥ ସଚିବଙ୍କ ସହ ବିଭିନ୍ନ ବର୍ଗର ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଇଛି । ସମସ୍ତ ସଦସ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି । ଲୋକଙ୍କ ବଜେଟକୁ ଲୋକାଭିମୁଖୀ କରିବା ଲାଗି ସମସ୍ତ ଚେଷ୍ଟା କରାଯିବ । ସେହିପରି ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକ ନିଜର ମତାମତ ଅନଲାଇନ, ଫୋନ, ମେସେଜ ଜରିଆରେ ଦେଇପାରିବେ । ଲୋକମତକୁ ଆଧାର କରି ଯୋଜନା ପ୍ରସ୍ତୁତ ହେବ ।
କୃଷକଙ୍କ ଆୟ ବୃଦ୍ଧି ପ୍ରାଧାନ୍ୟ :-
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ରାଜସ୍ୱ ବୃଦ୍ଧି କରିବା ଲାଗି ବ୍ୟବସ୍ଥା ହେଉଛି । ସେହିପରି ସଂକଳ୍ପ ପତ୍ରକୁ ପ୍ରାଧାନ୍ୟ ଦେଇ ଯୋଜନା ପ୍ରସ୍ତୁତ କରାଯାଉଛି । ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଉଛି । ବିଶେଷ କରି ଶିଳ୍ପ କ୍ଷେତ୍ରରେ ଆଇଟି, ଷ୍ଟିଲ, ଅକ୍ଷୟ ଶକ୍ତି, ଏଗ୍ରୋ ଇଣ୍ଡଷ୍ଟ୍ରିଜ, ପେଟ୍ରୋକେମିକାଲ ଓ ଟେକ୍ସଟାଇଲ ଉପରେ ଗୁରୁତ୍ୱ ଦେଉଛୁ । ଏଗ୍ରୋ ଇଣ୍ଡଷ୍ଟ୍ରିଜରେ କୃଷକ ନିର୍ଭରଶୀଳ ଅଟନ୍ତି । ସେମାନଙ୍କ ଆୟ ବୃଦ୍ଧି କରିବା ଲାଗି ଶୀତଳ ଭଣ୍ଡାର ସମେତ ଚାଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆବଶ୍ୟକ ସମସ୍ତ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉଛି । ବନ୍ଦର ସମ୍ପର୍କିତ ଶିଳ୍ପ, ଆଇଟି କ୍ଷେତ୍ରର ସେମିକଣ୍ଡକଟର ଶିଳ୍ପ ଉପରେ ଫୋକ୍ସ ରହିଛି ।
ରାଜସ୍ୱ ବୃଦ୍ଧି ସହ ରାଜ୍ୟର ଜିଡିପି ବଢେଇବା ଲକ୍ଷ୍ୟ :-
ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ‘ରାଜସ୍ୱ ବୃଦ୍ଧି ସହ ରାଜ୍ୟର ଜିଡିପି ବଢେଇବା ପାଇଁ ଆମେ କୃଷି ଭିତ୍ତିକ ଶିଳ୍ପ ଉପରେ ଗୁରୁତ୍ୱ ଦେଉଛୁ । କୃଷି ସମ୍ପର୍କିତ ଶିଳ୍ପ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଉଛି । ନିବେଶ ବଢିଲେ ରାଜ୍ୟର ଆର୍ଥିକ ସ୍ଥିତି ବଦଳିବ । ଏହା ଦ୍ୱାରା ଗ୍ରାମାଞ୍ଚଳର ଆର୍ଥିକ ଓ ସାମାଜିକ ବ୍ୟବସ୍ଥାକୁ ସଜଡା ଯାଇପାରିବ । କ୍ୟାବିନେଟର ଅନୁମୋଦନ ପରେ ବିକଶିତ ଗାଁ, ବିକଶିତ ଓଡିଶା ଯୋଜନା ଆରମ୍ଭ କରିବାକୁ ଯାଉଛୁ । ଗାଁ ଲୋକଙ୍କର ଆର୍ଥିକ ସ୍ଥିତି ମଜବୁତ କରିବା ପାଇଁ ଗାଁ’ରେ ବ୍ୟବସ୍ଥା କରାଯିବ । ଗାଁ ଲୋକ ସହରକୁ ନଦୌଡ଼ିବା ପାଇଁ ରୋଜଗାରର ଉତ୍ସ ସୃଷ୍ଟି ହେବ । ଶ୍ରମିକ, ଚାଷୀ ଓ ଖଟିଖିଆଙ୍କ ଲାଗି ବ୍ୟବସ୍ଥା କରିବୁ ।
୨ ବର୍ଷରେ ହେବ ୬୫ ହଜାରରୁ ଅଧିକ ପଦବୀ ପୂରଣ :
“ନିଯୁକ୍ତି କ୍ଷେତ୍ରରେ ଆଶା ରଖିଥିବା ବେକାର ଯୁବକ, ସରକାରୀ ପଦବୀ ପୂରଣ ଭଳି କ୍ଷେତ୍ର ବଜେଟରେ ପ୍ରତିଫଳିତ ହେବ । ନିବେଶ ବଢିଲେ ବେସରକାରୀ କ୍ଷେତ୍ରରେ ନିଯୁକ୍ତି ମଧ୍ୟ ବଢିବ । ସେହିପରି ଖାଲି ଥିବା ସରକାରୀ ପଦବୀରେ ଦେଢ଼ ଲକ୍ଷ ନିଯୁକ୍ତି କଥା କହିଛୁ । ସେଥିରୁ ୨୦ ହଜାର ନିଯୁକ୍ତି ଦେଇ ସାରିଛୁ । ଚଳିତ ଆର୍ଥିକ ବର୍ଷ ଆହୁରି ୨୦ ହଜାର ନିଯୁକ୍ତି ଦେବୁ । ଆଗକୁ ୨ ବର୍ଷ ମଧ୍ୟରେ ୬୫ ହଜାରରୁ ଅଧିକ ପଦବୀ ପୂରଣ କରିବୁ । ସଂକଳ୍ପ ପତ୍ର ଅଧାରେ ନୂଆ ଓଡ଼ିଶା, ସମୃଦ୍ଧ ଓଡିଶା ଦିଗରେ ଆମେ ଅଗ୍ରସର ହେଉଛୁ । ୨୦୨୫-୨୬ ଆର୍ଥିକ ବର୍ଷରେ ଆହୁରି ଅନେକ ଯୋଜନା ସାମିଲ କରିବେ ସରକାର । ତେଣୁ ବଜେଟର ଆକାର ବହୁତ ବଢିବ । ଅନଲାଇନ ମାଧ୍ୟମରେ ଗତ ବର୍ଷ ୬ ହଜାରରୁ ଅଧିକ ପ୍ରସ୍ତାବ ଆସିଥିଲା । ଏଥର ମଧ୍ୟ ତା’ଠାରୁ ଅଧିକ ମତାମତ ଆସିବ ବୋଲି ଆକଳନ କରାଯାଉଛି । ଫଳରେ ଲୋକଙ୍କ ବଜେଟ ନିଶ୍ଚୟ ରୁଦ୍ଧିମନ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।”
Comments are closed.